Latest Odisha News

ଆମ୍ବ ଟାକୁଆ ଜାଉ ପ୍ରସଙ୍ଗରେ ବିଜେଡିର ଦାବି: ଯୋଗାଣ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ

ଭୁବନେଶ୍ୱର : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ମାଣ୍ଡିପଙ୍କା ଗ୍ରାମରେ ଆମ୍ବ କୋଇଲି ଜାଉ ଖାଇ ମୃତ୍ୟୁ ଘଟଣାରେ ଆଜି ଆଉ ଜଣଙ୍କ ମୃତ୍ୟୁ ହୋଇଛି।  ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୩ରେ ପହଁଞ୍ଚିବା ପରେ, ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡ଼ି। ଏନେଇ ସାମ୍ବାଦିକ ସମ୍ମିଳନୀ କରିଛି ବିଜେଡି। ଖାଦ୍ୟ ସୁରକ୍ଷା ଯୋଜନାର ବଣ୍ଟନ ବ୍ୟବସ୍ଥା ରାଜ୍ୟରେ ବିଫଳ ହୋଇଥିବାରୁ, ଏଭଳି ଅଭାବନୀୟ ଘଟଣା ଘଟିଥିବା ଶଙ୍ଖଭଵନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ସଞ୍ଜୟ ଦାସବର୍ମା କହିଛନ୍ତି। ଏହି ଘଟଣା ସରକାରଙ୍କ ବିଫଳତାକୁ ସ୍ପଷ୍ଟ କରିଥିବା ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ରାଜ୍ୟରେ ନୂଆ ସରକାର ଆସିବା ପରେ, ରାଜ୍ୟରେ ଖାଦ୍ୟ ଅଭାବ ଯୋଗୁ ମୃତ୍ୟୁ ବରଣ କରିବାକୁ ପଡୁଛି। ସରକାର ସଚେତନ ହେବା ପରିବର୍ତ୍ତେ ଏହି ଘଟଣାକୁ ଚପାଇ ଦେବାକୁ ବିଭିନ୍ନ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରୁଛନ୍ତି। ଏ ସଂକ୍ରାନ୍ତରେ ଯୋଗାଣ ମନ୍ତ୍ରୀଙ୍କ ବୟାନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତେଣୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ରାଜ୍ୟବାସୀଙ୍କ ସମ୍ମୁଖରେ କ୍ଷମା ମାଗିବା ସହିତ ନିଜ ପଦବୀରୁ ତୁରନ୍ତ ଇସ୍ତଫା ଦେବାକୁ  ଶ୍ରୀ ଦାସବର୍ମା ଦାବି କରିଛନ୍ତି।

ଉଲ୍ଲେଖଯୋଗ୍ୟ, କନ୍ଧମାଳ ଜିଲ୍ଲାର ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଜାଉ ଖାଇ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିଲା ବେଳେ ୬ ଜଣ ମହିଳା ଗୁରୁତର ହୋଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହାକୁ ନେଇ ବିଜେଡ଼ି ରାଜ୍ୟ ସରକାରଙ୍କୁ ଘେରିଥିଲା । ପିଡ଼ିଏସ ବଣ୍ଟନରେ ବିଳମ୍ବ ଓ ବିଫଳତା ପାଇଁ ସେମାନଙ୍କ ମୃତ୍ଯୁ ହୋଇଥିବା କହି ବିଜେଡ଼ି ରାଜ୍ୟ ସରକାରଙ୍କୁ ନିନ୍ଦା କରିଥିଲା।  ଅପରପକ୍ଷରେ ପିଡ଼ିଏସ୍ ବଣ୍ଟନରେ କୌଣସି ସମସ୍ଯା ହୋଇନାହିଁ ବରଂ ଆମ୍ବ ଟାକୁଆ ଜାଉ ସେମାନଙ୍କ ପାରମ୍ପରିକ ଖାଦ୍ଯ ବୋଲି ଖାଦ୍ଯ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଥିଲେ। ଯୋଗାଣ ମନ୍ତ୍ରୀଙ୍କ ବୟାନକୁ ବିଜେଡି ଦୁର୍ଭାଗ୍ୟଜନକ ବୋଲି କହିଥିଲା।  ତେବେ କଟକ ବଡ ମେଡିକାଲରେ କିକିତ୍ସାଧୀନ ଥିବା ୨ ଜଣଙ୍କ ମଧ୍ୟରୁ ଜଣେ ଆଜି ମୃତ୍ୟୁ ବରଣ କରିଛନ୍ତି। ମୃତକଙ୍କ ନାଁ ଜିତା ମାଝୀ। ଆଜି ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଗତ ୫ ତାରିଖରେ ସରକାର ଏହି ଘଟଣାର ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

 

Leave A Reply

Your email address will not be published.