Latest Odisha News

ଅନ୍ତିମ ସଂସ୍କାରର ୫ ଦିନ ପରେ ଘରକୁ ଫେରିଲେ ମୃତ ବ୍ୟକ୍ତି, ଆଉ ତା ପରେ…

ଗାନ୍ଧିନଗର; ଖବର ମିଳିଲା ପୁଅର ମୃତ୍ୟୁ ହୋଇଛି l ବିକଳରେ ମା’ ନିଜକୁ ସମ୍ବଳି ପାରୁ ନଥାଏ l ପୋଲିସ ଠାରୁ ମୃତ ଦେହ ଆଣି ରୀତିନୀତି ଅନୁସାରେ ଶବଦାହ କଲେ ପରିବାର ଲୋକ l କିନ୍ତୁ ମୃତ୍ୟୁର ୫ ଦିନ ପରେ ଯେତେବେଳେ ପରିବାର ଲୋକ ଶୋକସଭା ପାଳୁଥିଲେ ସେତେବେଳେ ହଠାତ ଘଟିଲା ଏକ ଅଜବ ଘଟଣା l ଜୀବିତ ଅବସ୍ଥାରେ ଘରେ ଆସି ପହଁଚିଲେ ମୃତ ବ୍ୟକ୍ତି l କଣ ଆଶ୍ଚର୍ଯ୍ୟ ହୋଇଗଲେ କି? ଆଶ୍ଚର୍ଯ୍ୟ ଲାଗିଲେ ବି କଥା ଟି ସତ l ଗୁଜୁରାଟର ମେହସାଣାରୁ ସାମ୍ନାକୁ ଆସିଛି ଏହି ଅଜବ ମାମଲା l ଏଠାରେ ଜଣେ ବ୍ୟକ୍ତିଙ୍କର ଶବଦାହ କରିବାର ୫ଦିନ ପରେ ସେ ଜୀବନ୍ତ ଘରକୁ ଫେରିଛନ୍ତି l

ରିପୋର୍ଟ ଅନୁଯାୟୀ, ଗତ ଅକ୍ଟୋବର ୨୭ ତାରିଖରେ ଅହମ୍ମଦାବାଦର ନାରୋଡା, ହଂସପୁରା ଅଂଚଳରୁ ନିଖୋଜ ହୋଇଯାଇଥିଲେ ୪୩ ବର୍ଷୀୟ ବ୍ରିଜେଶ ସୁଥର l ଏନେଇ ନଭେମ୍ବର ୬ ତାରିଖରେ ଥାନାରେ ନିଖୋଜ ଏତଲା ଦେଇଥିଲା ତାଙ୍କ ପରିବାର ଲୋକ l ସେପଟେ ଏତଲା ଦେବାର ଦୁଇ ଦିନ ପରେ ସବରାମତି ନଦୀ କୂଳରେ ଏକ କ୍ଷତବିକ୍ଷତ ଶରୀର ଭାସୁଥିବା ନେଇ ସୂଚନା ମିଳିଥିଲା l ଏହାପରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଲା l ନିଖୋଜ ବ୍ୟକ୍ତି ବ୍ରିଜେଶର ମୃତ ଦେହ କି ନୁହେଁ ତାହା ଜାଣିବାକୁ ବ୍ରିଜେଶଙ୍କ ପରିବାର ଲୋକଙ୍କୁ ଡାକିଲା ପୋଲିସ l ପରିବାର ଲୋକ ଶବାଗାରରେ ପହଂଚି ତାହା ବ୍ରିଜେଶଙ୍କ ମୃତ ଦେହ ବୋଲି ଚିହ୍ନଟ କରିଥିଲେ l ଏହାପରେ ପୋଲିସ ମୃତଦେହକୁ ପରିବାରଲୋକଙ୍କୁ ହସ୍ତାନ୍ତର କରିଥିଲା l ଗତ ନଭେମ୍ବର ୧୦ ତାରିଖରେ ସମସ୍ତ ରୀତିନୀତିରେ ମୃତଦେହର ଅନ୍ତିମ ସଂସ୍କାର କରିଥିଲେ ପରିବାର ଲୋକେ l

ଗୁଜୁରାଟର ରୀତିନୀତି ଅନୁସାରେ ମୃତ୍ୟୁର ପାଞ୍ଚ ଦିନ ପରେ ମୃତ ବ୍ୟକ୍ତିର ଶୋକସଭା କରାଯାଏ l ସେହି ପରମ୍ପରା ଅନୁସାରେ ଗତ ୧୪ ତାରିଖରେ ବ୍ରିଜେଶଙ୍କ ଶୋକସଭା କରାଯାଉଥିବା ବେଳେ ହଠାତ ଘରେ ପହଂଚିଥିଲେ ବ୍ରିଜେଶ l ବ୍ରିଜେଶଙ୍କୁ ଜୀବିତ ଅବସ୍ଥାରେ ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ପରିବାର ଲୋକେ l କିନ୍ତୁ ପରେ ବ୍ରିଜେଶଙ୍କୁ ଜୀବିତ ଅବସ୍ଥାରେ ଦେଖି ଖୁସି ହୋଇଥିଲେ ପରିବାର ଲୋକେ l ଏବଂ ପରେ ବ୍ରିଜେଶ ଓ ତାଙ୍କ ମା’ ଥାନାକୁ ଆସି ପୁଅ ଫେରିବା ନେଇ ସୂଚନା ଦେଇଥିଲେ l ତେବେ ପରିବାର ସଦସ୍ୟଙ୍କ କହିବା ଅନୁସାରେ ଗତ କିଛି ଦିନ ଧରି ବ୍ରିଜେଶଙ୍କ ଆର୍ଥିକ ସ୍ଥିତି ଭଲ ନଥିଲା l ସେଥିପାଇଁ ସେ ଜଣେ ବ୍ୟକ୍ତିଙ୍କ ଠାରୁ ଋଣ ଆଣିଥିଲେ l ଠିକ ସମୟରେ ଋଣ ଟଙ୍କା ଦେଇନପାରିବାରୁ ଋଣଦାତା ତାଙ୍କୁ ହଇରାଣ କରୁଥିଲେ l ଏହି କାରଣରୁ ସେ ଏପରି ପଦକ୍ଷେପ ନେଇଥିବା ନେଇ ସନ୍ଦେହ କରାଯାଉଛି l ଏବେ ପ୍ରଶ୍ନ ଉଠୁଛି ଯେ ଯଦି ବ୍ରିଜେଶ ଜୀବିତ ତେବେ ଯେଉଁ ମୃତଦେହର ଅନ୍ତିମ ସଂସ୍କାର କରାଯାଇଛି ସେ କିଏ? ଏବେ ଏହାର ତଦନ୍ତ ପୋଲିସ କରୁଛି l

Leave A Reply

Your email address will not be published.