ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବୁଧବାର ସମସ୍ତ ୨୮୮ଟି ଆସନରେ ମତଦାନ ଚାଲିଛି। ଏହାରି ମଧ୍ୟରେ ବିଟକଏନ୍ ସ୍କାମକୁ ନେଇ ବିବାଦ ବଢିବାରେ ଲାଗିଛି। ବର୍ତ୍ତମାନ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମଧ୍ୟ ଏହି ପ୍ରସଙ୍ଗରେ ମୁହଁ ଖୋଲି ତାଙ୍କ ଭଉଣୀ ସୁପ୍ରିୟା ସୁଲେଙ୍କ ସମ୍ପୃକ୍ତି ଥିବା ପ୍ରକାଶ କରିଛନ୍ତି।
ତେବେ ମହାରାଷ୍ଟ୍ରରେ ନିର୍ବାଚନ ପୂର୍ବରୁ ଏକ ବଡ଼ ବିବାଦ ଆରମ୍ଭ ହୋଇଥିଲା ଯେଉଁଥିରେ ପୂର୍ବତନ ଆଇପିଏସ୍ ଅଧିକାରୀ ରବିନ୍ଦ୍ରନାଥ ପାଟିଲ, ସୁପ୍ରିୟା ସୁଲେ ଓ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲଙ୍କ ଉପରେ ଅଭିଯୋଗ କରିଥିଲେ ଯେ ସେମାନେ ବିଟକଏନ୍ ସ୍କାମର ଆୟକୁ ନେଇ ନିର୍ବାଚନ ପାଇଁ ପାଣ୍ଠି ସଂଗ୍ରହ କରୁଛନ୍ତି।
ତେବେ ବୁଧବାର ସୁପ୍ରିୟା ସୁଲେ ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ‘ ମୁଁ ତାଙ୍କ ଉପରେ ମାନହାନି ମକଦ୍ଦମା କରିଛି ଏବଂ ମୁଁ ତାଙ୍କ (ସୁଦର୍ଶନ ତ୍ରିବେଦୀ) ପାଞ୍ଚଟି ପ୍ରଶ୍ନର ଉତ୍ତର ଯେ କୌଣସି ସ୍ଥାନରେ ଏବଂ ଯେ କୌଣସି ସମୟରେ ଦେବାକୁ ପ୍ରସ୍ତୁତ ଅଛି।
ଏହାରି ମଧ୍ଯରେ ବିବାଦକୁ ଅଧିକ ବଢାଇଛି ସୁପ୍ରିୟା ସୁଲେଙ୍କ ସମ୍ପର୍କୀୟ ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମନ୍ତବ୍ୟ। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ‘ମୁଁ ଅଡିଓ କ୍ଲିପର ସ୍ୱରରୁ ଜାଣି ପାରୁଛି ଯେ ସେଥିମଧ୍ୟରୁ ଜଣେ ମୋ ଭଉଣୀର ଏବଂ ଅନ୍ୟ ଜଣେ ହେଉଛନ୍ତି ସେ ଯାହା ସହ ମୁଁ ବହୁତ କାମ କରିଛି।
ତେବେ ଏହି ସବୁ ଅଭିଯୋଗକୁ ସୁପ୍ରିୟା ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ଅଜିତ ପାୱାର କିଛି ବି କହିପାରିବେ। ‘ରାମ କୃଷ୍ଣ ହରି।’