ଭୁବନେଶ୍ୱର: ଅବକାରୀ ବିଭାଗର କାର୍ଯ୍ୟକ୍ରମ ନେଇ ବୁଧବାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଯୋଗଦେଇ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଖଣି ବିଭାଗ ପରେ ସର୍ବାଧିକ ରାଜସ୍ୱ ପ୍ରଦାନ କରୁଥିବା ବିଭାଗ ମଧ୍ୟରେ ଅବକାରୀ ବିଭାଗ ଅନ୍ୟତମ । ରାଜ୍ୟର ବିକାଶ ନିମନ୍ତେ ଏହି ରାଜସ୍ୱର ପ୍ରମୁଖ ଅବଦାନ ରହିଛି ।
ଆସନ୍ତା ଦୁଇ ବର୍ଷ ମଧ୍ୟରେ ରାଜ୍ୟରୁ ସମସ୍ତ ପ୍ରକାର ବେଆଇନ ନିଶା କାରବାର ବନ୍ଦ ନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ରାଜ୍ୟ ସରକାର ଆଇନରେ ଆବଶ୍ୟକ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି, ଯେଉଁଥିରେ ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡବିଧାନ ଏବଂ ଜରିମାନା ବ୍ୟବସ୍ଥା ରହିବ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।
ଅବକାରୀ ବିଭାଗ ଅଧିନସ୍ଥ ଜିଲ୍ଲା ଅଧିକ୍ଷକ ସ୍ତରୀୟ ଅଧିକାରୀମାନଙ୍କୁ ନେଇ ସ୍ଥାନୀୟ ନିର୍ମାଣ ସୌଧଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ରାଜ୍ୟ ଏବଂ ଜିଲ୍ଲାସ୍ତରୀୟ ଅବକାରୀ ଅଧିକାରୀଙ୍କ ନିଷ୍ଠାପର କାର୍ଯ୍ୟ ଯୋଗୁଁ ପୂର୍ବରୁ ଚାଲି ଆସିଥିବା ଅନେକ ବେଆଇନ କାରବାରକୁ ରୋକାଯାଇ ପାରିଛି । ରାଜ୍ୟ ସରକାର ବିଭାଗର ବିଭିନ୍ନ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ଗ୍ରହଣ ନେଇଛନ୍ତି । ତେଣୁ ଅଧିକାରୀମାନେ ବିଭିନ୍ନ ଅଞ୍ଚଳ ଗସ୍ତ କରି ଅବକାରୀ ନିୟମର ସଠିକ୍ ଅନୁପାଳନ ଏବଂ ବେଆଇନ ନିଶା କାରବାରକୁ ରୋକିବା ଦିଗରେ କାର୍ଯ୍ୟ କରନ୍ତୁ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ ।
ବୈଠକରେ ଅବକାରୀ ବିଭାଗ କମିଶନର ତଥା ଶାସନ ସଚିବ ଗୁହାପୁନମ୍ ତାପସ କୁମାର ବେଆଇନ ନିଶା କାରବାର ଓ ବେଆଇନ ମଦଭାଟି ଉପରେ ନିୟମିତ ଚଢ଼ାଉ ସହ ଏନ୍ଡିପିଏସ୍ ଆଇନର ସଠିକ୍ ଅନୁପାଳନ, ଅଧିକାରୀ ଓ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ନିୟମିତ ତାଲିମ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ।
ଏହି ବୈଠକରେ ଅତିରିକ୍ତ ଅବକାରୀ କମିଶନର, ଯୁଗ୍ମ କମିଶନର, ଅବକାରୀ ସୁପରିଟେଣ୍ଟେଣ୍ଟ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.