ନୂଆଦିଲ୍ଲୀ: ବିଶ୍ୱର ପ୍ରଦୂଷିତ ୧୦୦ଟି ସହର ତାଲିକାରେ ଭାରତର ସର୍ବାଧିକ ସହର ଥିବାବେଳେ ଚୀନ୍ ବହୁ ପଛରେ ରହିଛି। ପ୍ରଦୂଷଣ କ୍ଷେତ୍ରରେ ପାକିସ୍ତାନ, ବାଂଲାଦେଶ ଏବଂ ନେପାଳର ସହର ମଧ୍ୟ ପଛରେ ପଡି ନାହାଁନ୍ତି।
ବର୍ତ୍ତମାନ ସମୟରେ ଦିଲ୍ଲୀର ଲୋକମାନେ ଅତ୍ୟଧିକ ପ୍ରଦୂଷଣର ସମ୍ମୁଖୀନ ହେଉଛନ୍ତି ଏବଂ ବାୟୁ ଗୁଣବତ୍ତା ସୂଚକାଙ୍କ କ୍ରମାଗତ ଭାବରେ ପ୍ରାୟ ୫୦୦ ରହୁଛି। ତେବେ ଏହି ପ୍ରଦୂଷଣକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ପରସ୍ପରକୁ ଦୋଷାରୋପ କରିବାରେ ବ୍ୟସ୍ତ।
ଏହି ତାଲିକାରେ ଭାରତର ୩୯ ଟି ସହର ଅନ୍ତର୍ଭୁକ୍ତ ଥିବାବେଳେ ଚୀନ୍ ଦ୍ୱିତୀୟ ସ୍ଥାନରେ ଅଛି। ଯାହାର ୩୦ଟି ସହର ବିଷାକ୍ତ ବାୟୁ ଦ୍ୱାରା ଅଧିକ ପ୍ରଭାବିତ ହୋଇଛି। ସେହିପରି ପଡୋଶୀ ପାକିସ୍ତାନ ମଧ୍ୟ ତୃତୀୟ ସ୍ଥାନରେ ରହିଛି। ଏହାର ୭ଟି ସହର ଅତ୍ଯଧିକ ପ୍ରଦୂଷିତ ତାଲିକାରେ ସ୍ଥାନ ପାଇଛି। ଏହା ପରେ ବାଂଲାଦେଶର ୫ଟି ସହର ଏବଂ ନେପାଳ ୨ଟି ସହର ମଧ୍ଯ ସାମିଲ।
ଅପରପକ୍ଷରେ ଏକ ଆନ୍ତର୍ଜାତୀୟ ଏକ୍ୟୁଆଇ ମନିଟରିଂ ଏଜେନ୍ସି ୨୦୨୩ ମସିହାରେ ଦିଲ୍ଲୀକୁ ସବୁଠାରୁ ପ୍ରଦୂଷିତ ରାଜଧାନୀ ଭାବରେ ଚିହ୍ନଟ କରିଥିଲା। ଚାଇନାର ରାଜଧାନୀ ବେଜିଂ ୧୮ ନମ୍ବରରେ ଥିଲା। ସବୁଠାରୁ ବିଷାକ୍ତ ବାୟୁ ଥିବା ଦେଶ ମଧ୍ୟରେ ବାଂଲାଦେଶ ଏବଂ ପାକିସ୍ତାନ ପରେ ଭାରତ ତୃତୀୟ ସ୍ଥାନରେ ଥିଲା।