Latest Odisha News

ସମୁଦ୍ରରେ ପାଟ୍ରୋଲିଂ ସମୟରେ ବନବିଭାଗର ଟ୍ରଲର ଚାଳକଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅଧୀନ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ମଝି ସମୁଦ୍ରକୁ ପାଟ୍ରୋଲିଂ ପାଇଁ ଯାଇଥିବାବେଳେ ଛାତିରେ ଯନ୍ତ୍ରଣା କାରଣରୁ ସେଠାରେ ଟଳିପଡିଲେ ବନକର୍ମଚାରୀ । ମୃତ ବନକର୍ମଚାରୀଜଣକ ହେଲେ ଚଞ୍ଚଳ ମାଇତି (୫୬)।

ଖବର ମୁତାବକ, ରାଜନଗର ବନ ବିଭାଗ ଅଧୀନରେ ଟ୍ରଲର ଡ୍ରାଇଭର ଭାବେ କାମ କରୁଥିଲେ ଚଞ୍ଚଳ ମାଇତି । ଗତ ରାତିରେ ବେଆଇନ ଭାବେ ମାଛ ମାରୁଥିବା ଏକ ଟ୍ରଲର ବିଷୟରେ ଖବର ପାଇ ଅନ୍ୟ କର୍ମଚାରୀଙ୍କ ସହ ସେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ୧୩ କିଲୋମିଟର ସମୁଦ୍ର ମଝିକୁ ଯାଇଥିଲେ । ସେଠାରେ ଉକ୍ତ ଟ୍ରଲରକୁ ଜବତ କରିବା ସହ ସେଥିରେ ଥିବା ମତ୍ସଜୀବୀଙ୍କୁ ମଧ୍ୟ ଧରିଥିଲା ବନ ବିଭାଗ ।

ଏହି ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେଚଞ୍ଚଳ ମାଇତି । ଦେଖୁ ଦେଖୁ ସେହିଠାରେ ହିଁ ଟଳିପଡିଥିଲେ ଚଞ୍ଚଳ । ଅନ୍ୟ ବନ କର୍ମଚାରୀମାନେ ଚଞ୍ଚଳଙ୍କୁ ତୁରନ୍ତ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Comments are closed.