Latest Odisha News

BREAKING NEWS

ଅକ୍ଷୟ ଶକ୍ତି ଆପଣାଇବା ପାଇଁ ବାଲିଯାତ୍ରାରେ ସଚେତନତା ସୃଷ୍ଟି କରୁଛି ଗ୍ରୀଡ଼କୋ

କଟକ: ଚଳିତ ବର୍ଷ କଟକ ବାଲିଯାତ୍ରାରେ ରାଜ୍ୟ ଅକ୍ଷୟ ଶକ୍ତି ପ୍ରମୁଖ ସଂସ୍ଥା ବା ରିନ୍ୟୁଏବଲ ଏନର୍ଜି ନୋଡାଲ ଏଜେନ୍ସି ଗ୍ରିଡକୋ ପକ୍ଷରୁ ଏକ ପାଭିଲିଅନ ସ୍ଥାପନ କରାଯାଇଛି । ଏହି ପାଭିଲିଅନରେ ଅକ୍ଷୟ ଶକ୍ତିକୁ କିଭଳି ସମସ୍ତେ ଖୁବଶୀଘ୍ର ଆପଣାଇପାରିବେ, ସେ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି । ଏଥିସହିତ ରାଜ୍ୟରେ ଅକ୍ଷୟ ଶକ୍ତିର ବିକାଶ ନିମନ୍ତେ ଥିବା ବ୍ୟାପକ ସୁଯୋଗ ଏବଂ ଏ ଦିଗରେ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ସମ୍ପର୍କୀତ ତଥ୍ୟ ମଧ୍ୟ ପାଭିଲିଆନରେ ସ୍ଥାନ ପାଇଛି ।

ଏଥିସହିତ ଏଠାରେ ରହିଛି ଗ୍ରୀନ ହାଇଡ୍ରୋଜେନ ପ୍ଲାଣ୍ଟର ଏକ ମଡେଲ, ଯାହାଦ୍ୱାରା ହାଇଡ୍ରୋଜେନ ଭଳି ସବୁଜ ଶକ୍ତିର ବ୍ୟବହାର କରି କିପରି ବଡ଼ ବଡ ଶିଳ୍ପ କାର୍ଯ୍ୟକ୍ଷମ ହୋଇପାରିବ, ସେ ସମ୍ପର୍କରେ ଦର୍ଶଯାଇଛି । ତା ସାଙ୍ଗକୁ ରହିଛି ହାଇଡ୍ରୋଜେନ ଦ୍ୱାରା କିଭଳି ଗାଡି ମୋଟର ଆଦି ଚାଲିପାରିବ ତାର ଏକ ମଡେଲ । ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହେଲେ ବସ୍ ଗାଡି ଆଦିରୁ ଆଉ ଧୂଆଁ ନୁହଁ ପାଣି ବାହାରିବ ବୋଲି ଦର୍ଶଯାଇଛି ।

ସେହିପରି ପି.ଏମ୍ ସୂର୍ଯ୍ୟଘର ଯୋଜନାରେ କିଭଳି ଲୋକମାନେ ସୁବିଧାରେ ସୌର ଶକ୍ତି ବ୍ୟବହାର କରି ନିର୍ଧାରିତ ସମୟସୀମା ମଧ୍ୟରେ ନିଜ ବିଜୁଳି ବିଲ କୁ କମାଇପାରିବେ ବା ସମ୍ପୂର୍ଣ୍ଣ ଦେୟମୁକ୍ତ କରିପାରିବେ, ସେ ସମ୍ପର୍କରେ ଏକ ମଡେଲ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି । ଏତଦବ୍ୟତୀତ ଗ୍ରୀଡ଼କୋ ପକ୍ଷରୁ ଏକ ସ୍ୱତନ୍ତ୍ର ଆପ୍ଲିକେସନ ର ମଧ୍ୟ ବିକାଶ କରାଯାଇଛି, ଯେଉଁଥିରେ ଲୋକେ ନିଜ ଘରର ପରିସୀମା ଅଞ୍ଚଳ ଲେଖିଲେ ତାଙ୍କ ଘର ନିମନ୍ତେ କେତେ ପରିମାଣର ସୌରଶକ୍ତି ଆବଶ୍ୟକ, ସେଥିଲାଗି କେତେ ଟଙ୍କା ଖର୍ଚ୍ଚ ହେବ, ଉକ୍ତ ଖର୍ଚ୍ଚରୁ କେତେ ଟଙ୍କା କେନ୍ଦ୍ର ଓ ରାଜ୍ୟ ସରକାର ସବସିଡି ଆକାରରେ ପ୍ରଦାନ କରିବେ, ଆଉ କେତେ ବଳକା ଟଙ୍କା ଉପଭୋକ୍ତାଙ୍କୁ ଦେବାକୁ ପଡିବ ଏବଂ ଉକ୍ତ ଟଙ୍କା ପରବର୍ତ୍ତୀ ପର୍ଯ୍ୟାୟରେ କିଭଳି ଭରଣା ହୋଇପାରିବ ଇତ୍ୟାଦି ବିଷୟରେ ଜାଣିବାକୁ ମିଳୁଛି ।

ଏଥିସହିତ ଏଠାରେ ରହିଛି ପବନ ଶକ୍ତି ସମ୍ପର୍କିତ ଏକ ସୁନ୍ଦର ମଡେଲ । ପବନ ଶକ୍ତି ମାଧ୍ୟମରେ କିଭଳି 24 ଘଣ୍ଟିଆ ବିଜୁଳି ଉତ୍ପାଦନ ହୋଇପାରିବ, ସେ ସମ୍ପର୍କରେ ଏହି ମଡେଲ ମାଧ୍ୟମରେ ଲୋକଙ୍କୁ ଅବଗତ କରାଯାଉଛି ।

କେବଳ ସେତିକି ନୁହଁ, ଗ୍ରୀଡ଼କୋର ଏହି ପାଭିଲିଅନରେ ପ୍ରତିଦିନ ଚାଲିଛି କୁଇଜ୍ ଶୋ । ଯେଉଁଥିରେ ଭାଗ ନେବା ଲାଗି ବିଶେଷ କରି ଛାତ୍ରଛାତ୍ରୀ ଓ ଯୁବ ବର୍ଗ ବେଶ ଭିଡ ଜମାଉଛନ୍ତି । କୁଇଜ୍ ରେ ସଠିକ ଉତ୍ତର ଦେଉଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ମଧ୍ୟ ପ୍ରଦାନ କରାଯାଉଛି ।

ଅନ୍ୟ ଏକ ଗୁରୁତ୍ୱପୂର୍ଣ କଥା ହେଉଛି, ଏହି ପାଭିଲିଅନରେ ଭିନ୍ନ ଭିନ୍ନ ଦିନ ମାନଙ୍କରେ ଅକ୍ଷୟ ଶକ୍ତି ସମ୍ପର୍କିତ ବୈଷୟିକ ସତ୍ର ମାନ ଅନୁଷ୍ଠିତ ହେଉଛି । ଯେଉଁଥିରେ ଉଭୟ ସ୍ଥାନୀୟ ଓ ଜାତୀୟ ସ୍ତରର ନିବେଶକ, ବିଶେଷଜ୍ଞ ଓ ଗ୍ରୀଡ଼କୋ ର ବରିଷ୍ଠ କର୍ମକର୍ତ୍ତା ମାନେ ଯୋଗ ଦେଇ ଅକ୍ଷୟ ଶକ୍ତି କ୍ଷେତ୍ରରେ ରାଜ୍ୟରେ ଥିବା ଅପାର ସମ୍ଭାବନା ଓ ଏହାର ବିକାଶ ଦିଗରେ ଓଡିଶା ନବୀକରଣ ଶକ୍ତି ନୀତିର ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରୁଛନ୍ତି । ଏହି ନୀତି ମାଧ୍ୟମରେ ନିବେଶକ ମାନଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସହାୟତା ଓ ସୁବିଧା ସମ୍ପର୍କରେ ସେମାନଙ୍କୁ ଏଠାରେ ଅବଗତ କରାଯାଉଛି ।

Comments are closed.