Latest Odisha News

କମ୍ପିବ ବିଧାନସଭା…ଉଠିବ ଏସବୁ ପ୍ରସଙ୍ଗ

ଭୁବନେଶ୍ବର: ଆସନ୍ତାକାଲିଠୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ । ଏହା ପୂର୍ବରୁ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା । ଗୃହକୁ ସୁରୁଖୁରୁରେ ଚଳାଇବା ନେଇ ସବୁ ଦଳର ସହଯୋଗ ଲୋଡିଛନ୍ତି ବାଚସ୍ପତି। ତେବେ ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ହେବ ବିଧାନସଭାର ଶୀତ ଅଧିବେଶନ । ଶାସକ ବିଜେପିକୁ ଘେରିବାକୁ ପ୍ରସ୍ତୁତ ବିରୋଧୀ । ହାତରେ ପ୍ରସଙ୍ଗର ଲମ୍ବା ଚିଠା । ସେପଟେ ମୁକାବିଲା ପାଇଁ ତୟାର ବିଜେପି । ଆସନ୍ତୁ ଦେଖିବା, ବିଧାନସଭାକୁ ସରଗରମ କରିପାରେ କେଉଁ ସବୁ ପ୍ରସଙ୍ଗ ।

ହୁଲସ୍ତୁଲ କରିବ ଟାକୁଆ ଟ୍ରାଜେଡି

କନ୍ଧମାଳ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଜାଉ ଖାଇ ୩ଜଣଙ୍କ ମୃତ୍ୟୁକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଆସୁଛନ୍ତି ବିରୋଧୀ । ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ କୌଣସି ମନ୍ତ୍ରୀ ଗାଁକୁ ଯାଇନାହାନ୍ତି । ଓଲଟା ଆଦିବାସୀ ପାରମ୍ପରିକ ଖାଦ୍ୟ ଭାବେ ଆମ୍ବ ଟାକୁଆ ଜାଉ ଖାଇବା କଥା କହିଛନ୍ତି । ତେଣୁ ପ୍ରସଙ୍ଗକୁ ଜୋରଦାର ଉଠାଇବା ସହ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଦାବି କରିପାରନ୍ତି ବିରୋଧୀ ।

ଗନ୍ଧମାର୍ଦ୍ଦନ ପାଖରେ ଜମିକିଣା ପ୍ରସଙ୍ଗ

ଗନ୍ଧମାର୍ଦ୍ଦନ ପାହାଡ ପାଖରେ ଆଦାନୀ ଜମି କିଣିବା ନେଇ ସରକାରଙ୍କୁ ଜବାବ ମାଗିପାରନ୍ତି ବିରୋଧୀ । ତେବେ ସୌରଶକ୍ତି ପାଇଁ ଆଦାନୀ ଲାଞ୍ଚ ଦେବା ପ୍ରସଙ୍ଗ ବି ଉଠିପାରେ । ବିଜେଡି ସରକାର ବେଳେ ଲାଞ୍ଚ କାରବାର ନେଇ ଅଭିଯୋଗ ହୋଇଥିବା ବେଳେ ଉଭୟ ପ୍ରସଙ୍ଗ ନେଇ ଗୃହ ସରଗରମ ହୋଇପାରେ ।

ଉଠିପାରେ ଯାଜପୁର ଗଣ୍ଡଗୋଳ

ଯାଜପୁରରେ ବିଧାୟକଙ୍କୁ ଆକ୍ରମଣ ତଥା ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ଭାଇଙ୍କ ଗିରଫଦାରୀକୁ ନେଇ ମୁହାଁମୁହିଁ ହୋଇପାରନ୍ତି ଶାସକ ଓ ବିରୋଧୀ । ପୋଲିସର ଏକପାଖିଆ କାର୍ଯ୍ୟାନୁଷ୍ଠାନକୁ ବିଜେଡି ପ୍ରସଙ୍ଗ କରିପାରେ । ସେପଟେ ଏହାର ମୁକାବିଲା କରିବାକୁ ବିଜେଡି ଗୁଣ୍ଡାଗର୍ଦ୍ଦି ପ୍ରସଙ୍ଗ ଉଠାଇପାରେ ବିଜେପି ।

ବିରୋଧୀଙ୍କ ‘ଆଇନ ଶୃଙ୍ଖଳା’ ଅସ୍ତ୍ର

ବିଜେପି ସରକାରକୁ ଆସିବା ପରଠୁ ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବା ବିଜେଡି କହିଆସୁଛି । ନାବାଳିକାଙ୍କୁ ଗଣଦୁଷ୍କର୍ମ ହେଉ କି ଚୋରୀ ରାହାଜାନି, ରାଜ୍ୟରେ ବଢୁଥିବା ଅପରାଧ ଘଟଣାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିପାରନ୍ତି ବିରୋଧୀ ।

ଧାନ କିଣା କେଁ

ଧାନ କିଣାରେ ଅବ୍ୟବସ୍ଥାକୁ ବିଧାନସଭାରେ ପ୍ରସଙ୍ଗ କରିପାରେ ବିଜେଡି । କଟନି ଛଟନିଠାରୁ ଆରମ୍ଭ କରି ଧାନ କିଣା ନେଇ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରତିଶ୍ରୁତି ବିଫଳ ହୋଇଥିବା ଦଳ ଅଭିଯୋଗ କରିଆସୁଛି । ସେପଟେ ସଂକଳ୍ପ ପତ୍ର ହିସାବରେ ଚାଷୀଙ୍କୁ  ୩୧ଶହ ଟଙ୍କା ଦେଇ ଧାନ କିଣିବା ନେଇ ନିଜ ସଫଳତା ଗଣାଇପାରେ ବିଜେପି ।

ପରୀକ୍ଷା ଅନିୟମିତତାରୁ ଦରବୃଦ୍ଧି

ଆରଆଇ ଅମିନ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ନେଇ ଛାତ୍ର ଆନ୍ଦୋଳନ ଜାରି ରହିଥିବା ବେଳେ ଏହାକୁ ପ୍ରସଙ୍ଗ କରିପାରନ୍ତି ବିରୋଧୀ । ବିଜେପି ସରକାରରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ ବୃଦ୍ଧିକୁ ନେଇ ବି ବିରୋଧୀ ସମାଲୋଚନା କରୁଛନ୍ତି । ତେଣୁ ଏସବୁ ପ୍ରସଙ୍ଗକୁ ନେଇ ହୁଲସ୍ତୁଲ ହୋଇପାରେ ବିଧାନସଭା ।

ଶିଳ୍ପ ଶ୍ରେୟ ବନାମ ସ୍ଥାଣୁତା

ଉତ୍କର୍ଷ ଉତ୍କଳରେ ରାଜ୍ୟକୁ ଶିଳ୍ପ ଆଣିବା ନେଇ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଦେଖାଇପାରେ ଶାସକ ବିଜେପି । ସେପଟେ କେନ୍ଦ୍ରାପଡାରେ ପ୍ରସ୍ତାବିତ ଆର୍ସେଲର ମିତ୍ତଲ ନିପ୍ପନ କାରଖାନା ସମେତ ଅନ୍ୟ ଶିଳ୍ପ ପ୍ରକଳ୍ପକୁ ନେଇ ସରକାରଙ୍କ ସ୍ଥାଣୁତା ପ୍ରସଙ୍ଗ ଉଠାଇପାରନ୍ତି ବିରୋଧୀ ।

ରାଜ୍ୟରେ ବିଜେପି ସରକାର ଗଠନକୁ ୫ମାସ ବିତିଥିବା ବେଳେ ଏଥର ବିଧାନସଭା ଅଧିବେଶନରେ ବିରୋଧ ଆହୁରି ଜୋରଦାର ହେବ । ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ହେଉ କି ଚିକିଟି ମଦମୃତ୍ୟୁ ଘଟଣା, ତଦନ୍ତ ପ୍ରକ୍ରିୟାକୁ ନେଇ ବି ବିରୋଧୀଙ୍କ ଟାର୍ଗେଟରେ ରହିବେ ସରକାର । ବାଲିଯାତ୍ରା ଅବ୍ୟବସ୍ଥାକୁ ନେଇ ବି ସମାଲୋଚନା ହୋଇପାରେ । ସେପଟେ ସୁଭଦ୍ରା ଯୋଜନା, ଧାନକିଣା ଶ୍ରେୟ ନେଇ ନିଜ ପିଠି ଥାପୁଡାଇପାରନ୍ତି ବିଜେପି ସରକାର । ସରକାରକୁ ଘେରିବାକୁ ବିରୋଧୀ ବିଧାୟକ ଦଳ ବୈଠକରେ ରଣନୀତି କରିଛନ୍ତି ତ ଉତ୍ତର ରଖିବାକୁ ଠୋସ୍ ରଣନୀତି କରୁଛି ଶାସକ ଦଳ ।

Leave A Reply

Your email address will not be published.