ପାକିସ୍ତାନର ଶାସନ ବ୍ୟବସ୍ଥା ଏବଂ ବୈଦେଶିକ ନୀତିକୁ ନେଇ ଏକ ବଡ଼ ଦାବି ସାମ୍ନାକୁ ଆସିଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ଏକ ସାକ୍ଷାତକାରରେ ସ୍ୱୀକାର କରିଛନ୍ତି ଯେ, ଦେଶର ସେନା ବୈଦେଶିକ ନୀତି ନିର୍ଦ୍ଧାରଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ଏବଂ ନିର୍ବାଚିତ ସରକାର ସହ କ୍ଷମତା ଭାଗବଣ୍ଟା କରି ଶାସନ ଚଲାଉଛି। ରିପୋର୍ଟ ଅନୁସାରେ, ଖୱାଜା ଆସିଫ ସ୍ପଷ୍ଟ ଭାବେ କହିଛନ୍ତି ଯେ ପାକିସ୍ତାନରେ ସେନା କେବଳ ସୁରକ୍ଷା ବ୍ୟବସ୍ଥାରେ ସୀମିତ ନୁହେଁ, ବରଂ ବୈଦେଶିକ ନୀତି, ଆଞ୍ଚଳିକ ସମ୍ପର୍କ ଏବଂ କୂଟନୈତିକ ନିଷ୍ପତ୍ତିଗୁଡ଼ିକରେ ସେନାର ପ୍ରତ୍ୟକ୍ଷ ଏବଂ ନିର୍ଣ୍ଣାୟକ ହସ୍ତକ୍ଷେପ ରହିଛି। ସେ ଏହାକୁ ଏକ ସମ୍ପୂର୍ଣ୍ଣ ବାସ୍ତବତା” ବୋଲି ବର୍ଣ୍ଣନା କରିବା ସହ ଦେଶର ବର୍ତ୍ତମାନର ସ୍ଥିତିକୁ ସମ୍ଭାଳିବା ପାଇଁ ସେନା ଏବଂ ସରକାରଙ୍କ ମଧ୍ୟରେ ଏହି ମିଳିତ କ୍ଷମତା ଭାଗବଣ୍ଟା ଜରୁରୀ ବୋଲି ଦାବି କରିଛନ୍ତି।
ଏହି ବିବୃତ୍ତି ପାକିସ୍ତାନର ଗଣତାନ୍ତ୍ରିକ ଢାଞ୍ଚା ଉପରେ ପୁଣି ଥରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆନ୍ତର୍ଜାତୀୟ ସ୍ତରରେ ଦୀର୍ଘ ଦିନରୁ ଅଭିଯୋଗ ହୋଇଆସୁଥିଲା ଯେ ପାକିସ୍ତାନରେ ନିର୍ବାଚିତ ସରକାର କେବଳ ନାମକୁ ମାତ୍ର ରହିଛନ୍ତି ଏବଂ ପ୍ରକୃତ ଶାସନ ଡୋରି ରାୱଲପିଣ୍ଡିସ୍ଥିତ ସେନା ମୁଖ୍ୟାଳୟ ହାତରେ ଥାଏ। ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ପ୍ରତ୍ୟକ୍ଷ ସ୍ୱୀକାରୋକ୍ତି ସେହି ଅଭିଯୋଗକୁ ସତ୍ୟ ପ୍ରମାଣିତ କରିଛି।
ପ୍ରଧାନମନ୍ତ୍ରୀ ଶେହବାଜ ଶରୀଫଙ୍କ ସରକାରରେ ସେନାର ପ୍ରଭାବ ବୃଦ୍ଧି ପାଇବା ଏବଂ ବିଶେଷ କରି ଭାରତ, ଆମେରିକା ଓ ଆଫଗାନିସ୍ତାନ ସହ ସମ୍ପର୍କ ନିର୍ଦ୍ଧାରଣ କରିବାରେ ଆର୍ମି ଚିଫ୍ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବା ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ଜୋର ଧରିଛି।
ଏହି ବିବୃତ୍ତି ପରେ ପାକିସ୍ତାନର ଆଭ୍ୟନ୍ତରୀଣ ରାଜନୀତି ଅଧିକ ସରଗରମ ହୋଇଉଠିଛି। ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ କଠୋର ସମାଲୋଚନା କରିବା ସହ ଦେଶରେ ଗଣତନ୍ତ୍ର ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରିଛନ୍ତି।
