ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ର ରେଜଲ୍ଟ ପରେ ଉଦ୍ଧବ ଠାକରେଙ୍କ ଉପରେ ବର୍ଷିଛନ୍ତି ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରନାୱତ।
ସେ ଉଦ୍ଧବଙ୍କ ପରାଜୟକୁ ତାଙ୍କ କର୍ମର ଫଳାଫଳ ବୋଲି ବର୍ଣ୍ଣନା କରିଛନ୍ତି। ଯେଉଁମାନେ ମହିଳା ଏବଂ ଅନ୍ୟମାନଙ୍କୁ ଅପମାନ କରନ୍ତି ସେମାନଙ୍କ ଭାଗ୍ୟ ଏହା ହିଁ ହୁଏ। ଏପରିକି ସେ ଉଦ୍ଧବଙ୍କୁ ଦୈତ୍ୟ ବୋଲି ମଧ୍ଯ ବର୍ଣ୍ଣନା କରିଛନ୍ତି।
ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତଙ୍କ ମଧ୍ୟରେ ହୋଇଥିବା ବିବାଦ ୨୦୨୦ରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ବିବାଦରେ, ମୁମ୍ବାଇର କଙ୍ଗନା ରନାୱତଙ୍କ କାର୍ଯ୍ୟାଳୟରେ ବିଏମସି ଦ୍ୱାରା ଉଚ୍ଛେଦ କରାଯାଇଥିଲା। କୋର୍ଟର ହସ୍ତକ୍ଷେପ ପରେ ଏହି ଉଚ୍ଛେଦ ପ୍ରକ୍ରିୟା ବନ୍ଦ ହୋଇଥିଲା।
ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ସର୍ବାଧିକ ୧୩୨ ଆସନରେ ଜିତିଛି। ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟ ୨୩୫ ଆସନ ହାସଲ କରି ବିରୋଧୀ ମେଣ୍ଟ ପରାଜିତ ହୋଇଥିଲା।