ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ମେଗା ନିଲାମରେ ରାଜସ୍ଥାନ ରୟାଲ୍ସ ୧କୋଟି ୧୦ ଲକ୍ଷ ଟଙ୍କାରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରେ ନେଇଛି । ୧୩ ବର୍ଷୀୟ ବୈଭବ ଏବେ ରାତାରାତି ଷ୍ଟାର ପାଲଟି ଯାଇଛି । ତେବେ ତାଙ୍କ ବୟସକୁ ନେଇ ସୋସିଆଲ ମିଡିଆରେ ବିବାଦ ସୃଷ୍ଟି ହୋଇଛି । ଏପରିକି ତାଙ୍କ ଉପରେ ପୂର୍ବରୁ ଏଜ ଫ୍ରଡ ମାମଲା ରୁଜୁ ହୋଇଛି ବୋଲି ଖବର ପ୍ରକାଶ ପାଇଛି । କିଛି ଦିନ ତଳେ ଏକ ସାକ୍ଷାତକାରରେ ବୈଭବ ତାଙ୍କର ଯେଉଁ ବୟସ କହିଥିଲେ ତାହା ବିଚାରକୁ ନେଲେ ଏବେ ତାଙ୍କୁ ୧୫ ବର୍ଷ ହେବ । ସେ ସମୟରେ ବୈଭବ କହିଥିଲେ, ସେପ୍ଟେମ୍ବର ୨୦୨୩ରେ ମୋତେ ୧୪ ବର୍ଷ ହୋଇଯିବ । ସେବେଠାରୁ ତାଙ୍କ ବୟସକୁ ନେଇ ବିବାଦ ଚାଲିଛି ।
ଗତ ବର୍ଷ ଜାନୁୟାରୀରେ ସେ ରଣଜୀ ପଦାର୍ପଣ କରିଥିଲେ । ଏବେ ବୈଭବ ସୂର୍ଯ୍ୟବଂଶୀଙ୍କ ବାପା ସଞ୍ଜୀବ ସୂର୍ଯ୍ୟବଂଶୀ ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି । ବୈଭବଙ୍କୁ ଯେତେବେଳେ ୮ ବର୍ଷ ହୋଇଥିଲା ସେବେଠାରୁ ବିସିସିଆଇ ବୋନ ଟେଷ୍ଟ ପରୀକ୍ଷଣ ଦେଇ ଆସୁଛନ୍ତି । ୧୯ ବର୍ଷରୁ କମ ଭାରତୀୟ ଟିମରେ ମଧ୍ୟ ସେ ପଦାର୍ପଣ କରିଛନ୍ତି । ବୟସ ବିବାଦ ନେଇ ଆମେ ଚିନ୍ତିତ ନୁହେଁ । ଆବଶ୍ୟକ ପଡିଲେ ବୈଭବର ପୂନର୍ବାର ଟେଷ୍ଟ ପାଇଁ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ବୋନ ଟେଷ୍ଟ ମାଧ୍ୟମରେ ଜଣେ ଖେଳାଳିର ପ୍ରକୃତ ବୟସ ଚିହ୍ନଟ କରାଯାଇଥାଏ ।