ଆଇସିସି ଟି-୨୦ ରାଙ୍କିଙ୍ଗରେ ଈଶାନ କିଷନଙ୍କ ଐତିହାସିକ ସଫଳତା
ଅଭିଷେକଙ୍କୁ ପଛରେ ପକାଇ ଈଶାନ ହେଲେ ବିଶ୍ୱର ନମ୍ବର ୱାନ୍ ବ୍ୟାଟର
ମୁମ୍ବାଇ: ଟି-୨୦ କ୍ରିକେଟ୍ରେ ଏବେ ଟିମ୍ ଇଣ୍ଡିଆର ଦବ୍ଦବା। ଆଇସିସିର ନୂଆ ଟି-୨୦ ମାନ୍ୟତାରେ ପ୍ରଥମ ଥର ପାଇଁ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ଈଶାନ କିଷନ। ଦୀର୍ଘ ସମୟ ଧରି ନମ୍ବର-୧ ସ୍ଥାନରେ ଥିବା ଅଭିଷେକ ଶର୍ମା ଏବେ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି। ତେବେ ଖୁସିର କଥା ହେଉଛି, ଉଭୟ ଭାରତୀୟ ବ୍ୟାଟରଙ୍କ ମଧ୍ୟରେ ମାତ୍ର ୭ ରେଟିଂ ପଏଣ୍ଟର ବ୍ୟବଧାନ ରହିଛି।
ଈଶାନଙ୍କୁ ଏହି ବଡ଼ ସଫଳତା ସେମିତି ମିଳିନାହିଁ। ନିକଟରେ ଶେଷ ହୋଇଥିବା ଟି-୨୦ ୱାର୍ଲ୍ଡ କପ୍ ଏବଂ ଆୟରଲ୍ୟାଣ୍ଡ ବିପକ୍ଷ ବେଲଫାଷ୍ଟ ସିରିଜ୍ରେ ତାଙ୍କର ବିସ୍ଫୋରକ ବ୍ୟାଟିଂର ଏହା ହେଉଛି ପୁରସ୍କାର। ବିଶ୍ୱକପ୍ରେ ଈଶାନ ପ୍ରାୟ ୨୦୦ ଷ୍ଟ୍ରାଇକ୍ ରେଟ୍ରେ ବ୍ୟାଟିଂ କରି ୩୧୭ ରନ୍ ସଂଗ୍ରହ କରିଥିଲେ। ବିଶେଷ କରି କଲମ୍ବୋରେ ପାକିସ୍ତାନ ବିପକ୍ଷରେ ସେ ଖେଳିଥିବା ମ୍ୟାଚ୍ ବିଜୟୀ ଇନିଂସ ଫ୍ୟାନ୍ସଙ୍କ ମନରେ ସଦା ସର୍ବଦା ପାଇଁ ରହିବ, ଯେଉଁଥିପାଇଁ ସେ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ହୋଇଥିଲେ।
ଲଗାତାର ଦମଦାର ପ୍ରଦର୍ଶନ ବଳରେ ଈଶାନ କିଷନ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ଆଇସିସି ରେଟିଂ ହାସଲ କରିଛନ୍ତି। ବିଶ୍ୱର ଟପ୍-୨ ସ୍ଥାନରେ ଦୁଇ ଭାରତୀୟ ବ୍ୟାଟର ରହିବା ପ୍ରମାଣ କରୁଛି ଯେ ଟିମ୍ ଇଣ୍ଡିଆର ବ୍ୟାଟିଂ ଲାଇନ୍ଅପ୍ ଏବେ କେତେ ଶକ୍ତିଶାଳୀ।
ଈଶାନ କିଷନଙ୍କର ଏହି ଐତିହାସିକ ସଫଳତା ପାଇଁ ସାରା ଦେଶରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଆଶା କରାଯାଉଛି ଆଗାମୀ ଦିନରେ ମଧ୍ୟ ସେ ନିଜର ଏହି ଜଲୱା ବଜାୟ ରଖିବେ।
Comments are closed.