Latest Odisha News

କାକଟପୁରର ମା’ ମଙ୍ଗଳା ଓ ମୟୂରଭଞ୍ଜର କୀଚକେଶ୍ବରୀ ମନ୍ଦିରକୁ ନେଇ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି

ଭୁବନେଶ୍ବର: ପୁରୀ ଜିଲ୍ଲା କାକଟପୁର ସ୍ଥିତ ମା’ ମଙ୍ଗଳା ମନ୍ଦିର ଏବଂ ମୟୂରଭଞ୍ଜ ଜିଲ୍ଲା ଖିଚିଂରେ ଥିବା ମା’ କୀଚକେଶ୍ବରୀ ମନ୍ଦିରକୁ ନେଇ ରାଜ୍ୟ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ‘ତୀର୍ଥଯାତ୍ରା କାୟାକଳ୍ପ ଏବଂ ଆଧ୍ୟାତ୍ମିକ ସମ୍ବର୍ଦ୍ଧନ ଅଭିଯାନ’ (ପ୍ରସାଦ) ଯୋଜନାରେ ଏହି ଦୁଇ ପ୍ରାଚୀନ ମନ୍ଦିରର ଉନ୍ନତିକରଣ ହେବ ।

ଏନେଇ ମୟୂରଭଞ୍ଜ ଏବଂ ପୁରୀ ଜିଲ୍ଲାପାଳଙ୍କୁ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସମର୍ଥ ବର୍ମା ଚିଠି ଲେଖିଛନ୍ତି ।

ପର୍ଯ୍ୟଟନ ବିଭାଗ ପକ୍ଷରୁ ଦୁଇ ମନ୍ଦିରର ସାମଗ୍ରିକ ବିକାଶ ପାଇଁ ସ୍ବତନ୍ତ୍ର ନକ୍ସା ପ୍ରସ୍ତୁତ ସରିଛି । ପ୍ରସାଦ ଯୋଜନା ଜରିଆରେ ଉନ୍ନତିକରଣ କାମ କରାଯିବ । ଏନେଇ କେନ୍ଦ୍ର ପର୍ଯ୍ୟଟନ ବିଭାଗକୁ ପ୍ରସ୍ତାବ ଦିଆଯିବ । ସେଥିପାଇଁ ସଂପୃକ୍ତ ଅଧିକାରୀଙ୍କ ଠାରୁ ଆପତ୍ତିବିହୀନ ପ୍ରମାଣପତ୍ରର ଆବଶ୍ୟକତା ରହିଛି । ପ୍ରସ୍ତାବିତ ଲେ-ଆଉଟ ଯୋଜନା ସହ ସବିଶେଷ ତଥ୍ୟ ଜିଲ୍ଲାପାଳଙ୍କୁ ଦିଆଯାଇଛି ।

ଜିଲ୍ଲାପାଳ ଏନଓସି ପ୍ରଦାନ କଲେ ଏହି କାର୍ଯ୍ୟ ଆଗେଇବ । ଏନଓସି ଦେବାକୁ ଦୁଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପର୍ଯ୍ୟଟନ ନିର୍ଦ୍ଦେଶକ । ଏନେଇ ପର୍ଯ୍ୟଟନ ବିଭାଗ ପକ୍ଷରୁ କାର୍ଯ୍ୟାନ୍ବୟନ ଆରମ୍ଭ ହୋଇଛି ।

Leave A Reply

Your email address will not be published.