Latest Odisha News

BREAKING NEWS

ଚୋରି ପରେ ଗ୍ରୋସରୀ ଦୋକାନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ବାଲେଶ୍ୱର: ସୋର ଥାନା ଅନ୍ତର୍ଗତ ସିଙ୍ଗାଖୁଣ୍ଟା ବଜାରରେ ଥିବା ଗ୍ରୋସରୀ ଦୋକାନରେ ନିଆଁ ଲାଗିଯାଇଛି। ଗ୍ରୋସରୀ ଦୋକାନରେ ଥିବା ଅନେକ ସାମଗ୍ରୀ ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି। ନିଆଁରେ ଜଳିଗଲା ୫୦ ଲକ୍ଷ ଟଙ୍କାର ସାମଗ୍ରୀ । ଦୁର୍ବୃତ୍ତମାନେ ସଟରକାଟି ନିଆଁ ଲଗାଇଦେଇଥିବା ମାଲିକ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ ଗୁଜଡ଼ିହା ଗାଁର ଉପେନ୍ଦ୍ର ଦୀକ୍ଷିତ ଦୀର୍ଘଦିନ ଧରି ଏହି ବଜାରରେ ଏକ ବଡ ଗ୍ରୋସରୀ ଦୋକାନ କରିଥିଲେ। ପ୍ରତିଦିନ ଭଳି ଗତକାଲି ଦୋକାନ ବନ୍ଦ ଘରକୁ ଯାଇଥିଲେ। ମାତ୍ର ବିଳମ୍ବିତ ରାତିରେ ଚୋର ମାନେ ଦୋକାନରେ ପଶି ଚୋରି କରିବାକୁ ଉଦ୍ୟମ କରି ଦୋକାନର ସଟରକୁ ଗ୍ୟାସ କଟରରେ କାଟିଥିଲେ। ଏହି ସମୟରେ ଦୋକାନରୁ ଚୋରି କରିବା ସହିତ ନିଆଁ ଲଗାଇଦେଇଥିଲେ।

ସ୍ଥାନୀୟ ଲୋକେ ଜାଣିପାରି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିବା ସହିତ ସୋର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀ ଗୋଟିଏ ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ସେତେବେଳକୁ ଦୋକାନଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଥିଲା। ଏଥିରେ ୫୦ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି ।

ଏନେଇ ସୋର ଥାନାରେ ଏତଲା ଦେଇଛନ୍ତି। ଗ୍ରୋସରୀ ଦୋକାନ ନିକଟରେ ଥିବା ଏକ ଇଲେକ୍ଟ୍ରିକ ଦୋକାନରେ ମଧ୍ୟ ନିଆଁ ଲାଗି କିଛି ଜିନିଷ ପତ୍ର ପୋଡ଼ିଯାଇଛି। ଗତ ୨୨ ତାରିଖରେ ଗ୍ରୋସରୀ ଦୋକାନ ମାଲିକଠାରୁ ଟଙ୍କା ଓ ମୋବାଇଲ ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା।

Comments are closed.