ନୂଆଦିଲ୍ଲୀ: ବାଂଲାଦେଶରେ ଦିନ କୁ ଦିନ ବଢିବାରେ ଲାଗିଛି ହିନ୍ଦୁମାନଙ୍କ ପରିସ୍ଥିତି । ଦେଶରେ ମହମ୍ମଦ ୟୁନୁସ ସରକାର ଗଠନ ହେବାର ଇତି ମଧ୍ୟରେ ପ୍ରାୟ ୪ ମାସ ବିତିଗଲାଣି । ଏହି ନୂତନ ସରକାରଙ୍କ ଗଠନ ପରେ କିଛି ସଂଗଠନର ଅତ୍ୟାଚାର ମଧ୍ୟ ବୃଦ୍ଧି ପାଇଛି। ଯେଉଁ ସଂଗଠନ ଉପରେ ଶେଖ ହସିନା ପ୍ରତିବନ୍ଧକ ଲଗଇଥିଲେ ଏବେ ସେମାନଙ୍କ ଅତ୍ୟାଚାର ବଢିବାରେ ଲାଗିଛି ଏବଂ ସେମାନେ ହିନ୍ଦୁ ମାନଙ୍କର ସବୁଠାରୁ ବଡ ଶତୃ ପାଲଟିଯାଇଛନ୍ତି । ଢାକା ସମେତ ବାଂଲାଦେଶର ବିଭିନ୍ନ ଅଞ୍ଚଳରେ ଏହି ସଂଗଠନ ହିନ୍ଦୁଙ୍କ ଉପରେ ଆକ୍ରମଣ କରିବାରେ ଲାଗିଛନ୍ତି । ଏଥିସହ ଲଗାତାର ଭାବରେ ହିନ୍ଦୁ ମନ୍ଦିର ଉପରେ ମଧ୍ୟ ଆକ୍ରମଣ କରୁଛନ୍ତି । ଗତ କିଛି ଦିନ ଭିତରେ ଉକ୍ତ ସଂଗଠନ ଲୋକନାଥ ମନ୍ଦିର, ମନସା ମାତା ମନ୍ଦିର ଏବଂ ହଜାରୀ ଲେନରେ ଥିବା କାଳୀ ମାତା ମନ୍ଦିର ଉପରେ ଆକ୍ରମଣ କରିବା ପରେ ଗତକାଲି ସଂନ୍ଧ୍ୟା ପ୍ରାର୍ଥନା ପରେ ସେଠାରେ ଥିବା ଏଠାରେ ଆଉ ଦୁଇଟି ମନ୍ଦିର, ରାଧା ଗୋବିନ୍ଦା ଏବଂ ଶାନ୍ତେଶ୍ୱରୀ ମନ୍ଦିରକୁ ଟାର୍ଗେଟ କରିଛନ୍ତି।
ଅନ୍ୟପଟେ ଭଏସ୍ ଅଫ୍ ବାଂଲାଦେଶ ହିନ୍ଦୁଙ୍କ ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରାଯାଇଛି ଯେଉଁଥିରେ ଯୁବକ ଜଣକ ମନ୍ଦିରକୁ ଯିବାବେଳେ ତାଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି।ଭିଡିଓରେ ଦେଖିବାକୁ ମିଳିଛି, ସମ୍ପୃକ୍ତ ଯୁବକଙ୍କୁ କାନ ଧରି ଉଠବସ୍ ହେବାକୁ ବାଧ୍ୟ କରାଯାଉଥିବା ବେଳେ ସମସ୍ତଙ୍କୁ ଭୁଲ୍ ମାଗିବାକୁ ବି କୁହାଯାଇଛି। କେବଳ ସେତିକି ନୁହେଁ, ଅଧିକ ଥର ଉଠବସ୍ ହେବାକୁ ବି ଧମକ ଦେବାକୁ ପଛାଉ ନ ଥିବା ଭିଡିଓରେ ଦେଖିବାକୁ ମିଳିଛି।
ସେପଟେ ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ହୋଇଥିବା ହିଂସା ପ୍ରସଙ୍ଗରେ ଭାରତ ସରକାର ଚିନ୍ତା ପ୍ରକଟ କରିଛନ୍ତି । ଲୋକସଭାରେ ଏନେଇ ବୟାନ ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର । ଜୟଶଙ୍କର କହିଛନ୍ତି ଯେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ କେନ୍ଦ୍ର ସରକାର ଗମ୍ଭୀରତାର ସହ ନେଇଛନ୍ତି ଏବଂ ବାଂଲାଦେଶ ସରକାରଙ୍କୁ ନିଜର ଚିନ୍ତା ଜଣାଇଛନ୍ତି। ବାଂଲାଦେଶରେ ସଂଖ୍ୟାଲଘୁଙ୍କ ସୁରକ୍ଷା ବାଂଲାଦେଶ ସରକାରଙ୍କ ଦାୟିତ୍ୱ ।
ସୂଚନାଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ପରେ ବାଂଲାଦେଶରେ ବ୍ୟାପକ ରାଜନୈତିକ ହିଂସା ଲାଗି ରହିଛି । ସଂଖ୍ୟାଲଘୁ ଅଧିକାରକୁ ନେଇ ଅସନ୍ତୋଷ ତେଜିଛି। ଏପରିକି ସଂଖ୍ୟାଲଘୁଙ୍କ ଘର ଓ ବ୍ୟବସାୟିକ ପ୍ରତିଷ୍ଠାରୁ ଲୁଟ କରାଯିବା ସହ ସେମାନଙ୍କ ପ୍ରତିଷ୍ଠାନରେ ପୋଡ଼ାଜଳ କରାଯାଉଥିବା ଜଣାପଡିଛି । ବିଭିନ୍ସ ହିନ୍ଦୁ ମନ୍ଦିର ସହ ଦେବାଦେବୀଙ୍କ ପ୍ରତିମୂର୍ତ୍ତିଗୁଡ଼ିକୁ ଭଙ୍ଗାଯାଉଛି । ଏପରିକି ହିନ୍ଦୁ ମାନେ ଘରୁ ବାହାରିଲେ କି ମନ୍ଦିର ଗଲେ ତାହାକୁ ବିରୋଧ କରାଯାଉଛି।