Latest Odisha News

୮ମ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ସମ୍ମାନ; ସମ୍ମାନିତ ହେଲେ ୧୦ ଲେଖକ

ଭୁବନେଶ୍ବର: ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ୮ମ ଯୁବ ଲେଖକ ସମ୍ମାନ ପ୍ରଦାନ କରାଯାଇଛି । ଚଳିତ ବର୍ଷ ପାଇଁ ୧୦ ଜଣ ଲେଖକ ସେମାନଙ୍କ ଅପ୍ରକାଶିତ ପାଣ୍ଡୁଲିପି ନିମନ୍ତେ ଏହି ସମ୍ମାନ ଗ୍ରହଣ କରିଛନ୍ତି ।

କବିତା ପାଣ୍ଡୁଲିପି ‘ମତେ ଖୋଜୁଛ କି ଈଶ୍ବର’ ନିମନ୍ତେ ବରଗଡ଼ର ଜିନାତମାମ୍‌ ଦର୍ଜୀ, କବିତା ପାଣ୍ଡୁଲିପି ‘ଦେଶ ଓ ଦେହ’ ପାଇଁ ଝାରସୁଗୁଡ଼ାର କହ୍ନେଇ ସାହୁ, କବିତା ପାଣ୍ଡୁଲିପି ‘ଭାବନା କୁହୁକ’ ପାଇଁ ସୁନ୍ଦରଗଡ଼ର ବୈଜୟନ୍ତୀ କର, କବିତା ପାଣ୍ଡୁଲିପି ‘ସାବାଳିକା’ ପାଇଁ ନୟାଗଡ଼ର ବିଶ୍ବ ମହାପାତ୍ର, ଗଳ୍ପ ପାଣ୍ଡୁଲିପି ‘କାଗଜ ବାଘ’ ପାଇଁ ଢେଙ୍କାନାଳର ରଶ୍ମିତା ବେହେରା, ଗଳ୍ପ ପାଣ୍ଡୁଲିପି ‘ଏକ୍ସ ବୟଫ୍ରେଣ୍ଡ୍‌ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ଯାଜପୁରର ଅନୀତା ଦାସ, ଗଳ୍ପ ପାଣ୍ଡୁଲିପି ‘ଇନ୍ଦ୍ରଧନୁ’ ପାଇଁ ସମ୍ବଲପୁରର ସତ୍ୟରଞ୍ଜନ ସାହୁ, ଗଳ୍ପ ପାଣ୍ଡୁଲିପି ‘ଦର୍ପଣ’ ପାଇଁ ଜଗତସିଂହପୁରର ରୋଜାଲିନ୍‌ ମୁଦୁଲି, ଗଳ୍ପ ପାଣ୍ଡୁଲିପି ‘ଈଶ୍ବରଙ୍କ ଭାଷା ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ କେନ୍ଦୁଝରର ଅମିତ୍ କୁମାର ସାହୁ ଓ ଇଂରାଜୀ ଗଳ୍ପ ପାଣ୍ଡୁଲିପି ‘ହ୍ବିସ୍ପର୍‌ସ ଥ୍ରୋ ଦ ହ୍ବାଇଟ୍‌ କୋଟ୍’ ପାଇଁ ମୟୂରଭଞ୍ଜର ଶାଶ୍ବତ ଅଭିଜ୍ଞାନମ୍‌ ୨୦୨୪ ନିମନ୍ତେ ଏହି ସମ୍ମାନ ଗ୍ରହଣ କରିଛନ୍ତି।

ରବିବାର (୧ ଡିସେମ୍ବର) ପୂର୍ବାହ୍ନରେ ସ୍ଥାନୀୟ ହୋଟେଲ ଶୀତଳ ସଭାକକ୍ଷରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶିଷ୍ଟ କଥାଶିଳ୍ପୀ ତରୁଣକାନ୍ତି ମିଶ୍ର କହିଥିଲେ ଯେ ନିଜ ସୃଜନର ଦୁର୍ବଳତା ଖୋଜିବା ଜଣେ ସୁଲେଖକର ଲକ୍ଷଣ। ଗୋଟିଏ ଭଲ ଗଳ୍ପ ବା ଭଲ କବିତା ଲେଖାହେବା ଆଗରୁ ଅନେକ ଦୁର୍ବଳ ଲେଖାକୁ ଜଳାଞ୍ଜଳି ଦେବାକୁ ହୋଇଥାଏ। ଯିଏ ନିଜ ଲେଖାକୁ ପ୍ରତ୍ୟାଖ୍ୟାନ କରିବା ଶିଖିଯିବ ସେ ନିଶ୍ଚୟ ଉଚ୍ଚକୋଟିର ସାହିତ୍ୟ ସର୍ଜନା କରିପାରିବ ବୋଲି ଶ୍ରୀ ମିଶ୍ର ମତ ଦେଇଥିଲେ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀ ଗୌରହରି ଦାସ କହିଥିଲେ ଯେ ସାହିତ୍ୟରେ ପ୍ରାପ୍ତିର ଆଶା ରହିବା ମନ୍ଦନୁହେଁ। କିନ୍ତୁ ସୃଜନ କର୍ମଠାରୁ ପ୍ରାପ୍ତିର ଆତୁରତା ବଢ଼ିଗଲେ ଅଡ଼ୁଆ। ସୁଲୁସୁଲିଆ ପବନରେ ଦୀପ ଉଜ୍ଜ୍ବଳି ଉଠେ, କିନ୍ତୁ ପବନ ତୀବ୍ର ହେଲେ ଦୀପ ଲିଭଯାଏ। ପ୍ରାପ୍ତିର ଆଶା ବଢ଼ିଗଲେ ସୃଜନ ଦୀପ ଲିଭିଯିବ ବୋଲି ଶ୍ରୀ ଦାସ କହିଥିଲେ।

ଉତ୍ସବରେ ସଭାପତିତ୍ବ କରି ପେନ୍‌ ଇନ୍‌ ବୁକ୍ସର ନିର୍ଦ୍ଦେଶକ ତଥା କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା କହିଥିଲେ ଯେ ସାହିତ୍ୟ ଦୌଡ଼ ପ୍ରତିଯୋଗିଦା ନୁହେଁ; ଏଥିରେ ହାର ଜିତ ନାହିଁ କି କେହି ଶ୍ରେଷ୍ଠ ବା କେହି ଦୁର୍ବଳ ନୁହଁନ୍ତି। ଜଣକ ଦୃଷ୍ଟିରେ ଯାହା ଚମତ୍କାର ସୃଜନ ଅନ୍ୟ ଜଣକ ଦୃଷ୍ଟିରେ ତାହା ମାମୁଲି ହୋଇପାରେ। ଯେଉଁ ଲେଖା ଜଣେ ପାଠକକୁ ଅଭିଭୁତ କରେ ଅନ୍ୟ ଜଣକୁ ତାହା ନିରାଶ କରିପାରେ। ରୁଚିବୋଧ ଅନୁସାରେ ସାହିତ୍ୟର ମାନ ବଦଳିଯାଏ। କିନ୍ତୁ କିଛି ଲେଖା ଥାଏ ଯାହା ସମସ୍ତଙ୍କୁ ଭଲ ଲାଗିଥାଏ ବୋଲି ସେ କହିଥିଲେ। ସମ୍ମାନ ପାଇନଥିବା ଲେଖକମାନେ ଅନୁରୂପ ଭାବେ ଯୋଗ୍ୟ ବୋଲି ସେ ମତ ଦେଇଥିଲେ। କବି ପବିତ୍ର ମୋହନ କର ମଞ୍ଚ ପରିଚାଳନା କରିଥିଲେ।

ଏ ଅବସରରେ ଚଳିତ ବର୍ଷର ବିଚାରକ କବି ରକ୍ଷକ ନାୟକ ଓ କଥାଶିଳ୍ପୀ ଶକ୍ତି ମହାନ୍ତି ବକ୍ତବ୍ୟ ରଖିଥିଲେ। ସମ୍ମାନ ପ୍ରଦାନ ପରେ ଯୁବ ଲେଖକମାନେ ନିଜର ମନକଥା ବଖାଣିଥିଲେ। ଉତ୍ସବରେ ୨୦୨୩ ମସିହାରେ ସମ୍ମାନିତ ହୋଇଥିବା ଯୁବ ଲେଖକମାନଙ୍କର ପୁସ୍ତକଗୁଡ଼ିକ ଉନ୍ମୋଚିତ ହୋଇଥିଲା। ଚଳିତ ବର୍ଷ ସମ୍ମାନିତ ହୋଇଥିବା ଲେଖକଙ୍କ ପାଣ୍ଡୁଲିପିଗୁଡ଼ିକ ଆସନ୍ତା ବର୍ଷ ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ପ୍ରକାଶ ପାଇବ।

୨୦୧୭ ମସିହାଠାରୁ ପ୍ରତିବର୍ଷ ୪୦ ବର୍ଷ ବା ତହିଁରୁ କମ୍‌ ବୟସର ୧୦ ଜଣ ଯୁବ ଲେଖକଙ୍କୁ ଏହି ସମ୍ମାନ ଦିଆଯାଉଛି। ୨୦୨୪ ମସିହା ପାଇଁ ମୋଟ ୫୨ଟି ପାଣ୍ଡୁଲିପି ଗ୍ରହଣ କରାଯାଇଥିବାବେଳେ ବିଚାରକ ମଣ୍ଡଳୀ ଦ୍ବାରା ୧୦ ପାଣ୍ଡୁଲିପିକୁ ଚୟନ କରାଯାଇଛି। ଯୁବ ପିଢ଼ିର ଲେଖକଙ୍କୁ ସ୍ବୀକୃତି ଦେବା ଓ ପ୍ରକାଶିତ କରିବା ସହ ବୃହତ୍ତର ପାଠକ ଗୋଷ୍ଠୀ ସହ ଯୋଡ଼ିବା ଏ ସମ୍ମାନର ଉଦ୍ଦେଶ୍ୟ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

Leave A Reply

Your email address will not be published.