ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡ ଦିବାରାତ୍ର ଟେଷ୍ଟ ପୂର୍ବରୁ ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ଇଂଲଣ୍ଡ-ନ୍ୟୁଜିଲାଣ୍ଡ ପ୍ରଥମ କ୍ରିକେଟ ଟେଷ୍ଟରେ ଧୀମା ବୋଲିଂ ହାର ନେଇ ଉଭୟ ଟିମ ଆଇସିସି ଦ୍ୱାରା ଦଣ୍ଡିତ ହୋଇଛନ୍ତି । ଯାହା ଫଳରେ ଭାରତର ଫାଇନାଲ ପ୍ରବେଶ ରାସ୍ତା କିଛି ମାତ୍ରାରେ ସହଜ ହୋଇଛି । ଧୀମା ବୋଲିଂ ହାର ନେଇ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡର ୧୫ ପ୍ରତିଶତ ମ୍ୟାଚ ଫି କଟାଯାଇଛି । ଏହା ବ୍ୟତୀତ ଡବ୍ଲ୍ୟୁଟିସିର ୩ ପଂଏଟ ଲେଖାଏଁ କଟାଯାଇଛି ।
ଭାରତୀୟ ଟିମକୁ ଏବେ ଫାଇନାଲରେ ପ୍ରବେଶ ପାଇଁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ୪ ବଦଳରେ ୩ ମ୍ୟାଚ ଜିତିବାକୁ ପଡିବ । ପର୍ଥ ଟେଷ୍ଟରେ ଟିମ ଇଣ୍ଡିଆ ବିଜୟ ହାସଲ କରିଥିବାରୁ ଏବେ ଆଉ ୨ଟି ମୁକାବିଲା ଜିତିବାକୁ ପଡିବ । ଭାରତ ଏବେ ୧୫ ମ୍ୟାଚରୁ ୯ ବିଜୟ, ୫ ପରାଜୟ ଓ ୧ ଡ୍ର ସହ ୧୧୦ ପଂଏଟ ପାଇ ଶୀର୍ଷରେ ରହିଛି । ଦଳର ପଂଏଟ ପ୍ରତିଶତ ୬୧.୧୧ ରହିଛି । ପଂଏଟ ଟେବୁଲରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି ।
ଭାରତ ୩-୨ରେ ଅଷ୍ଟ୍ରେଲିଆ ନିକଟରୁ ହାରିଲେ ମଧ୍ୟ ଅଷ୍ଟ୍ରେଲିଆ-ଶ୍ରୀଲଙ୍କା ବିପକ୍ଷ ସିରିଜରେ ଗୋଟିଏ ମ୍ୟାଚ ଡ୍ର ରହିଲେ ଭାରତ ଫାଇଦାରେ ରହିବ । ସିରିଜ ୨-୨ରେ ଡ୍ର ରହିଲେ ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ଅନ୍ୟ ମ୍ୟାଚର ମୁକାବିଲା ଉପରେ ନିର୍ଭର କରିବାକୁ ପଡିବ । ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କାକୁ ଦ୍ୱିତୀୟ ଟେଷ୍ଟରେ ହରାଇବାକୁ ପଡିବ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଶ୍ରୀଲଙ୍କା ସିରିଜ ବିଜୟ ହେଲେ ଭାରତ ଫାଇନାଲକୁ ଯାଇପାରିବ ।