Latest Odisha News

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ସାନଘାଗରା, ଅଶାନ୍ତ ମନକୁ କରିଦିଏ ଶାନ୍ତ

କେନ୍ଦୁଝର: ବଣ ପାହାଡ ଘେରା ଓଡ଼ିଶାର କେନ୍ଦୁଝର ଜିଲ୍ଲା । ଏହି ଜିଲ୍ଲା ପାହାଡ ଆଉ ଘଞ୍ଚ ବନାନୀରେ ଭରପୁର । ଖାଲି ସେତିକି ନୁହେଁ ଜିଲ୍ଲାର ଦୁଇ ପ୍ରମୁଖ ନଦୀ ସାଳନ୍ଦୀ ଓ ବୈତରଣୀ ନଦୀ ଶଯ୍ୟାରେ ଅଛି ଅନେକ ଜଳପ୍ରପାତ ଏବଂ ଝରଣା । ଯାହାକି ଜିଲ୍ଲା ତଥା ରାଜ୍ୟରେ ମଧ୍ୟ ବେସ ପ୍ରସିଦ୍ଧ । କେନ୍ଦୁଝର ସହରର ଏକ ମୁଖ୍ୟ ଆକର୍ଷଣ ଏହାର ରାଜବାଟୀ । ରାଜମହଲ ଏବଂ ଏହା ପାଖରେ ଥିବା ପ୍ରାଚୀନ ପୁଷ୍କରିଣୀ ଅନେକ ଐତିହାସିକ ଘଟଣାର ମୂକ ସାକ୍ଷୀ । କେନ୍ଦୁଝର ସହର ଆଖପାଖରେ ରହିଛି ଏପରି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଯାହାକୁ ଦେଖିବାକୁ ବର୍ଷ ସାରା ଜିଲ୍ଲାରେ ଲାଗେ ପର୍ଯ୍ୟଟକଙ୍କ ଭିଡ । ଏଗୁଡିକ ବୁଲି ଦେଖିବା ପାଇଁ ବର୍ଷର ସବୁ ସମୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳେ ।

କେନ୍ଦୁଝର ସହର ନିକଟରେ ରହିଛି ଦୁଇଟି ଆକର୍ଷଣୀୟ ଜଳପ୍ରପାତ । ସାନଘାଗରା ଏବଂ ବଡ ଘାଗରା । କେନ୍ଦୁଝର ସହରଠାରୁ ବାହାରି ସମ୍ବଲପୁର ଜାତୀୟ ରାଜପଥରେ ପ୍ରାୟ ୬ କିଲୋମିଟର ଦୂର ଯିବା ପରେ ପଡିବ ସାନ ଘାଗରା ଜଳପ୍ରପାତ । ଏହିପରି କିଛି ବାଟ ଗଲାପରେ ପଡିବ ଜୁଡିଆ ପାହାଡ । ପାହାଡିଆ ରାସ୍ତାରେ ଯିବାବେଳେ ଆପଣ ଦେଖିପାରିବେ ପାହାଡ ଏବଂ ଜଙ୍ଗଲର ଏକ ସୁନ୍ଦର ଦୃଶ୍ୟ । ଜଳପ୍ରପାତଟି ଜାତୀୟ ରାଜପଥରୁ ଅଳ୍ପଦୂରରେ ଅବସ୍ଥିତ । ତେବେ ଜଳପ୍ରପାତରେ ପ୍ରବାହିତ ହେଉଥିବା ପାଣି ବହି ପାହାଡ ତଳେ ଏକ ଛୋଟ ଜଳାଶୟରେ ଜମା ହୁଏ। ଏହି ଜଳାଶୟରେ ବୋଟିଂ ବ୍ୟବସ୍ଥା ମଧ୍ୟ ରହିଛି । ଜଳାଶୟ ଦେଇ କିଛିବାଟ ଚାଲି ଚାଲି ଗଲେ ଆପଣମାନେ ପହଞ୍ଚିବେ ସାନଘାଗରା ଜଳପ୍ରପାତରେ । ମାଛ କାନ୍ଦଣା ନାମକ ନଦୀର ଧାର ପ୍ରବାହିତ ହେଉଛି ପ୍ରାୟ ୧୦୦ ଫୁଟ ଉଚ୍ଚତାରୁ । ଦେଖିବାକୁ ବେଶ୍ ସୁନ୍ଦର ସେ ପରିବେଶ ।

ଚିରସ୍ରୋତା ଜଳପ୍ରପାତ ସବୁଜିମା ଭରା ସାଙ୍ଗକୁ ଉଚ୍ଚ ପର୍ବତ ଶିଖର ଓ ଝରଣାର କୁଳୁକୁଳୁ ନାଦ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ସାନଘାଗରା । ସତେ ଯେପରି ଅଶାନ୍ତ ମନକୁ ଶାନ୍ତ କରିଦିଏ । ପର୍ଯ୍ୟଟକ ମାନେ ଏଠାକୁ ବୁଲିବାକୁ ଆସିବା ସଙ୍ଗେସଙ୍ଗେ, ଏଠାରେ ବଣ ଭୋଜି ମଧ୍ୟ କରିଥାନ୍ତି । ପ୍ରକୃତିର ଏହି ସୁନ୍ଦର ମନୋରମ ଦୃଶ୍ୟ, ଶିଶୁ ଉଦ୍ୟାନ, ଶାଳ ବଣରରେ ଭୋଜି ଭାତ ସହ ବୋଟିଂର ମଜା ଉଠାନ୍ତି ପର୍ଯ୍ୟଟକ । ବର୍ଷତମାମ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିବାବେଳେ ଶୀତ ଋତୁରେ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । ଏହି ବନ,ପାହାଡ଼ ଘେରା ପର୍ଯ୍ୟଟନ ସ୍ଥଳୀରେ ବିଭିନ୍ନ ପ୍ରକାରର ଜଙ୍ଗଲଜାତ ଦ୍ରବ୍ୟ ସହ ବିଭିନ୍ନ ଔଷଧିୟ ବୃକ୍ଷରାଜି ମଧ୍ୟ ବେଶ ଆକର୍ଷଣୀୟ ।

ସାନଘାଗରାର ମୁଖ୍ୟ ଆକର୍ଷଣ ହେଉଛି ଏହାର ଜଳପ୍ରପାତ । ପାହାଚରେ ଉପରକୁ ଉଠି ଜଳପ୍ରପାତସ୍ଥଳକୁ ଯିବା ପରୋକ୍ଷରେ ପହାଡ ଚଢିବାର ଅନୁଭୂତି ପ୍ରଦାନ କରିଥାଏ । ଜଳପ୍ରପାତ ସ୍ଥଳ ପୂର୍ବରୁ ପଡେ ସୌନ୍ଦର୍ଯ୍ୟଭରା ପାର୍କ । ଯେଉଁଠି ଦର୍ଶକମାନେ ମନଭରି ସେଲ୍ଫି ଉଠାଇଥାନ୍ତି । ଯାହା ଦର୍ଶକଙ୍କ ମନରେ ଆନନ୍ଦ ଭରିଦିଏ । ପୁନର୍ବାର ତଳକୁ ପାହାଚରେ ଗଲେ ପଡେ ଜଳପ୍ରପାତସ୍ଥଳ । ଏହାର ସୌନ୍ଦର୍ଯ୍ୟ ଅତିବ ମନୋରମ । ପାହାଡ ଉପରୁ ଖସୁଥିବା ଝରଣାର ଶୁଭ୍ର ଜଳରାଶିର ସୌନ୍ଦର୍ଯ୍ୟ ପର୍ଯ୍ୟଟକମାନଙ୍କୁ ଅଭିଭୂତ କରିଦିଏ । ବ୍ୟସ୍ତବହୁଳ ସହରୀ ଜୀବନର ଭାରାକ୍ରାନ୍ତ ମନ ହାଲୁକା କରିବାର ଭରପୁର୍ ଖୋରାକ ଯୋଗାଇଥାଏ ସାନଘାଗରାର ମନୋରମ ପରିବେଶ ।

Comments are closed.