Latest Odisha News

ଘନଉଛି ସିରିଆ ସଂକଟ

ନୂଆଦିଲ୍ଲୀ:  ସିରିଆ ଗୃହଯୁଦ୍ଧ, ଘନଉଛି ସଂକଟ । ବିଦ୍ରୋହୀ ଓ ସେନା ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ । ଗୋଟିଏ ପରେ ଗୋଟିଏ ସହର କବଜା କରୁଛନ୍ତି ବିଦ୍ରୋହୀ । ଦକ୍ଷିଣ ସିରିଆର ଦାରା ସହର କବଜା କରିବା ପରେ ବିଦ୍ରୋହୀ ରାଜଧାନୀ ଡାମାସକସ ଆଡକୁ ମାର୍ଚ୍ଚ କରୁଛନ୍ତି । ସିରିଆ ରାଷ୍ଟ୍ରପତି ବଶର ଅଲ୍ ଅସଦଙ୍କ ବିରୋଧରେ ୨୦୧୧ରେ ହୋଇଥିବା ବିଦ୍ରୋହର ଜନ୍ମସ୍ଥାନ ଥିଲା ଦାରା । ତେଣୁ ଦାରା ସହର ଉପରୁ ନିୟନ୍ତ୍ରଣ ହରାଇବା ଅସଦଙ୍କ ସେନା ପାଇଁ ବଡ କ୍ଷତି ବୋଲି କୁହାଯାଉଛି । ସେପଟେ ସିରିଆ ଯୁଦ୍ଧରେ ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହିଜବୁଲ୍ଲାର ଏଣ୍ଟ୍ରି ହୋଇଛି । ସିରିଆ ସରକାରଙ୍କ ସହ ସଂକଟ ସମୟରେ ସଂଗଠନ ଠିଆ ହେବାକୁ ପ୍ରତିଶ୍ରୁତି ଦେଇଛି ।

କାହିଁକି ଗୁରୁତ୍ବ ରଖେ ଦାରା?

ଶନିବାର ଚତୁର୍ଥ ସହର ଭାବେ ସିରିଆର ଦାରା କବଜା କରିଛନ୍ତି ବିଦ୍ରୋହୀ । ସିରିଆ ରାଜଧାନୀ ଡାମାସକସଠାରୁ ୧୦୦କିଲୋମିଟର ଦୂର ଦାରା ସହର ଜୋର୍ଡାନ ସୀମାରେ ରହିଛି । ୨୦୧୧ରେ ରାଷ୍ଟ୍ରପତି ବଶର ଅଲ୍ ଅସଦଙ୍କ ବିରୋଧରେ ଆନ୍ଦୋଳନର କେନ୍ଦ୍ରସ୍ଥଳ ଥିଲା ଦାରା । ଶାନ୍ତିପୂର୍ଣ୍ଣ ଆନ୍ଦୋଳନରୁ ଆରମ୍ଭ ହୋଇଥିବା ବିରୋଧ ଧୀରେ ଧୀରେ ହିଂସାତ୍ମକ ଲଢେଇରେ ପରିଣତ ହୋଇଥିଲା । ଏଥିରେ ପ୍ରାୟ ୫ଲକ୍ଷ ଲୋକ ପ୍ରାଣ ହରାଇଥିଲେ, ଅନେକ ବିସ୍ଥାପିତ ହୋଇଥିଲେ । ତେଣୁ ୧୩ବର୍ଷ ପରେ ପୁଣି ବିଦ୍ରୋହୀ ଦାରା କବଜା କରିବାକୁ ପ୍ରତୀକାତ୍ମକ ବିଜୟ ଭାବେ ଦେଖାଯାଉଛି । ଦାରା ପୂର୍ବରୁ ଅଲପ୍ପା ଓ ହମା କବଜା କରିସାରିଛନ୍ତି ବିଦ୍ରୋହୀ ।

ଗୋଟେ ପରେ ଗୋଟେ ସହର କବଜା

ସିରିଆ ରାଜଧାନୀ ଡାମାସକସ ଓ ମେଡିଟେରିଆମ ସି ମଧ୍ୟରେ ରହିଛି ହୋମସ ସହର । ଏହାର କିଛି ଅଂଶକୁ ବିଦ୍ରୋହୀ କବଜା କରି ସାରିଲେଣି । ହୋମ୍ସ ପରେ ବିଦ୍ରୋହୀ ରାଜଧାନୀ ଡାମାସକସରେ ପ୍ରବେଶ କରିବେ । ବିଦ୍ରୋହୀଙ୍କୁ ରୋକିବାକୁ ସିରିଆ ସେନା ହୋମ୍ସ ଓ ହମାକୁ ଯୋଡୁଥିବା ହାଇଓ୍ବେ ଉପରେ ବୋମାମାଡ କରିଛି । ସେପଟେ ହୋମ୍ସରେ ବିଦ୍ରୋହୀଙ୍କୁ ରୋକିବାକୁ ନିଜ ଲଢାଖୁ ପଠାଇଛି ହିଜବୁଲ୍ଲା । ଅସଦ ସରକାରଙ୍କୁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛି ହିଜବୁଲ୍ଲା । ସିରିଆ ଓ ଋଷର ମିଳିତ ସେନା ପକ୍ଷରୁ କରାଯାଇଥିବା ଅପରେସନରେ ହୋମ୍ସ ଗ୍ରାମାଞ୍ଚଳରେ ଅନେକ ବିଦ୍ରୋହୀଙ୍କ ମୃତ୍ୟୁ ହୋଇଥିବା ସିରିଆର ସରକାରୀ ଗଣମାଧ୍ୟମରେ କୁହାଯାଉଛି ।

ଅସାଦଙ୍କୁ କ୍ଷମତାଚ୍ୟୁତ କରିବାକୁ ପ୍ଲାନ୍

ହୟାତ ତହରିର ଅଲ ସାମ ବା ଏଚଟିଏସ୍ ନେତୃତ୍ବରେ ସିରିଆ ରାଷ୍ଟ୍ରପତି ଅସାଦଙ୍କୁ କ୍ଷମତାଚ୍ୟୁତ କରିବାକୁ ବିଦ୍ରୋହୀ ଉଦ୍ୟମ କରୁଛନ୍ତି । ପାଶ୍ଚାତ୍ୟ ଦେଶ ଏଚଟିଏସକୁ ଆତଙ୍କବାଦୀ ସଂଗଠନ କହୁଥିବା ବେଳେ ଏହାର ମୁଖ୍ୟ ଅବ୍ବୁ ମହମ୍ମଦ ଅଲ୍ ଜୋଲାନି ଅସଦ ସରକାରକୁ ଭୁଶୁଡାଇ ଦିଆଯିବ ବୋଲି କହିଛନ୍ତି । ଏକଛତ୍ରବାଦୀ ସରକାରର ଅନ୍ତ କରି ଲୋକଙ୍କ ସରକାର ଚୟନ କରାଯିବ । ଗତ ୨୭ତାରିଖରୁ ସିରିଆ ସେନା ଓ ଏଚଟିଏସ ମଧ୍ୟରେ ସଂଘର୍ଷ ଜାରି ରହିଥିବା ବେଳେ ଏଥିରେ ୮୨୬ଜଣଙ୍କ ମ-ମୃତ୍ୟୁ ହେଲାଣି ।

ସିରିଆ ଛାଡିବାକୁ କହିଲା ଭାରତ

ସିରିଆରେ ସ୍ଥିତି ବିଗୁଡୁଥିବା ବେଳେ ତୁରନ୍ତ ଦେଶ ଛାଡିବାକୁ ସେଠାରେ ରହୁଥିବା ଭାରତୀୟଙ୍କୁ ନିର୍ଦ୍ଦେଶ ଦେଇଛି ଭାରତ ବିଦେଶ ମନ୍ତ୍ରାଳୟ । ବିଦ୍ରୋହୀଙ୍କ ହିଂସା ବଢୁଥିବାରୁ ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିଛି ବିଦେଶ ମନ୍ତ୍ରାଳୟ । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସିରିଆ ନଯିବା ପାଇଁ କୁହାଯାଇଛି । ସେଠାରେ ଥିବା ଭାରତୀୟଙ୍କ ପାଇଁ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ଜାରି କରିଛି ଭାରତୀୟ ଦୂତାବାସ । କୌଣସି କାରଣରୁ ସିରିଆ ଛାଡି ନପାରିଲେ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ କୁହାଯାଇଛି । ଜୋର୍ଡାନ ସିରିଆ ସୀମାକୁ ବନ୍ଦ କରିଛି ତ ଲେବାନନ ସ୍ଥଳ ପଥରେ ପ୍ରବେଶ ଉପରେ କଟକଣା ଜାରି କରିଛି ।

Comments are closed.