ଝାରସୁଗୁଡ଼ା: ମଶା ତେଲ ଦୁର୍ନୀତି ମାମଲାରେ ୪ ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ। ଝାରସୁଗୁଡ଼ା ପୌର ପରିଷଦରେ ହୋଇଥିବା ମଶା ତେଲ ଦୁର୍ନୀତି ଘଟଣାରେ ଭିଜିଲାନ୍ସ ବିଭାଗ ବଡ କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ଦୁର୍ନୀତି ଘଟଣାରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ଝାରସୁଗୁଡ଼ା ମ୍ୟୁନିସିପାଲଟିର ତତ୍କାଳୀନ ନିର୍ବାହୀ ଅଧିକାରୀ ମନୋଜ କୁମାର ତାଣ୍ଡିଙ୍କ ସମେତ ୪ ଜଣଙ୍କୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି। ଅନ୍ୟ ୩ ଜଣଙ୍କ ମଧ୍ୟରେ ମ୍ୟୁନିସିପାଲଟିର ସାନିଟେସନ୍ ଏକ୍ସପର୍ଟ ବିଶ୍ବରଞ୍ଜନ ସାହୁ, ସାନିଟେସନ୍ ଇନ୍ସପେକ୍ଟର ବିକାଶ ପଶାୟତ ଓ ମଶା ତେଲ ଯୋଗାଣକାରୀ ସଂସ୍ଥା ଝାରସୁଗୁଡ଼ାର ଫ୍ୟୁଜନ୍ ଗ୍ରୁପ୍ର ମାଲିକ ଆଶୁତୋଷ ଶର୍ମା ଥିବା ଜାଣିବାକୁ ମିଳିଛି।
ଭିଜିଲାନ୍ସ ବିଭାଗ ସୂଚନା ଅନୁସାରେ, ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଝାରସୁଗୁଡ଼ା ମ୍ୟୁନିସିପାଲଟି ପକ୍ଷରୁ ମଶା ତେଲ ଯୋଗାଣ ନିମନ୍ତେ ୩ଟି ଖବର କାଗଜରେ ଏକ ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ୩ ଜଣ ଟେଣ୍ଡର ପକାଇଥିବା ବେଳେ ସର୍ବାଧିକ ଦର ଲିଟର ପିଛା ୭୪୦ ଟଙ୍କା ଥିବା ଫ୍ୟୁଜନ୍ ଗ୍ରୁପକୁ ମଶା ତେଲ ଯୋଗାଣ ଦାୟୀତ୍ୱ ଦିଆଯାଇଥିଲା। ବିଗତ ବର୍ଷରେ ୭୭ ଟଙ୍କାରେ ଏହି ମଶା ତେଲ କିଣା ଯାଇଥିବା ବେଳେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଲିଟର ପିଛା ଅଧିକ ୬୬୦ ଟଙ୍କାରେ ମଶା ତେଲ କିଣିବାକୁ ସ୍ଥିର କରାଯାଇଥିଲା। ମ୍ୟୁନିସିପାଲଟିର ତତ୍କାଳୀନ ନିର୍ବାହୀ ଅଧିକାରୀଙ୍କ ଜାଣତରେ ଏସବୁ ହୋଇଥିବା ବିଭାଗ କହିଛି।
ଏହି ଘଟଣାରେ ତଦନ୍ତ ପରେ ଆଜି ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି, ସକାଳ ୧୦ଟାରୁ ଅଭିଯୁକ୍ତଙ୍କୁ ଜେରା ଆରମ୍ଭ କରିଥିଲା। ପଚରାଉଚରା ପରେ ସନ୍ଧ୍ୟାରେ ସେମାନଙ୍କୁ ଝାରସୁଗୁଡ଼ା ଭିଜିଲାନ୍ସ ବିଭାଗ କାର୍ଯ୍ୟାଳୟକୁ ନିଆଯାଇଥିଲା।