Latest Odisha News

BREAKING NEWS

ଆପ ବିନା ଲାଭରେ କଂଗ୍ରେସ !

ନୂଆଦିଲ୍ଲୀ: ଏକାଠି ନୁହେଁ, ଏକା ଏକା । ଦିଲ୍ଲୀ ବିଧାନସଭା ନିର୍ବାଚନ ଏକା ଏକା ଲଢୁଛନ୍ତି କଂଗ୍ରେସ ଓ ଆପ୍ । ଲୋକସଭା ନିର୍ବାଚନରେ ଦୁଇ ଦଳ ଏକାଠି ଲଢିଥିବା ବେଳେ ବିଧାନସଭାରେ ପରସ୍ପର ବିରୋଧରେ ଲଢୁଛନ୍ତି । ୨୦୧୩ରୁ ଦିଲ୍ଲୀ ରାଜନୀତିରେ କୋଣଠେସା ହୋଇଥିବା କଂଗ୍ରେସ ପାଇଁ ଏଥର ନିର୍ବାଚନ ବଡ ସୁଯୋଗ ନେଇ ଆସିଛି। ଦଳକୁ ପୁନର୍ଗଠନ କରି ପୁଣି ଦିଲ୍ଲୀରେ ନିଜ ପାଦ ମଜବୁତ କରିବାକୁ ରଣନୀତି କରୁଛି ହାତ । ଦିଲ୍ଲୀରେ ଆମ ଆଦମୀ ପାର୍ଟି ଗତ ୧୧ବର୍ଷ ଧରି କ୍ଷମତାରେ ଥିବା ବେଳେ ଏଥର ଆପ୍ ବିରୋଧରେ ସିଧାସଳଖ ଲଢିବ କଂଗ୍ରେସ । ଦୁଇ ଦଳ ମଧ୍ୟରେ ମେଣ୍ଟ ନହେବା ଦ୍ବାରା କଂଗ୍ରେସ ଲାଭରେ ରହିବ ବୋଲି ରାଜନୈତିକ ବିଶେଷଜ୍ଞ ଆକଳନ କରୁଛନ୍ତି ।

ତ୍ରିମୁଖୀ ଲଢେଇ…ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ

ଦିନେ ଦିଲ୍ଲୀର କ୍ଷମତା ଚାବି ରଖିଥିବା କଂଗ୍ରେସ ତୃତୀୟ ସ୍ଥାନକୁ ଖସିଆସିଛି । ୨୦୧୯ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ପରଲୋକ ପରେ ଦିଲ୍ଲୀ କଂଗ୍ରେସରେ ନେତୃତ୍ବ ଅଭାବ ଦେଖାଦେଇଥିଲା । ଦଳ ମଧ୍ୟରେ ଅନ୍ତକନ୍ଦଳ କଂଗ୍ରେସକୁ ଆହୁରି ଦୁର୍ବଳ କରି ଦେଇଥିଲା । ଅରବିନ୍ଦର ସିଂ ଲଭଲି ହୁଅନ୍ତୁ କି ନସିବ ସିଂ, ବଡ ବଡ ନେତା ଦଳ ଛାଡିଥିଲେ । ତେବେ ଦିଲ୍ଲୀ ନିର୍ବାଚନ ଏକା ଲଢିବା କଂଗ୍ରେସ ପାଇଁ ଲାଭଦାୟକ ହୋଇପାରେ । ଆପ୍ ସହ ମେଣ୍ଟ ହୋଇଥିଲେ, ମେଣ୍ଟରେ ଜୁନିଅର ପାର୍ଟନର ହୋଇଥାନ୍ତା କଂଗ୍ରେସ । ପୂର୍ବ ଦୁଇଟି ନିର୍ବାଚନରେ ଆପର ସ୍କୋର ଅଧିକ ରହିଥିବାରୁ କଂଗ୍ରେସ ଭାଗରେ ହାତଗଣତି ସିଟ୍ ପଡିଥାନ୍ତା । ଫଳରେ ସ୍ବାଧୀନତା ପରଠୁ ତିନି ଦଶନ୍ଧୀ ଧରି ଦିଲ୍ଲୀରେ କ୍ଷମତାରେ ରହିଥିବା କଂଗ୍ରେସ ପାଇଁ ନିଜକୁ ପ୍ରମାଣିତ କରିବକୁ ଅଳ୍ପ ସୁଯୋଗ ରହିଥାନ୍ତା । ତେବେ ଏକା ଲଢିବା ଦ୍ବାରା ଏବେ କଂଗ୍ରେସ ଉଭୟ ବିଜେପି ଓ ଆପ୍ ସହ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଭାବେ ଲଢିବ।

ବଢିଛି ଭୋଟ୍ ସେୟାର ବଢିଛି ଆଶା

୨୦୦୮ରେ ଶେଷ ଥର ପାଇଁ ଦିଲ୍ଲୀରେ ବିଜୟର ସ୍ବାଦ ଚାଖିଥିଲା କଂଗ୍ରେସ । ୭୦ଟି ସିଟରୁ ୪୩ଟି ଜିତି ସରକାର ଗଠନ କରିଥିଲା । ତେବେ ୨୦୧୩ରେ ୨୪.୫୫ ପ୍ରତିଶତ ଭୋଟ୍ ସହ ମାତ୍ର ୮ଟି ସିଟ୍ ଜିତିଲା କଂଗ୍ରେସ । ୨୦୧୫ ଓ ୨୦୨୦ରେ ଦଳର ଭୋଟ୍ ସେୟାର ଆହୁରି ଖସି ୯.୭ପ୍ରତିଶତ ଓ ୪.୨୬ପ୍ରତିଶତରେ ପହଞ୍ଚିଲା । ତେବେ ୨୦୨୨ ଏମସିଡି ନିର୍ବାଚନରେ ଦଳର ଭୋଟ୍ ପ୍ରତିଶତ ସାମାନ୍ୟ ବଢି ୧୧.୬୮ରେ ପହଞ୍ଚିଥିଲା । ୨୦୨୦ ଅପେକ୍ଷା ଭୋଟ୍ ପ୍ରତିଶତ ସାମାନ୍ୟ ବଢିବା ସହ କଂଗ୍ରେସ ପାଇଁ ଦିଲ୍ଲୀରେ ଆଶା ବି ବଢିଛି ।

ଆପ୍ ସହ ଟକ୍କର…ପୁରୁଣା ବଦଲା

ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିପକ୍ଷରେ ସନ୍ଦୀପ ଦୀକ୍ଷିତଙ୍କୁ ପ୍ରାର୍ଥୀ କରି କଂଗ୍ରେସ ବଡ ସନ୍ଦେଶ ଦେଇଛି । ଦିଲ୍ଲୀ ନିର୍ବାଚନରେ ପୂର୍ବ ସହଯୋଗୀ ନୁହେଁ ବରଂ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଭାବେ ଆପ୍ ସହ ଲଢିବ ଦଳ । ନୂଆଦିଲ୍ଲୀ ବିଧାନସଭା ସିଟ୍ ପୂର୍ବରୁ କଂଗ୍ରେସର ଗଡ ରହିଥିଲା । ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ଏଠାରୁ ଜିତି ଆସୁଥିଲେ ଶିଲା ଦୀକ୍ଷିତ । ୨୦୧୩ରେ କେଜ୍ରିଓ୍ବାଲ ଶିଲା ଦୀକ୍ଷିତଙ୍କ ସରକାର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବା ସହ ତାଙ୍କୁ ହରାଇଥିଲେ । ୨୦୨୫ ନିର୍ବାଚନରେ ବଦଳିଛି ସ୍ଥିତି । ଏଥର  କେଜ୍ରିଓ୍ବାଲଙ୍କ ନାଁରେ ଆସିଛି ଦୁର୍ନୀତି ଅଭିଯୋଗ । ତାଙ୍କ ସହ ବହୁ ଆପ୍ ନେତା ଦୁର୍ନୀତି ଅଭିଯୋଗରେ ଜେଲ୍ ଯାଇ ଫେରିଛନ୍ତି । ତେଣୁ ଯେଉଁଭଳି ଶିଲା ଦୀକ୍ଷିତଙ୍କୁ ହରାଇବାକୁ ଦୁର୍ନୀତିକୁ ଅସ୍ତ୍ର କରିଥିଲେ କେଜ୍ରିଓ୍ବାଲ । ସେହିପରି କେଜ୍ରିଓ୍ବାଲଙ୍କ ବିରୋଧରେ ଦୁର୍ନୀତିକୁ ମୁଖ୍ୟ ପ୍ରସଙ୍ଗ କରିବ କଂଗ୍ରେସ । ଆଉ ୧୧ବର୍ଷ ତଳର ବଦଲା ନେବାକୁ ମଇଦାନରେ କେଜ୍ରିଓ୍ବାଲଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି ଶିଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ ଦୀକ୍ଷିତ ।

ଦିଲ୍ଲୀରେ କଂଗ୍ରେସ ଭଳି ବିଜେପିର ମଧ୍ୟ ରାଜ୍ୟସ୍ତରର ବଡ଼ ଚେହେରା ନାହାନ୍ତି । ତେଣୁ ପୂର୍ବ ଥର ଭଳି ବ୍ୟାକଫୁଟ୍ ନୁହେଁ ଫ୍ରଣ୍ଟଫୁଟରେ ଖେଳିବ କଂଗ୍ରେସ । ଦଳ ପକ୍ଷରୁ ୨୧ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ସହ କଂଗ୍ରେସ ଓ୍ବାରରୁମରେ ବିଜୟ ରଣନୀତି ପ୍ରସ୍ତୁତ କରାଯାଉଛି । ତେଣୁ ଦିଲ୍ଲୀରେ ଭଲ ପ୍ରଦର୍ଶନ କରି ସରପ୍ରାଇଜ୍ ଦେଇପାରେ କଂଗ୍ରେସ  ।

Leave A Reply

Your email address will not be published.