Latest Odisha News

BREAKING NEWS

ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ଶାହ: ସ୍ୱାଧିକାର ନୋଟିସ ଦେଲେ ଟିଏମସି ସାଂସଦ

ନୂଆଦିଲ୍ଲୀ: ଡକ୍ଟର ଆମ୍ଵେଦକରଙ୍କୁ ନେଇ ଅମିତ ଶାହାଙ୍କ ମନ୍ତବ୍ୟ ନେଇ ଏବେ ବଡ଼ ବିବାଦ ଉପୁଜିଛି। ଗତକାଲି ରାଜ୍ୟସଭାରେ ସମ୍ବିଧାନ ଆଲୋଚନା ବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସମ୍ବିଧାନ ପ୍ରଣୟତା ବିଆର ଆମ୍ବେଦକରଙ୍କ ସମ୍ପର୍କରେ ଦେଇଥିବା ବୟାନକୁ ନେଇ ରାଜନୀତି ଜୋର ଧରିଛି। ତାଙ୍କ ବୟାନକୁ ବିରୋଧୀ ଜୋରଦାର ବିରୋଧ କରିଛନ୍ତି। ଏଥିପାଇଁ ଆଜି ଅମିତ ଶାହଙ୍କ ବିରୋଧରେ ଟିଏମସି ସାଂସଦ ଡେରେକ ଓବ୍ରାଏନ ସ୍ୱାଧିକାର ଭଙ୍ଗ ନୋଟିସ ଆଗତ କରିଛନ୍ତି।

ଡେରେକଙ୍କ କହିବା କଥା ଯେ ଅମିତ ଶାହଙ୍କ ବୟାନ ଡ ବିଆର ଆମ୍ବେଦକର ଛାଡ଼ି ଯାଇଥିବା ଛାପକୁ ଅପମାନିତ କରିଛି। ଏପରି ବୟାନ ଗୃହର ମର୍ଯ୍ୟାଦାକୁ ମଧ୍ୟ କ୍ଷତି ପହଞ୍ଚାଇଛି। ଅମିତ ଶାହଙ୍କ ବୟାନ ସଂସଦର ଗାରିମାକୁ ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ଅମିତ ଶାହଙ୍କ ବୟାନ ବିରୋଧରେ ଆଜି ଅନେକ ବିରୋଧୀ ଦଳର ସାଂସଦ ଉଭୟ ସଂସଦ ଭିତରେ ଓ ବାହାରେ ବିକ୍ଷୋଭ କରିଛନ୍ତି। କଂଗ୍ରେସ ପକ୍ଷରୁ ଅମିତ ଶାହ କ୍ଷମା ମାଗିବା ସହ ଇସ୍ତଫା ଦିଅନ୍ତୁ ବୋଲି ଦାବି କରାଯାଇଛି।

ସୂଚନା ଥାଉକି ବିତର୍କରେ ଅମିତ ଶାହା କହିଥିଲେ, ଏବେ ଆମ୍ବେଦକରଙ୍କ ନାଁ ନେବା ଏକ ଫ୍ୟାସନ ହୋଇଗଲାଣି। ଖାଲି କହୁଛନ୍ତି ଆମ୍ଵେଦକର, ଆମ୍ଵେଦକର … ଯଦି ଏତେ ଥର ଭଗବାନଙ୍କ ନାଁ ନେଇଥାନ୍ତ, ତେବେ ସ୍ଵର୍ଗରେ ପହଞ୍ଚିଥାନ୍ତ। ତାଙ୍କର ଏହି ମନ୍ତବ୍ୟକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଛି। ବିରୋଧୀ ଅଭିଯୋଗ କରିଛନ୍ତି, ଭାରତର ଗଣତନ୍ତ୍ରରେ ଆମ୍ବେଦକର ଭଗବାନଙ୍କଠାରୁ କମ୍ ନୁହନ୍ତି। ସେ ଦେଶର ସମ୍ବିଧାନ ପ୍ରଣୟନରେ ମୁଖ୍ୟ ଭୂମିକା ନେଇଥିଲେ। ତାଙ୍କୁ ବଡ଼ ଅପମାନ ଦେଇଛନ୍ତି ଅମିତ ଶାହା। ଦେଶର ସମ୍ବିଧାନର ପ୍ରଣେତାଙ୍କୁ ଏହି ଅପମାନ ବରଦାସ୍ତ କରାଯିବ ନୁହେଁ। ତେଣୁ ଆଜି ପାର୍ଲାମେଣ୍ଟ ପରିସରରେ ବିରୋଧୀ ଦଳର ସାଂସଦମାନେ ବିକ୍ଷୋଭ କରିଛନ୍ତି ।

ଆମ୍ବେଦକରଙ୍କ ପୋଷ୍ଟର ଧରି ପ୍ରତିବାଦ କରିଛନ୍ତି। ଅମିତ ଶାହା ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ । ସେପଟେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ଅମିତ ଶାହଙ୍କ ମନ୍ତବ୍ୟକୁ କଦର୍ଥ କରି ପ୍ରଚାର କରାଯାଉଛି। ଲୋକସଭାରେ ବାରମ୍ବାର ହଙ୍ଗାମା ପରେ ଗୃହକୁ ଆସନ୍ତାକାଲି ୧୧ଟା ଯାଏ ମୁଲତବୀ ରଖାଯାଇଛି।

Leave A Reply

Your email address will not be published.