ନୂଆଦିଲ୍ଲୀ: ଆମ୍ବେଦକର ପ୍ରସଙ୍ଗରେ ଉଭୟ ଗୃହରେ ଉତ୍ତେଜନା ଦେଖାଦେଇଥିଲା। ବିଜେପି ନେତୃତାଧିନ ଏନଡିଏ ସାଂସଦ ଏବଂ ଇଣ୍ଡି ବ୍ଲକ୍ ସାଂସଦମାନେ ଆମ୍ବେଦକର ବିବାଦକୁ ନେଇ ପରସ୍ପରକୁ ସମାଲୋଚନା କରି ପ୍ରତିବାଦ କରିବା ବେଳେ ଉପୁଜିଥିଲା ଠେଲାଠେଲି ପରିସ୍ଥିତି ।
ଏହାରି ମଧ୍ୟରେ ନାଗାଲାଣ୍ଡର ମହିଳା ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ତାଙ୍କ ସହ ଦୁର୍ବ୍ଯବହାର କରିଛନ୍ତି।
ବିଜେପି ସାଂସଦ ଫେନୋଙ୍ଗ କୋନ୍ୟାକ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କୁ ଏନେଇ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ବିରୋଧୀ ଦଳର ଲୋକସଭା ନେତା ରାହୁଲ ଗାନ୍ଧୀ ତାଙ୍କ ସହ ଦୁର୍ବ୍ଯବହାର କରିଛନ୍ତି। ତାଙ୍କୁ ପଠାଇଥିବା ଅଭିଯୋଗ ପତ୍ରରେ କହିଛନ୍ତି ଯେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମୋର ଗରିମା ଏବଂ ଆତ୍ମ ସମ୍ମାନକୁ ଗଭୀର ଭାବେ ଆଘାତ ଦେଇଛନ୍ତି। ମୁଁ ଗୃହରେ ସୁରକ୍ଷା ଦାବି କରୁଛି ବୋଲି ମଧ୍ଯ ସେ କହିଛନ୍ତି।
ସେ ଆହୁରି ମଧ୍ଯ କହିଛନ୍ତି, “ଆଜି ଯେତେବେଳେ ମୁଁ ଆମ୍ବେଦକରଙ୍କ ପ୍ରସଙ୍ଗରେ କଂଗ୍ରେସ ବିରୋଧରେ ବିରୋଧ କରୁଥିଲି। ସେତେବେଳେ ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ମୋ ପାଖକୁ ଆସିଥିଲେ। ମୋତେ ଏହା ଭଲ ଲାଗିଲା ନାହିଁ ଏବଂ ହଠାତ୍ ସେ ଚିତ୍କାର କରିବାକୁ ଲାଗିଲେ। ଆଜି ଯାହା ଘଟିଲା ତାହା ଅତ୍ୟନ୍ତ ଦୁଃଖଦାୟକ ଏହା ହେବା ଉଚିତ୍ ନୁହେଁ। ମୁଁ ଅଧ୍ୟକ୍ଷଙ୍କ ନିକଟରେ ଏନେଇ ଅଭିଯୋଗ କରିଛି।”