Latest Odisha News

ପ୍ରାକୃତିକ ଉପାୟରେ କପଡାରୁ ଦୂର କରନ୍ତୁ ଦାଗ

ଭୁବନେଶ୍ବର: ସଫା ସୁତରା ପୋଷାକ କାହାକୁ ବା ଭଲ ନଲାଗେ । କିନ୍ତୁ ସେଥିରେ ଦାଗ ଲାଗି ଗଲେ କପଡାର ସୌର୍ନ୍ଦଯ୍ୟ ନଷ୍ଟ ହେବା ସହ ନିଜର ପର୍ସନାଲିଟି ବି ଖରାପ ହେଲାପରି ଲାଗିଥାଏ । ଡ୍ରେସ୍‌ରେ ବେଳେ ବେଳେ ଏପରି ଦାଗ ଲାଗିଯାଏ ଯାହା ସହଜରେ ଛାଡିନଥାଏ । ବିଶେଷ କରି ସାହି ଦାଗ, ତେଲ ଦାଗ ଇତ୍ୟାଦି । ସାବୁନ୍‌, ଡିଟରଜେଣ୍ଟ୍ ପାଉଡର୍‌ରେ ମଧ୍ୟ ଛାଡିନଥାଏ । ଦାଗ ଛଡେଇବାକୁ କେମିକାଲ୍‌ର ଅତ୍ୟଧିକ ପ୍ରୟୋଗ ଦ୍ୱାରା କପଡା ଖରାପ ହୋଇଯାଏ ।

ତେବେ ଏପରି ଦାଗକୁ ଛଡେଇବା ପାଇଁ କିଛି ଘରୋଇ ଉପାୟ ଆସନ୍ତୁ ଜାଣିବା-

ବେକିଙ୍ଗ୍ ସୋଡା: ଏହା କପଡାରୁ ଦାଗ ହଟେଇବା ସହ ଦୁର୍ଗନ୍ଧରୁ ମୁକ୍ତ କରିଥାଏ । ବେକିଙ୍ଗ୍ ସୋଡାରେ ଟିକେ ପାଣି ମିଶେଇ ଏକ ପେଷ୍ଟ ତିଆରି କରନ୍ତୁ । ସେହି ପେଷ୍ଟକୁ ଦାଗ ଉପରେ ଲାଗନ୍ତୁ ଓ ଟୁଥ୍‌ବ୍ରଶ୍ ସାହାଯ୍ୟରେ ଘଷନ୍ତୁ । ତା’ପରେ ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ । ଯଦି ଆପଣ ୱାସିଙ୍ଗ୍ ମେସିନ୍‌ରେ କପଡା ଧୋଉଛନ୍ତି ତେବେ ୱାସିଙ୍ଗ୍ ପାଉଡର୍ ସହ ବେକିଙ୍ଗ୍ ପାଉଡର୍ ମିଶେଇକି କପଡା ସଫା କରନ୍ତୁ ।

ଧଳା ଭିନେଗାର: ଏହା କପଡାର ଦାଗ ଛଡେଇବା ସହ କପଡାର ଚମକ ଓ ନରମ ବଜାଇ ରଖିଥାଏ । ଧଳା ଡ୍ରେସ୍‌ରେ ଝାଳ ଦାଗ ଅତି ସହଜରେ ଛାଡେ ନାହିଁ । ତେବେ ଧଳା ଭିନେଗାରକୁ ଏକ ସ୍ପ୍ରେ ବୋତଲରେ ଭର୍ତ୍ତି କରି ଝାଳ ଦାଗ ଉପରେ ସ୍ପ୍ରେ କରନ୍ତୁ । ଅଥବା ୱାସିଙ୍ଗ୍ ମେସିନ୍‌ରେ ୨ଚାମଚ ଧଳା ଭିନେଗାର ପକେଇ ଦିଅନ୍ତୁ । ଦେଖିବେ କପଡାରୁ ଦାଗ ଉଭେଇ ଯିବ । ସେହିପରି ଖାଇବା ପଦାର୍ଥ ପଡି ପୋଷାକରେ ହଳଦିଆ ଦାଗ ହୋଇଯାଇଥାଏ । ଏପରି ଦାଗକୁ ହଟେଇବା ପାଇଁ ୱାସିଙ୍ଗ୍ ପାଉଡର୍ ସହ ୧ଚାମଚ ଧଳା ଭିନେଗାର ଓ ପାଣି ମିଶାନ୍ତୁ । ସେଥିରେ ସେହି କପଡାକୁ କିଛି ସମୟ ପାଇଁ ବତୁରେଇ ଦିଅନ୍ତୁ । ତାପରେ କପଡାକୁ ଧୋଇ ଦିଅନ୍ତୁ ।

ଲେମ୍ବୁ ରସ: ଦାଗ ଦୂର କରିବା ନିମନ୍ତେ ଲେମ୍ବୁ ରସକୁ ସିଧାସଳଖ ଦାଗ ଥିବା ସ୍ଥାନରେ ପ୍ରୟୋଗ କରିପାରିବେ ।ଏହା ବ୍ୟତୀତ କିଛି ବୁନ୍ଦା ଭିନେଗାରକୁ ଲେମ୍ବୁ ରସ ସହ ମିଶାଇ ମଧ୍ୟ ବ୍ୟବହାର କରନ୍ତୁ । ଦେଖିବେ ସହଜରେ ଦାଗ ଛାଡିଯିବ ।

ବେବି ପାଉଡର: ଏହା ତେଲ ଦାଗ ଛଡେଇବାରେ ସହାୟକ ହୋଇଥାଏ । ପର୍ଯ୍ୟାପ୍ତ ମାତ୍ରାରେ ବେବି ପାଉଡର ତେଲ ଦାଗ ଉପରେ ଛିଞ୍ଚି ଦିଅନ୍ତୁ ଏବଂ ପାଉଡର ତେଲକୁ ଶୋଷିବା ଯାଏଁ ଅପେକ୍ଷା କରନ୍ତୁ । ତାପରେ ଧୋଇ ଦିଅନ୍ତୁ ।

ଲୁଣ: ଏକ କପ୍ ଉଷୁମ୍ ପାଣିରେ ଏକ ଚାମଚ ଲୁଣ ପକାଇ ମିଶ୍ରଣ ତିଆରି କରନ୍ତୁ । ସେହି ମିଶ୍ରଣକୁ ଝାଳ ଯୋଗୁଁ ହୋଇଥିବା ଦାଗରେ ପକେଇ ହାତରେ କିମ୍ବା ବ୍ରଶ୍ ରେ ଘଷନ୍ତୁ । ଦେଖିବେ ଦାଗ ଉଭେଇ ଯିବ । ସେହିପରି ରେଡ୍ ୱାଇନ୍ ଦାଗରେ ଲୁଣର ବ୍ୟବହାର କରିପାରିବେ ।

 

Leave A Reply

Your email address will not be published.