ଭବାନୀପାଟଣା: ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଶି ଗାଁରେ ୨୬ ନମ୍ବର ଜାତୀୟ ରାଜପଥରେ ଏକ ପିକ୍ ଅପ୍ ଭ୍ୟାନ୍ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି।
ମୃତକ ହେଉଛନ୍ତି ଭବାନୀପାଟଣା ସହରର ରେହମତତୁଲ୍ଲା ଖାଁ। ଗୁରୁତର ଆହତ ଦ୍ୱୟ ଭବାନୀପାଟଣା ସ୍ଥିତ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଘଟଣା ଘଟିବା ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ବେଳେ ଏହାକୁ ଦେଖିବା ପରେ, ଏହା ଏକ ଦୁର୍ଘଟଣା ନା ହତ୍ୟାକାଣ୍ଡ, ତାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି।
ସିସିଟିଭିରେ ଫୁଟେଜ ଅନୁସାରେ, ରେହମତତୁଲ୍ଲା ଖାଁ ଓ ଅନ୍ୟ ଦୁଇ ଜଣ ରାସ୍ତା କଡ଼ରେ ଅଟକି କଥାବାର୍ତ୍ତା ହେଉଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଗୋଟିଏ ଦୁଇ ଚକିଆ ଗାଡ଼ି ଉପରେ ବସିଛନ୍ତି। ରାସ୍ତାରେ କାଁ ଭାଁ ଗାଡ଼ି ଯିବାଆସିବା କରୁଥିବା ବେଳେ ହଠାତ୍ ଏକ ପିକ୍ଅପ୍ ଭ୍ୟାନ୍ ଦ୍ରୁତ ଗତିରେ ଆସି ସେମାନଙ୍କୁ ପଛରୁ ଧକ୍କା ଦେଇଥିବାର ଦେଖିବାକୁ ମିଳିଛି।
ପିକ୍ଅପ୍ ଭ୍ୟାନ୍ ଧକ୍କାରେ ଗାଡ଼ିରେ ବସିଥିବା ବ୍ୟକ୍ତି ଜଣଙ୍କ ରାସ୍ତା ମଝିରେ ପଡ଼ିଥିଲେ। ଅନ୍ୟ ଦୁଇ ଜଣ ରାସ୍ତାକଡ଼ରୁ ଛିଟିକି ପଡ଼ିଥିଲେ। ପିକ୍ଅପ୍ ଭ୍ୟାନ୍ଟି ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ଗାଡ଼ିଟିକୁ ପୁଲିସ୍ କେସିଙ୍ଗା ରେଳ ଷ୍ଟେସନ ନିକଟରୁ ଜବତ କରିଥିଲେ ମଧ୍ୟ ଡ୍ରାଇଭର ଫେରାର ଅଛନ୍ତି।
ତେବେ ଏହି ଘଟଣା ବେପରୁଆ ଗାଡ଼ି ଚାଳନା ଯୋଗୁ ଘଟିଛି ନା ଏହା ବିଧିବଦ୍ଧ ଯୋଜନା ତା’ର ଖୋଳତାଡ କରୁଛି ଭବାନୀପାଟଣା ଓ କେସିଙ୍ଗା ଥାନା ପୋଲିସ।
Comments are closed.