ନୂଆଦିଲ୍ଲୀ: ସିରିଆରେ ଜାରି ଗୃହଯୁଦ୍ଧ ମଧ୍ଯରେ ରାଷ୍ଟ୍ରପତି ବଶର ଅଲ-ଅସଦ ନିଜ ଦେଶ ଛାଡି ଋଷକୁ ପଳାଇଛନ୍ତି। ଆଉ ଏବେ ଅସଦଙ୍କ ବ୍ରିଟିଶ ପତ୍ନୀ ଅସ୍ମା ଅଲ-ଅସଦ ଋଷର କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିବା ଜଣାପଡିଛି।
ତୁର୍କୀ ଏବଂ ଆରବ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଅସ୍ମା ଅଲ-ଅସଦ ମସ୍କୋରେ ଖୁସି ନୁହଁନ୍ତି ତେଣୁ ସେ ଲଣ୍ଡନ ଯିବାକୁ ଚାହୁଁଛନ୍ତି। ତେବେ ଏସବୁ ମଧ୍ଯରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ଦେଶରେ ବଶର ଅଲ-ଅସଦଙ୍କ ପରିବାରକୁ ରାଜନୈତିକ ଆଶ୍ରୟ ଦେଇଛନ୍ତି। ହେଲେ ତାଙ୍କ ଉପରେ କଠୋର ପ୍ରତିବନ୍ଧକ ଲାଗୁ କରାଯାଇଛି।
ବଶର ଅଲ-ଅସଦଙ୍କ ପତ୍ନୀ ଅସ୍ମା ଅଲ-ଅସଦଙ୍କ ରୁଷ କୋର୍ଟରେ ଛାଡପତ୍ର ଓ ମସ୍କୋ ଛାଡିବାକୁ ସ୍ୱତନ୍ତ୍ର ଅନୁମତିର ଆବେଦନକୁ ଋଷ ଅଧିକାରୀ ବିଚାର କରୁଛନ୍ତି।
ରିପୋର୍ଟ ଅନୁଯାୟୀ, ଅସ୍ମାଙ୍କ ପାଖରେ ଉଭୟ ବ୍ରିଟେନ ଏବଂ ସିରିଆର ନାଗରିକତ୍ୱ ରହିଛି। ତାଙ୍କ ପିତାମାତା ସିରିଆର ଥିଲେ। କିନ୍ତୁ ସେମାନେ ଲଣ୍ଡନରେ ରହୁଥିବାରୁ ଅସ୍ମା ସେହିଠାରେ ଜନ୍ମଗ୍ରହଣ କରିଥିଲେ। ୨୦୦୦ ମସିହାରେ ଅସ୍ମା ସିରିଆ ଆସିଥିଲେ ଓ ବଶର ଅଲ-ଅସଦଙ୍କୁ ବିବାହ କରିଥିଲେ। ତେବେ ବିବାହ ବେଳେ ଅସ୍ମାଙ୍କୁ ୨୫ ବର୍ଷ ବୟସ ହୋଇଥିଲା।