Latest Odisha News

ଡିସେମ୍ବର ୧ରୁ ହ୍ରାସ ପାଇବ ‘ମୋ ବସ୍’ ଯାତ୍ରୀ ଭଡା

ଭୁବନେଶ୍ୱର: ମୋ ବସ୍ ଯାତ୍ରୀଙ୍କ ପାଇଁ ଖୁସି ଖବର । କ୍ୟାପିଟାଲ୍ ରିଜିନ୍ ଅରବାନ୍ ଟ୍ରାନସପୋର୍ଟ (କ୍ରୁଟ୍) ଆଗାମୀ ଦୁଇମାସ ପାଇଁ ଶୀତତାପ ନିୟନ୍ତ୍ରିତ ବସଭଡାରେ ଅହେତୁକ ରିହାତି କରି ବସ୍ ଭଡାର ସୁବ୍ୟବସ୍ଥୀକରଣ କରାଯାଇଛି । ଶୀତତାପ ନିୟନ୍ତ୍ରିତ ଭଡାକୁ ୩୮ ପ୍ରତିଶତ କମାଯାଇଛି । ମାସିକ ପାସ୍‌ ଦର ମଧ୍ୟ କମାଯାଇଛି । ଏହି ନୂତନ ଭଡା ୧.୧୨.୨୦୧୯ ରୁ କାର୍ଯ୍ୟକାରୀ ହେବ ।

ଏକ ସାମ୍ବାଦିକ ସମ୍ମିଳନୀରେ କ୍ରୁଟ୍ର ମହାପ୍ରବନ୍ଧକ ଶ୍ରୀମତି ଦୀପ୍ତି ମହାପାତ୍ର ଜଣାଇଛନ୍ତି ଯେ, ଶୀତତାପ ନିୟନ୍ତ୍ରୀତ ବସର ପ୍ରଥମ ୨ କି.ମି ପାଇଁ ସର୍ବନିମ୍ନ ଭଡା ବର୍ତ୍ତମାନ ପାଇଁ ୮ ଟଙ୍କା ପରିବର୍ତ୍ତେ ୫ ଟଙ୍କାରେ ନିର୍ଦ୍ଧାରିତ କରାଯାଇଛି । ସେହିପରି ଶୀତତାପ ନିୟନ୍ତ୍ରୀତ ବସର ସର୍ବାଧିକ ଭଡା ୧୦୦ ଟଙ୍କା ପରିବର୍ତ୍ତେ ୭୦ ଟଙ୍କା କରାଯାଇଛି ।

ବର୍ତ୍ତମାନ ଶୀତତାପ ନିୟନ୍ତ୍ରୀତ ବସର ଭଡା ଅଣ ଶୀତତାପ ନିୟନ୍ତ୍ରୀତ ବସ ଭଡା ଠାରୁ ୬୦% ରୁ ୧୪୦% ଅଧିକା ରହିଛି । ବର୍ତ୍ତମାନ ଦରର ପରିବର୍ତ୍ତନ ପରେ ଏହି ଭଡା ମାତ୍ର ୩୦% ଅଧିକ ରହିବ । ଏହି ରିହାତି କରାଯିବାର ଉଦ୍ଦେଶ୍ୟ ହେଉଛି ମୋ ବସ ଯାତ୍ରୀମାନଙ୍କୁ ଏକ ନିଆରା ଅନୁଭବ ପ୍ରଦାନ କରିବା ତଥା ଶୀତଋତୁରେ ଯାତ୍ରୀ ସଂଖ୍ୟା ବୃଦ୍ଧି କରିବା । ଏହି ନୂଆ ଦର ଆଗାମୀ ଡିସେମ୍ବର ୧ରୁ ୨୦୨୦ ମାର୍ଚ୍ଚ ୩୧ ଯାଏଁ ବଳବତ୍ତର ରହିବ।

ନୂଆ ଭଡା ବିଷୟରେ ବିଶଦଭାବରେ ବ୍ୟକ୍ତକରି ଶ୍ରୀମତି ମହାପାତ୍ର କହିଛନ୍ତି ଯେ, ଯେପରିକି ଅଣ ଶୀତତାପ ନିୟନ୍ତ୍ରୀତ ବସ୍ ଭଡା ବର୍ତ୍ତମାନ ପରିପ୍ରେକ୍ଷୀରେ ଯଥାକ୍ରମେ ୫, ୮, ୧୦, ୧୩, ୧୫ ଓ ୧୭ ଟଙ୍କା ଇତ୍ୟାଦିରେ ପ୍ରଚଳିତ ଅଛି ତାହା ନୁଆ ଭଡାରେ ୫, ୧୦, ୧୫ ଓ ୨୦ କ୍ରମରେ ପରିବର୍ତ୍ତିତ କରାଯିବ । ଏହି ପ୍ରକ୍ରିୟା ଦ୍ୱାରା ପଇସା ନେଣଦେଣ ପାଇଁ ଉଭୟ ଯାତ୍ରୀ ଓ ବସଗାଇଡ୍ ମାନଙ୍କ ପାଇଁ ସମୟ ମଧ୍ୟ ବଞ୍ଚାଇବ । ଯଦ୍ୱାରା ଅଧିକ ଭିଡ ସମୟରେ ଏହା ବିଶେଷ ରୂପେ ସହାୟକ ହେବ ।

ଅଣ ଶୀତତାପ ନିୟନ୍ତ୍ରୀତ ବସ୍ର ମାସିକ ଭଡା ବର୍ତ୍ତମାନ ୬୦୦ ଟଙ୍କା ପରିବର୍ତ୍ତେ ୫୫୦ ଟଙ୍କା ଭୁବନେଶ୍ୱର ପାସ୍ ର (ଶୀତତାପ ନିୟନ୍ତ୍ରୀତ) ଭଡା ୯୦୦ ଟଙ୍କା ପରିବର୍ତ୍ତେ ୭୫୦ ଟଙ୍କା କରାଯିବ । ସେହିପରି ମ୍ୟାଜିକ ପାସ୍ ର ଭଡା ଅଣ ଶୀତତାପ ନିୟନ୍ତ୍ରୀତ ପାଇଁ ୧୨୦୦ ଟଙ୍କା ପରିବର୍ତ୍ତେ ୧୧୦୦ ଟଙ୍କା ଓ ଶୀତତାପ ନିୟନ୍ତ୍ରୀତ ବସ୍ ପାଇଁ ୧୮୦୦ ଟଙ୍କା ପରିବର୍ତ୍ତେ ୧୫୦୦ ଟଙ୍କା କରାଗଲା ।

Comments are closed.