ଭୁବନେଶ୍ୱର: ଆଜି ରାଜ୍ୟରେ ୧୫୪୨ଟି ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର ଶୁଭାରମ୍ଭ ହୋଇଯାଇଛି । ଲୋକସେବା ଭବନର କନଭେନସନ ସେଣ୍ଟର ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମବାୟ ସମିତି ଗୁଡିକର ଶୁଭାରମ୍ଭ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମବାୟ ଆନ୍ଦୋଳନକୁ ଲୋକାଭିମୁଖୀ କରିବା ପାଇଁ କେନ୍ଦ୍ର ସରକାରଙ୍କ ସମବାୟ ବିଭାଗ ଆନୁକୂଲ୍ୟରେ ବିଭିନ୍ନ ନୂତନ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ପାଇଁ ଆମ ସରକାର ପ୍ରାଧାନ୍ୟ ଦେଉଛନ୍ତି । ଏଥିରେ ସମୁଦାୟ ୫୪ ଟି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
ଏଗୁଡିକ ମଧ୍ୟରୁ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ହେଉଛି, ପିଏସିଏସ ଓ ଏଲଏଏମପିସିଏସ ଗୁଡିକୁ ବହୁମୁଖି କରିବା ପାଇଁ ମଡେଲ ବାଇ-ଲ ପ୍ରଚଳନ; କମ୍ପ୍ୟୁଟରିକରଣ ମାଧ୍ୟମରେ ପିଏସିଏସ ଗୁଡିକୁ ସ୍ୱଚ୍ଛ ଓ ମଜଭୁତ କରିବା, ସାର ଓ ବିହନ ଯୋଗାଣ, ଜନ ଔଷଧୀ କେନ୍ଦ୍ର ଓ କମନ୍ ସର୍ଭିସ ସେଣ୍ଟର ସ୍ଥାପନ, କୃଷି ସେବା କେନ୍ଦ୍ର ସ୍ଥାପନ, କଷଟ୍ୟୁମର ଷ୍ଟୋର ସ୍ଥାପନ, ବୈଜ୍ଞାନିକ ପଦ୍ଧତିରେ ଶସ୍ୟ ସଂରକ୍ଷଣ କେନ୍ଦ୍ର ସ୍ଥାପନ ଇତ୍ୟାଦି ।
ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୭୭ଟି ପ୍ୟାକ୍ସକୁ ମଡେଲ୍ ପ୍ୟାକ୍ସ ଭାବରେ ବିକଶିତ କରିବା ପାଇଁ ନିଷ୍ପତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହି ମଡେଲ ପ୍ୟାକ୍ସ ଗୁଡିକ ଗୋଟିଏ ଗୋଟିଏ ସପ୍ ଭଳି କାର୍ଯ୍ୟ କରିବ, ଅର୍ଥାତ ଗୋଟିଏ ଛାତ ତଳେ କୃଷି ସମ୍ବନ୍ଧୀୟ ସବୁ ପ୍ରକାର ସୁବିଧା ମିଳିବ ବୋଲି ସେ କହିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ୨୦୧୫ ମସିହାରୁ ବନ୍ଦ ହୋଇ ପଡିଥିବା ଭୁବନେଶ୍ୱର ସହରାଞ୍ଚଳ ସମବାୟ ବ୍ୟାଙ୍କର ସମସ୍ତ ଜମାକାରୀମାନଙ୍କୁ ଜମାରାଶି ଫେରସ୍ତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ୱାରା ସମବାୟ ବ୍ୟାଙ୍କ ଉପରେ ଲୋକମାନଙ୍କ ଆସ୍ଥା ପୁନଃ ପ୍ରତିଷ୍ଠାରେ ସହାୟକ ହେବ ବୋଲି ସେ କହିଥିଲେ ।
ନୂଆ ସରକାର ସମବାୟ କ୍ଷେତ୍ରକୁ କ୍ରିୟାଶୀଳ ଓ ଚଳଚଞ୍ଚଳ କରିବା ପାଇଁ ପ୍ରତିଶୃତିବଦ୍ଧ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମବାୟ ସଂସ୍ଥା ଉପରେ ଲୋକଙ୍କ ଆସ୍ଥା ଫେରାଇ ଆଣିବା ସହିତ ଏହାକୁ ଗ୍ରାମ୍ୟ ଅର୍ଥନୀତି ବିକାଶର ଏକ ପ୍ରମୁଖ ଇଞ୍ଜିନ ଭାବରେ ପରିଣତ କରିବା ପାଇଁ ଆମର ଉଦ୍ୟମ ଜାରି ରହିବ ।