ଭୁବନେଶ୍ୱର: ବନ୍ୟପ୍ରାଣୀ ବଦଳ ଯୋଜନାରେ ମଧ୍ୟ ପ୍ରଦେଶ ସରକାର ଓଡ଼ିଶା ସମେତ ରାଜସ୍ଥାନ ଏବଂ ଛତିଶଗଡ଼କୁ ୧୪ ଟି ବାଘ ପଠାଇବେ । ଏହା ଭିତରେ ଓଡିଶା ମଧ୍ୟ ରହିଛି । ମହାରାଷ୍ଟ୍ରରୁ ଓଡ଼ିଶା ଆସିଥିବା ବାଘୁଣୀ ଜିନ୍ନତ ଏବେ ଶିମିଳିପାଳ ଛାଡି ଚାଲିଯାଇଥିବାବେଳେ, ପୁଣି ଆଉ ଦୁଇ ଟି ବାଘ ଓଡିଶା ଆସିବାକୁ ପ୍ରସ୍ତୁତ ହେଉଛନ୍ତି ।
ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମଧ୍ୟ ପ୍ରଦେଶରୁ ଆସୁଥିବା ୧୪ ଟି ବାଘ ମଧ୍ୟରୁ ୮ଟି ଛତିଶଗଡ଼କୁ ପଠାଇବାକୁ ଥିବାବେଳେ, ୪ଟି ରାଜସ୍ଥାନ ଏବଂ ଦୁଇଟି ଓଡିଶାକୁ ସ୍ଥାନାନ୍ତରଣ ହେବେ । ଜଣେ ପ୍ରାଣୀ ଚିକିତ୍ସକଙ୍କ ତତ୍ୱାବଧାନରେ ମଧ୍ୟପ୍ରଦେଶର ବାନ୍ଧବଗଡ, ପନ୍ନା, କାହ୍ନା ଏବଂ ପେଞ୍ଚରେ ଥିବା ବାଘମାନଙ୍କ ବାଘ ସଂରକ୍ଷଣ ସ୍ଥାନରୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ରହିଛି ।
ବାଘମାନଙ୍କର ସ୍ଥାନାନ୍ତର ପ୍ରକ୍ରିୟାର ସମ୍ପୂର୍ଣ୍ଣ ଖର୍ଚ୍ଚ ରାଜ୍ୟଗୁଡିକ ବହନ କରିବେ । ସ୍ଥାନାନ୍ତର ପ୍ରକ୍ରିୟା କେନ୍ଦ୍ରର ବାଧ୍ୟତାମୂଳକ ଅନୁମୋଦନ ସହିତ କରାଯିବ ।
ଭାରତରେ ମୋଟ ୩ ହଜାର ୮୦୦ଟି ବାଘ ରହିଛନ୍ତି । ସେଥିମଧ୍ୟରୁ ୭୮୫ ରୁ ଅଧିକ ବାଘ ମଧ୍ୟପ୍ରଦେଶରେ ରହୁଥିବା ବେଳେ ଗତ କିଛି ବର୍ଷ ଧରି ‘ଟାଇଗର ଷ୍ଟେଟ୍’ର ଟ୍ୟାଗ୍ ବଜାୟ ରଖିଛି ଏହି ରାଜ୍ୟ ବୋଲି ସୂଚନା ଦେଇଛି ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ।