Latest Odisha News

BREAKING NEWS

ଦୁର୍ବୃତ୍ତଙ୍କ ନୃଶଂସ କାଣ୍ଡ: ଦୁଷ୍କର୍ମ ପରେ ମହିଳା ଡାକ୍ତରଙ୍କୁ ଜିଅନ୍ତା ଜାଳିଦେଲେ…

ହାଇଦ୍ରାବାଦ: ହାଇଦ୍ରାବାଦ ସହରରେ ଗୁରୁବାର ରାତିରେ ଘଟିଛି ଏକ ଲୋମହର୍ଷଣକାରୀ ଘଟଣା । ଜଣେ ମହିଳା ପଶୁ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ଦୁର୍ବୃତ୍ତ ମାନେ ଅତି ନିର୍ମମ ଭାବେ କିରାସିନ ଢାଳି ଜିଅନ୍ତା ଜାଳିଦେଇଥିବା ଅଭିଯୋଗ ହୋଇଛି ।

ଗଣମାଧ୍ୟମରେ ପ୍ରକାଶ ରିପୋର୍ଟ ଅନୁଯାୟୀ, ମୃତ ମହିଳାଙ୍କ ନାମ ପ୍ରିୟଙ୍କା ରେଡ୍ଡୀ ବୋଲି ଜଣାପଡ଼ିଛି । ପ୍ରିୟଙ୍କା ଶମ୍ସାବାଦର କୋଲ୍ଲୁରୁସ୍ଥିତ ପଶୁ ଡାକ୍ତରଖାନାରେ କାମ କରୁଥିଲେ ।

ସବୁଦିନ ଭଳି ଘଟଣା ଦିନ ମଧ୍ୟ ପ୍ରିୟଙ୍କା ନିଜ କାମରେ ବାହାରି ଯାଇଥିଲେ । ପ୍ରିୟଙ୍କାଙ୍କ ଭଉଣୀଙ୍କ କହିବା ମୁତାବକ, ଗୁରୁବାର ରାତି ୯ଟା ୨୨ମିନିଟରେ ପ୍ରିୟଙ୍କା ତାଙ୍କୁ ଫୋନ କରି ତାଙ୍କ ଗାଡିର ଟାୟାର ପଙ୍କଚର ହୋଇ ଯାଇଥିବା ଜଣାଇଥିଲେ। ଏହାସହ ତାଙ୍କୁ ସାହାଯ୍ୟ କରିବାକୁ ଆସିଥିବା କିଛି ଯୁବକଙ୍କୁ ଦେଖି ସେ ଡ଼ରି ଯାଇଥିବା କଥା ମଧ୍ୟ ପ୍ରିୟଙ୍କା ତାଙ୍କ ଭଉଣୀଙ୍କୁ ଜଣାଇଥିବା ସେ କହିଛନ୍ତି ।

ପ୍ରିୟଙ୍କା ଗାଡ଼ି ଷ୍ଟାର୍ଟ କରି ଆଗକୁ ଆସୁଥିବା ବେଳେ ସେମାନେ ପଛରୁ, “ମ୍ୟାଡାମ ଗାଡ଼ି ଆଗକୁ ଯାଇ ପାରିବ ନାହିଁ, ଟାୟାର ପଙ୍କଚର ହୋଇ ଯାଇଛି” ବୋଲି କହି ପାଟି କରିବାକୁ ଲାଗିଥିଲେ। ପ୍ରିୟଙ୍କା ବସ୍ ଷ୍ଟାଣ୍ଡରେ ଟାୟାରକୁ ଠିକ୍ କରାଇବା ପାଇଁ ଚିନ୍ତା କରିଥିଲେ ମଧ୍ୟ ସେମାନେ ତାଙ୍କୁ ଆଗକୁ ଯିବା ପାଇଁ ଦେଇ ନଥିବା ତାଙ୍କ ଭଉଣୀ ପ୍ରକାଶ କରିଛନ୍ତି।

ତେବେ ପ୍ରିୟଙ୍କାଙ୍କୁ ଟୋଲ ପ୍ଲାଜାରେ ଗାଡି ରଖି କ୍ୟାବରେ ଘରକୁ ଆସିବାକୁ କହି ତାଙ୍କ ଭଉଣୀ ଫୋନ ରଖି ଦେଇଥିଲେ । ପରେ ୯ଟା ୪୪ମିନିଟରେ ତାଙ୍କ ଭଉଣୀ ପୁଣି ଫୋନ କରିବା ପରେ ପ୍ରିୟଙ୍କାଙ୍କ ଫୋନ ବନ୍ଦ ହୋଇ ଯାଇଥିଲା। ଏହାପରେ ସେ ଟୋଲ ପ୍ଲାଜାରେ ପହଞ୍ଚି ଖୋଜାଖୋଜି କରିବା ସହ ପୋଲିସରେ ଅଭିଯୋଗ କରିଥିବା ତାଙ୍କ ଭଉଣୀ କହିଛନ୍ତି ।

ଘଟଣାସ୍ଥଳରେ ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରି ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି‌ଥିବା ସୂଚନା ମିଳିଛି ।

ତେବେ ପୋଲିସ ଗିରଫ କରିଥିବା ୪ଜଣ ଅଭିଯୁକ୍ତ ମଧ୍ୟରୁ ଜଣେ ଟ୍ରକ୍ ଚାଳକ ଓ ଜଣେ ସଫେଇ କର୍ମଚାରୀ ହୋଇଥିବା ସୂଚନା ମିଳିଛି।

ପୋଲିସର କହିବା ମୁତାବକ, ୪ଜଣ ଅଭିଯୁକ୍ତ ଜାଣିଶୁଣି ପ୍ରଥମେ ପ୍ରିୟଙ୍କାଙ୍କ ଟାୟାର ପଙ୍କଚର କରିଥିଲେ । ପରେ ସାହାଯ୍ୟ କରିବା ବାହାନାରେ ପ୍ରିୟଙ୍କାଙ୍କୁ ଏକ ଜନଶୂନ୍ୟ ସ୍ଥାନକୁ ନେଇଯିବା ସହ ତାଙ୍କ ସହ ଦୁଷ୍କର୍ମ କରିଥିଲେ।

ଏହାପରେ ଧରା ପଡ଼ିବା ଡ଼ରରେ ଅଭିଯୁକ୍ତମାନେ ପ୍ରିୟଙ୍କାଙ୍କ ଗଳା କାଟି ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଓଢ଼ଣିରେ ଗୁଡ଼ାଇ ଆଣି ଓଭରବ୍ରିଜ୍ ତଳେ ଫିଙ୍ଗି ଦେଇଥିଲେ। ଏହାପ‌ରେ ସେଥିରେ କିରୋସିନ ଢ଼ାଳି ଅତି ନିର୍ମମ ଭାବେ ନିଆଁ ଲଗାଇ ଦେଇଥିଲେ ।

ହତ୍ୟା କରାଯାଇଥିବା ସ୍ଥାନରୁ ୨୫କିଲୋମିଟର ଦୂରରେ ପୀଡ଼ିତାଙ୍କ ମୃତଦେହକୁ ପୋଡ଼ାଯାଇଥିଲା ବୋଲି ପୋଲିସ ସୂଚନା ଦେଇଛି ।

ଆଜି ସକାଳେ ଏହି ଘଟଣା ସାମ୍ନାକୁ ଆସିବା ପରେ ହାଇଦ୍ରାବାଦ ସମେତ ସାରାଦେଶରେ ଚହଳ ପଡି ଯାଇଛି । ନେତା ଠାରୁ ଅଭିନେତା ସଭିଏଁ ପ୍ରିୟଙ୍କାଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଛନ୍ତି ।

Leave A Reply

Your email address will not be published.