ଭୁବନେଶ୍ବର: ଆଜି ରିଲିଜ ହେଲା ବର୍ଷା ପ୍ରିୟଦର୍ଶିନୀଙ୍କ ନୂଆ ଚଳଚ୍ଚିତ୍ର ‘ୱାଇଫ’। ରାଜ୍ୟର ୧୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ‘ୱାଇଫ’। ୱାଇଫ୍ ର ପ୍ରିମିଅର ଶୋ’ କଟକ ସ୍ଥିତ ସଙ୍ଗମ ସିନେମା ହଲ୍ ରେ ହୋଇଛି ।
ପ୍ରିମିଅର ଶୋ’ ରେ ଅଭିନେତ୍ରୀ, କ୍ରିଏଟିଭ ହେଡ଼ ବର୍ଷା ପ୍ରିୟଦର୍ଶିନୀ, ଅଭିନେତା ଜୟଜିତ୍ ଦାସଙ୍କ ସମେତ ପ୍ରଯୋଜକ ବିଜୟ କଣ୍ଡୋଇ, ବିତରଣ ମୁଖ୍ୟ ପରେଶ୍ ଆଭଲାନୀ, ନିର୍ଦ୍ଦେଶକ ସୁଧାକର ବସନ୍ତ, କାର୍ଯ୍ୟକାରୀ ନିର୍ଦ୍ଦେଶକ ବବି ଇସ୍ଲାମ, ପ୍ରଚାର ଓ ପ୍ରସାର ମୁଖ୍ୟ ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀଙ୍କ ସମେତ ଚଳଚ୍ଚିତ୍ରର ସମସ୍ତ କଳାକାର ଏବଂ ଟେକ୍ନିସିଆନ୍ସ, ସିନେ ସମୀକ୍ଷକ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ଫାନ୍ସ ମାନେ ବସି ଫିଲ୍ମଟିକୁ ଦେଖିଥିଲେ ।
ତେବେ ଫିଲ୍ମର ମୂଳ ବିଷୟବସ୍ତୁ ହେଉଛି, ଜଣେ ୱାଇଫ୍ ର ଅକୁହା କାହାଣୀର ମୁକସାକ୍ଷୀ କେବଳ ଘରର ଚାରିକାନ୍ଥ । ୱାଇଫର ହସ ଖୁସି, ତ୍ୟାଗ ବଳିଦାନ ଓ ସଂଘର୍ଷର ମୁକସାକ୍ଷୀ କେବଳ ଭଗବାନ । ଆଜିର ସମାଜରେ ବିବାହର ପରିଭାଷା ବଦଳିଯାଇଛି । ସମାଜରେ ଆମ ପରମ୍ପରାରେ ଶାସ୍ତ୍ରରେ ବିବାହ ଅନୁଷ୍ଠାନର ଭୂମିକା କଣ? ବୈବାହିକ ସମ୍ପର୍କରେ ମହତ୍ତ୍ଵ, ଦାୟିତ୍ଵ ଓ ସମ୍ମାନର କଥାକୁ ନେଇ ବଡ଼ ପରଦାରେ ମୁକ୍ତିଲାଭ କରିଛି ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନୂଆ ଚଳଚ୍ଚିତ୍ର “ୱାଇଫ୍” ।
ତେବେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ସୁଧାକର ବସନ୍ତ ଦେଇଥିବାବେଳେ ଏହାର କାର୍ଯ୍ୟକାରୀ ନିର୍ଦ୍ଦେଶକ ଅଛନ୍ତି ବବି ଇସଲାମ, ସଂଳାପ ଲେଖିଛନ୍ତି ବିଜୟ ମଲ୍ଲ । ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ର ଏବଂ ଗୀତ ରଚନା କରିଛନ୍ତି ବିଜୟ ମଲ୍ଲ ଏବଂ ଅରୁଣ ମନ୍ତ୍ରୀ । କଣ୍ଠଦାନ କରିଛନ୍ତି ଇରା ମହାନ୍ତି, ହ୍ୟୁମାନ ସାଗର ଏବଂ ସତ୍ୟଜିତ ପ୍ରଧାନ । ମୋଟ ୪ଟି ଗୀତ ବେଶ ଶୃତି ମଧୁର ଓ ମେଲୋଡିଅସ ହୋଇଛି ।
ଚଳଚ୍ଚିତ୍ରର ପ୍ରଥମ ଦିନରେ ସାରା ଓଡ଼ିଶାର ୧୦ଟି ଯାକ ପ୍ରେକ୍ଷାଳୟରେ ଦର୍ଶକମାନେ ୱାଇଫ୍ ଦେଖିଛନ୍ତି । ପ୍ରଥମ ଦିନରେ ଚଳଚ୍ଚିତ୍ରଟି ବହୁ ପ୍ରଶଂସା ସାଉଁଟି ପାରିଛି ।
Comments are closed.