Latest Odisha News

ଆତଙ୍କ ଖେଳାଇଲାଣି ରହସ୍ୟମୟ ଭାଇରସ, ଜାଣନ୍ତୁ ଏହାର ଲକ୍ଷଣ ଓ ପ୍ରତିକାର

ନୂଆଦିଲ୍ଲୀ: ଚୀନରେ ପୁଣି ଏକ ରହସ୍ୟମୟ ଭାଇରସର ଆତଙ୍କ । ଡରାଇଲାଣି ନୂଆ ଭାଇରସ୍ ଏଚଏମପିଭି । କରୋନା ମହାମାରୀର ୫ ବର୍ଷ ପରେ ଦେଶରେ ଦ୍ରୁତ ଗତିରେ ବ୍ୟାପୁଛି ‘ହ୍ୟୁମାନ ମେଟାନ୍ୟୁମୋଭାଇରସ୍’ । କୋଭିଡ୍ ଭଳି ସଂକ୍ରମିତ ହେଉଛନ୍ତି ଛୋଟ ପିଲା ଓ ବୟସ୍କ ବ୍ୟକ୍ତି । ଏହାର ଲକ୍ଷଣ ଠିକ୍ ଫ୍ଲୁ ଏବଂ କୋଭିଡ-୧୯ ପରି । ଦ୍ରୁତ ଗତିରେ ବଢୁଛି ଏହି ସଂକ୍ରମିତଙ୍କ ସଂଖ୍ୟା। ନିମୋନିଆ ସମେତ ଫୁସଫୁସକୁ ଆକ୍ରାନ୍ତ କରୁଛି । ତେବେ କେଉଁ ଭୂତାଣୁରୁ ସଂକ୍ରମଣ ବ୍ୟାପୁଛି ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ। ବର୍ତ୍ତମାନ ସୁଦ୍ଧା ଚୀନରେ ୭,୮୩୪ଟି ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ ସେଥିମଧ୍ୟରୁ ୧୭୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ତେବେ ଆସନ୍ତ ଜାଣିବା ଏହି ରୋଗର ଲକ୍ଷଣ ଓ ପ୍ରତିକାର ।

ଲକ୍ଷଣ

ଏହି ଭୂତାଣୁ ସଂକ୍ରମଣରେ ଥଣ୍ଡା ବା ସର୍ଦ୍ଦି ଭଳି ଲକ୍ଷଣ ପ୍ରକାଶ ପାଇଥାଏ। ଏହା ପ୍ରଥମେ ଶ୍ବାସକ୍ରିୟାକୁ ପ୍ରଭାବିତ କରିଥାଏ। ଧିରେ ଧିରେ ନିଶ୍ଵାସ ପ୍ରଶ୍ଵାସରେ କଷ୍ଟ ଅନୁଭବ ହୁଏ । ଏହି ଭୂତାଣୁ ଦ୍ଵାରା ସଂକ୍ରମିତ ହେଲେ ଜ୍ବର ହେବା ସହିତ କାଶ, ନାକ ରୁନ୍ଧି ହେବା, ଗଳା ଦରଜ, ଶ୍ବାସକ୍ରିୟାରେ କଷ୍ଟ ଭଳି ଲକ୍ଷଣମାନ ପ୍ରକାଶ ପାଇଥାଏ। ୩ରୁ ୬ଦିନ ପର୍ଯ୍ୟନ୍ତ ଏପରି ଲକ୍ଷଣ ଲାଗି ରହିଥାଏ।

ପ୍ରତିକାର

ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ଦ୍ଵାରା ଏହି ଭୂତାଣୁ ଅନ୍ୟ ଜଣଙ୍କୁ ସଂକ୍ରମଣ ହୋଇଥାଏ। ତେଣୁ ସଂକ୍ରମଣରୁ ଦୂରେଇ ରହିବାକୁ ହେଲେ ସାମାଜିକ ଦୂରତା ରକ୍ଷା କରିବା ନିହାତି ଦରକାର। ସଂକ୍ରମଣରୁ ରକ୍ଷା ପାଇଁ ହାତକୁ ନିୟମିତ ଭାବେ ଭଲଭାବରେ ଧୁଅନ୍ତୁ । କାଶିବା ଓ ଛିଙ୍କିବା ସମୟରେ ମୁହଁ ଓ ନାକକୁ କପଡାରେ ଘୋଡେଇ ରଖନ୍ତୁ। ଆବଶ୍ୟକ ସମୟରେ ମାସ୍କ ପିନ୍ଧନ୍ତୁ। ହାତ ନ ଧୋଇ ନାକ, ପାଟି ଆଖିକୁ ସ୍ପର୍ଶ କରନ୍ତୁ ନାହିଁ। ନିୟମିତ ସାନିଟାଇଜର ବ୍ୟବହାର କରନ୍ତୁ । ଅସୁସ୍ଥ ଅନୁଭବ କଲେ ସେଲ୍‌ଫ ଆଇସୋଲେସନରେ ରୁହନ୍ତୁ।

Comments are closed.