Latest Odisha News

‘ପ୍ରବାସୀ ଭାରତୀୟ ଦିବସ’ରେ ଶୋଭା ବଢାଇବ ଓଡ଼ିଶା ଥିମ୍ ପ୍ୟାଭିଲିୟନ

ଭୁବନେଶ୍ୱର: ଭୁବନେଶ୍ୱର ଜନତା ମଇଦାନରେ ଆଉ ମାତ୍ର ୪ ଦିନ ପରେ ଆରମ୍ଭ ହେବ ‘ପ୍ରବାସୀ ଭାରତୀୟ ଦିବସ’ର ୧୮ତମ ସଂସ୍କରଣ। ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେଉଥିବା ଏହି ସମ୍ମିଳନୀ ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି।

ବିଭିନ୍ନ ଦେଶରୁ ଆସୁଥିବା ପ୍ରତିନିଧିଙ୍କ ପାଇଁ ସମ୍ମିଳନୀରେ ପ୍ରମୁଖ ଆକର୍ଷଣ ହେବ ଓଡ଼ିଶା ଥିମ୍ ପ୍ୟାଭିଲିୟନ । ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ଏହି ପ୍ୟାଭିଲିୟନରେ ଓଡ଼ିଶାର ଐତିହ୍ୟ, ପାରମ୍ପରିକ ସଂସ୍କୃତି, ଅନନ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଶିଳ୍ପ ବିକାଶ ପ୍ରଦର୍ଶିତ ହେବ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ପ୍ରସ୍ତୁତ ଏହି ପ୍ୟାଭିଲିୟନ ଓଡ଼ିଶା ସଂସ୍କୃତିର ପେଣ୍ଠସ୍ଥଳ ହେବ।

୪୦୦ ବର୍ଗ ମିଟର ପରିବ୍ୟାପ୍ତ ଅଞ୍ଚଳରେ ନିର୍ମିତ ଏହି ପ୍ୟାଭିଲିୟନର ନାମ ରହିଛି ‘ଗ୍ଲୋରିୟସ ଓଡ଼ିଶା: ପ୍ରାଚୀନରୁ ଆଧୁନିକ। ପ୍ୟାଭିଲିୟନକୁ ପାରମ୍ପରିକ କାରିଗରୀ ଏବଂ ଆଧୁନିକ ଡିଜାଇନର ଏକ ସନ୍ତୁଳିତ ଏକୀକରଣରେ ଉପସ୍ଥାପନ କରାଯିବ। ଏହାର ଗଠନ ଶୈଳୀରେ ଓଡ଼ିଶାର ଆଭ୍ୟନ୍ତରୀଣ ପରମ୍ପରା ସଂସ୍କୃତି, ପ୍ରସିଦ୍ଧ ବ୍ୟକ୍ତିତ୍ୱ ତଥା ରାଜ୍ୟର ବୈଶିଷ୍ଟ୍ୟର ଛାପ ଦେଖିବାକୁ ମିଳିବ।

ଏହାକୁ ପଟ୍ଟଚିତ୍ର, ଚାନ୍ଦୁଆ କାର୍ଯ୍ୟ ଏବଂ ଆଦିବାସୀ ଚିତ୍ରକଳାରେ ସୁସଜ୍ଜିତ କରାଯିବ। ଯାହା ଦର୍ଶକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ। ପ୍ୟାଭିଲିୟନରେ ଶ୍ରୀଜଗନ୍ନାଥ ସଂସ୍କୃତି, କଳିଙ୍ଗ ଯୁଦ୍ଧ, ସମ୍ରାଟ ଅଶୋକଙ୍କ ଚଣ୍ଡାଶୋକରୁ ଧର୍ମାଶୋକରେ ରୂପାନ୍ତରଣ, ଐତିହ୍ୟ ବାଲିଯାତ୍ରା ଓ ଅନ୍ୟାନ୍ୟ କୀର୍ତ୍ତିରାଜି ଗୁଡ଼ିକର ପ୍ରଦର୍ଶନ କରାଯିବ। ଏହାର ବାହ୍ୟ ସରଂଚନାରେ ଓଡ଼ିଶାର ଅନନ୍ୟ କଳା, ହସ୍ତତନ୍ତ, ଐତିହ୍ୟ, ପାରମ୍ପରିକ ସଂସ୍କୃତି, ଅନନ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟ, ହସ୍ତଶିଳ୍ପ, ଆଦିବାସୀ ସମ୍ପ୍ରଦାୟର ଅବଦାନ ସମେତ ଓଡ଼ିଶାର ସାଂସ୍କୃତିକ ଉତ୍ତରାଧିକାରକୁ ଦର୍ଶାଉଥିବା ଭିଜୁଆଲ୍ କାହାଣୀଗୁଡ଼ିକ ଉପସ୍ଥାପିତ ହେବ।

ପରିଦର୍ଶକମାନଙ୍କୁ ପ୍ରବେଶ କ୍ଷେତ୍ର ଏବଂ ୩ଡି ସ୍ଥାପତ୍ୟ ଆକର୍ଷିତ କରିବ। ବଡ଼ ଆକାରର 3D ସ୍ଥାପତ୍ୟଗୁଡ଼ିକ ଓଡ଼ିଶାର ପ୍ରତୀକ, ସାଂସ୍କୃତିକ ଉପାଦାନ ଏବଂ ଶିଳ୍ପ ସଫଳତାକୁ ପ୍ରତିନିଧିତ୍ୱ କରିବ। କୋଣାର୍କ ସୂର୍ଯ୍ୟ ମନ୍ଦିରର ଏକ ବିସ୍ତୃତ ପ୍ରତିକୃତି ଏଠାରେ ସ୍ଥାନ ପାଇବ। ଏହାସହ ଚିଲିକା ହ୍ରଦ ଇକୋସିଷ୍ଟମ୍, ପକ୍ଷୀ ବିହାରର ଭର୍ଚୁଆଲ୍ ଅନୁଭୂତି ନେବେ ପ୍ରବାସୀ।

ଆହୁରି ମଧ୍ଯ ଡିଜିଟାଲ ମାଧ୍ୟମରେ ଓଡ଼ିଶାର ପର୍ଯ୍ୟଟନ, ସଂସ୍କୃତି, କଳା, ଭାସ୍କର୍ଯ୍ୟ ତଥା ବିକାଶୋନ୍ମୁଖୀ ଶିଳ୍ପର ସୁଯୋଗ ପୃଷ୍ଠଭୂମି ଭାବେ ଓଡ଼ିଶାର ବିଷୟବସ୍ତୁ ପ୍ରଦର୍ଶନ କରିବାର ଯୋଜନା ରହିଛି। ପାରମ୍ପରିକ ସଂସ୍କୃତିକୁ ଏଥର ଆନିମେଟେଡ଼ ଭିଡ଼ିଓ, ଡିଜିଟାଲ୍ କଣ୍ଟେଣ୍ଟ୍ ଓ ଭର୍ଚୁଆଲ ରିଆଲିଟି ଆଦି ଆଧୁନିକ ମାଧ୍ୟମରେ ପରିବେଷଣ କରିବାର ମଧ୍ୟ ଯୋଜନା ରହିଛି। ଏଥିସହ ଓଡିଶାର ଶିଳ୍ପ ପ୍ରଗତିକୁ ଆଲୋକିତ କରୁଥିବା ମଡେଲଗୁଡ଼ିକ ମଧ୍ଯ ପ୍ରଦର୍ଶିତ ହେବ।

 

Comments are closed.