ଦିଶପୁର: ଜାନୁଆରୀ ୬ ତାରିଖରେ ଆସାମର ଉମରଙ୍ଗସୋରେ ଥିବା ୩୦୦ ଫୁଟ ଗଭୀର ଏକ କୋଇଲା ଖଣିରେ ପାଣି ପଶିଯିବାରୁ ୯ ଜଣ ଖଣି କର୍ମଚାରୀ ଫସିରହିଥିବା ଘଟଣାରେ ଆଜି ୩ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଅନ୍ୟ ୬ ଜଣଙ୍କୁ ଉଦ୍ଧାର ପାଇଁ ଭାରତୀୟ ସେନା, ଆସାମ ରାଇଫଲ୍ସ, ଏନଡିଆରଏଫ ଓ ଏସଡିଆରଏଫ ପକ୍ଷରୁ ରେସକ୍ୟୁ ଅପରେସନ ଜାରି ରହିଛି ।
ଗତ ୩ ଦିନ ହେଲା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗତକାଲି ସଂଧ୍ୟାରେ ରେସକ୍ୟୁ ଅଭିଯାନ ସାମୟିକ ସ୍ଥଗିତ ରହିଥିବା ବେଳେ ଆଜି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି । ଏହି ଘଟଣାରେ ଏତଲା ରୁଜୁ ପାଇଁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ନିର୍ଦ୍ଦେଶ ଦେଇଛନ୍ତି । ଘଟଣାରେ ଜଡ଼ିତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ।
ଅଧିକାରୀଙ୍କ ସୂଚନା ମୁତାବକ, ୩୦୦ ଫୁଟ୍ ଗଭୀର ଖଣି ଭିତରେ ପାଣି ପ୍ରାୟ ୧୦୦ ଫୁଟ୍ ଯାଏ ବଢ଼ି ଯାଇଛି । ଖଣିରେ ଅନେକ ମୂଷା ଗାତ ଥିବାରୁ ଏବଂ ବହୁ ଉଚ୍ଚତା ପର୍ଯ୍ୟନ୍ତ ପାଣି ଭରିଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜୁଛି ।