Latest Odisha News

ଫଡନାଭିସ୍ ତିନି ଦିନର ମୁଖ୍ୟମନ୍ତ୍ରୀ ହେବା ପଛର ପ୍ରକୃତ କାରଣ…

ମହାରାଷ୍ଟ୍ର: ନିଜ ସପକ୍ଷରେ ବହୁମତ ନାହିଁ ବୋଲି ଜାଣିବା ସତ୍ତେ୍ୱ ଦେବେନ୍ଦ୍ର ଫଡନାଭିସ ଏନସିପି ନେତା ଅଜିତ ପୱାରଙ୍କ ସହିତ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିଥିଲେ । ମାତ୍ର ତିନିଦିନ ପାଇଁ ତିଷ୍ଠି ଥିବା ଏହି ସରକାର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ଆଗରୁ ଇସ୍ତଫା ଦେଇଥିଲେ ଫଡନାଭିସ୍ । ତେବେ ସବୁ ଜାଣିବା ପରେ ମଧ୍ୟ କାହିଁକି ବଦନାମ ମୁଣ୍ଡାଇବାକୁ ଯାଇଥିଲେ ଫଡନାଭିସ୍ ତାହା ସେତେବେଳେ ଅନେକଙ୍କ ମନକୁ ଆସିଥିଲା । ଏବେ ଏହାର କାରଣ ଉନ୍ମୋଚନ କରିଛନ୍ତି ଖୋଦ୍ ବିଜେପିର ବରିଷ୍ଠ ନେତା ଅନନ୍ତ କୁମାର ହେଗଡେ । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବର୍ତ୍ତମାନ କର୍ଣ୍ଣାଟକର ଉତ୍ତର କନ୍ନଡ ଆସନରୁ ସାଂସଦ ଥିବା ଅନନ୍ତ କୁମାର ହେଗଡେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ୪୦ ହଜାର କୋଟି ଟଙ୍କା ବଞ୍ଚାଇବା ପାଇଁ ଦେବେନ୍ଦ୍ର ଫଡନାଭିସଙ୍କୁ ତିନି ଦିନର ମୁଖ୍ୟମନ୍ତ୍ରୀ ହେବାକୁ ପଡିଥିଲା ।

ହେଗଡେ କହିଛନ୍ତି, “ଆପଣମାନେ ଜାଣନ୍ତି ମହାରାଷ୍ଟ୍ରରେ ଆମ ଲୋକ ୮୦ ଘଣ୍ଟା ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ପୁଣି ଫଡନାଭିସ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ । ସେ ଏହି ଡ୍ରାମା କାହିଁକି କଲେ । କଣ ଆମେ ଜାଣିନଥିଲୁ କି, ଆମ ପାଖରେ ସଂଖ୍ୟାଗରିଷ୍ଠତା ନାହିଁ । ସହୁ ଜାଣି ମଧ୍ୟ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସମସ୍ତେ ଏହି ପ୍ରଶ୍ନ ପଚାରୁଛନ୍ତି ।”

୧୫ ଘଣ୍ଟାରେ ଫେରାଇ ଦିଆଗଲା ୪୦ ହଜାର କୋଟି
ଅନନ୍ତ କୁମାର ହେଗଡେଙ୍କ କହିବା ଅନୁସାରେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କେନ୍ଦ୍ରର ୪୦ ହଜାର କୋଟି ଟଙ୍କା ରହିଥିଲା । ଫଡନାଭିସ ଜାଣିଥିଲେ ଯଦି ଶିବସେନା-ଏନସିପି-କଂଗ୍ରେସ ସରକାର କ୍ଷମତାକୁ ଆସେ ଏହି ଟଙ୍କାର ଦୂରୁପଯୋଗ ହେବ । ଏହି କାରଣରୁ ସେ ପୂରା ଡ୍ରାମା କରିଥିଲେ । ତେଣୁ ଫଡନାଭିସ ମୁଖ୍ୟମନ୍ତ୍ରୀ ହେବାର ମାତ୍ର ୧୫ ଘଣ୍ଟା ଭିତରେ ୪୦ ହଜାର କୋଟି ଟଙ୍କା କେନ୍ଦ୍ରକୁ ଫେରାଇ ଦେଇଥିଲେ ବୋଲି କହିଛନ୍ତି ହେଗଡେ ।

ମହାରାଷ୍ଟ୍ର ସହ ଗଦ୍ଦାରୀ-ଶିବସେନା
ଅନନ୍ତ କୁମାର ହେଗଡେଙ୍କ ଏହି ପ୍ରତିକ୍ରିୟା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଶିବସେନା । ମହାରାଷ୍ଟ୍ର ସହ ଧୋକାବାଜି, ଗଦ୍ଦାରୀ ହୋଇଥିବା ଶିବସେନା ପକ୍ଷରୁ କୁହାଯାଇଛି । ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ଟ୍ୱିଟ୍ କରି ଲେଖିଛନ୍ତି ଯେ, “ବିଜେପି ସାଂସଦ ଅନନ୍ତ କୁମାର ହେଗଡେ କହିଛନ୍ତି ୮୦ ଘଣ୍ଟା ପାଇଁ ମୁଖ୍ୟମନ୍ତ୍ରୀ ହୋଇ ଦେବେନ୍ଦ୍ର ଫଡନାଭିସ୍ ମହାରାଷ୍ଟ୍ର ପାଇଁ ଆସିଥିବା ୪୦୦୦୦ କୋଟି ଟଙ୍କା କେନ୍ଦ୍ରକୁ ଫେରାଇ ଦେଇଛନ୍ତି । ଏହା ମହାରାଷ୍ଟ୍ର ସହିତ ଗଦ୍ଦାରୀ?”

Leave A Reply

Your email address will not be published.