ନୂଆଦିଲ୍ଲୀ : ଦିଲ୍ଲୀରେ ଉଦଘାଟନ ହେଲା କଂଗ୍ରେସର ନୂଆ ମୁଖ୍ୟାଳୟ। ଦୀର୍ଘ 50 ବର୍ଷ ଧରି 24 ଆକବର ରୋଡରେ ରହିଥିଲା ପୁରୁଣା ମୁଖ୍ୟାଳୟ। ଏବେ ନୂଆ ମୁଖ୍ୟାଳୟ 9ଏ କୋଟଲା ମାର୍ଗରେ ନିର୍ମାଣ ହୋଇଛି। ନୂଆ ମୁଖ୍ୟାଳୟକୁ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଉପସ୍ଥିତିରେ ଉଦଘଟନ କରିଛନ୍ତି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଏହି ସମୟରେ ଉପସ୍ଥିତ ରହିଥିଲେ।
କଂଗ୍ରେସର ନୂଆ ମୁଖ୍ୟାଳୟ ଉଦଘାଟନ ପୂର୍ବରୁ ଏଠାରେ ପତାକା ଉତ୍ତୋଳନ କରାଯାଇଥିଲା। ଏହାସହ ଜାତୀୟ ସଙ୍ଗୀତ ମଧ୍ୟ ଗାନ କରାଯାଇଥିଲା। ଏହି ଉଦଘାଟନ କାର୍ଯ୍ୟକ୍ରମରେ ରାହୁଲଙ୍କ ସମେତ ସଙ୍ଗଠ ମହାସଚିବ କେସି ବେଣୁଗୋପାଳ, ପ୍ରିୟଙ୍କା ଗାନ୍ଧୀ ଭାଡ୍ରା ଏବଂ ସିଡବ୍ଲୁସିର ଅନେକ ସଦସ୍ୟ ଯୋଗ ଦେଇଥିଲେ। ଏହାସହ ସବୁ ରାଜ୍ୟର ବିଧାୟକ ଦଳନେତା, ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ।
କଂଗ୍ରେସର ନୂଆ କାର୍ଯ୍ୟାଳୟର ନାଁ ରହିଛି ଇନ୍ଦିରା ଭବନ। ଏହା ଦଳର ଅନେକ ଆବଶ୍ୟକତାକୁ ନଜରରେ ରଖି ଡିଜାଇନ କରାଯାଇଛି। ଯେଉଁଥିରେ ପ୍ରଶାସନିକ, ସଙ୍ଗଠନ ଓ ରଣନୀତି ସାମିଲ ରହିଛି। ଏହାର ନିର୍ମାନ କିଛି ବର୍ଷ ହେବ ଜାରି ରହିଥିଲା। ଅନ୍ୟପଟେ କଂଗ୍ରେସ ବର୍ତ୍ତମାନ 24 ଆକବର ରୋଡ କାର୍ଯ୍ୟାଳୟକୁ ଖାଲି କରିବ ନାହିଁ ବୋଲି ଜଣାପଡ଼ିଛି। ଏହି ମୁଖ୍ୟାଳୟ 1978 କଂଗ୍ରେସ (ଆଇ) ପରେ ନିର୍ମାଣ ହୋଇଥିଲା।