ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ଏଥର ଭାରତୀୟ କ୍ରିକେଟ ଟିମ ପ୍ରବେଶ କରି ପାରି ନ ଥିଲା । ଏବେ ଭାରତ ଆଗାମୀ ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ଘରୋଇ ପରିବେଶରେ ଇଂଲଣ୍ଡ ବିପକ୍ଷରେ ଭାରତ ପ୍ରଥମେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ । ଏହା ଜାନୁୟାରୀ ୨୨ରୁ ଆରମ୍ଭ ହେବ । ଟି୨୦ ସିିରିଜରେ ୩ ମ୍ୟାଚ ବିଶିଷ୍ଟ ଦିିନିକିଆ ସିରିଜ ଖେଳାଯିବ । ଭାରତୀୟ କ୍ରିକେଟ ଟିମ ଇତି ମଧ୍ୟରେ ସୀତାଂଶୂ କୋଟାକଙ୍କୁ ବ୍ୟାଟିଂ କୋଚ ଭାବେ ନିଯୁକ୍ତ କରିଛି । ସେ ଇଂଲଣ୍ଡ ବିପକ୍ଷ ସିରିଜରୁ ଦାୟିତ୍ୱ ଗ୍ରହଣ କରିବେ ।
ସେ ଏହା ପୂର୍ବରୁ ୨୦୨୩ରେ ଭାରତୀୟ ଟିମର ମୂଖ୍ୟ କୋଚ ଦାୟିତ୍ୱ ତୁଲାଇ ସାରିଛନ୍ତି । ରାହୁଲ ଡ୍ରାଭିଡ ଆୟର୍ଲାଣ୍ଡ ଗସ୍ତରେ ଯାଇ ନ ଥିବା ବେଳେ ସୀତାଂଶୁ ଦଳର କୋଚ ହୋଇଥିଲେ । ୨୦୧୯ରେ ଭାରତ ଏ ଟିମ ସହିତ ମଧ୍ୟ ଜଡିତ ଥିଲେ । ସୀତାଂଶୁ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଆନ୍ତର୍ଜାତୀୟ ମ୍ୟାଚ ଖେଳିପାରି ନ ଥିଲେ । ୫୨ ବର୍ଷୀୟ ସୀତାଂଶୁ ଲିଷ୍ଟ ଏରେ ୮୯ ମ୍ୟାଚରୁ ୩୦୮୩ ରନ କରିବା ସହ ୫୪ ୱିକେଟ ମଧ୍ୟ ନେଇଛନ୍ତି ।
ଭାରତୀୟ ଟିମ ସହିତ ଏବେ କୌଣସି ବ୍ୟାଟିଂ କୋଚ ନ ଥିଲେ । କୋଚ ଗୌତମ ଗମ୍ଭୀରଙ୍କ ସହ ସହଯୋଗୀ ଷ୍ଟାଫ ଭାବେ ମୋର୍ଣ୍ଣେ ମୋର୍କେଲ, ଅଭିଷେକ ନାୟାର, ର୍ୟାନ ଟେନ ଡୋଶ୍ଚେଟ ଓ ଟି ଦିଲୀପ ରହିଥିଲେ । ଭାରତର ଖରାପ ପ୍ରଦର୍ଶନ ନେଇ ଏବେ କୋଚିଂ ଷ୍ଟାଫଙ୍କ ଭୂମିକା ନେଇ ମଧ୍ୟ ଆଲୋଚନା କରାଯାଇଥିଲା । ବିରାଟ କୋହଲି ବାରମ୍ବାର ଅଫସାଇଡ ବାହାର ବଲ ଖେଳି ଆଉଟ ହେଉଥିଲେ ମଧ୍ୟ ଏହାର ସମାଧାନ ପାଇଁ କିଛି ବିକଳ୍ପ ନ ଥିଲା ।