ନୂଆଦିଲ୍ଲୀ: ଅଷ୍ଟମ ବେତନ କମିଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁମୋଦନ । ଗୁରୁବାର କ୍ୟାବିନେଟ ବୈଠକରେ ଏହି ପ୍ରସଙ୍ଗକୁ ଅନୁମୋଦନ ମିଳିଛି । ଏହା ଦ୍ୱାରା ସରକାରୀ କର୍ମଚାରୀଙ୍କ ଦରମାରେ ଏକ ବିରାଟ ବୃଦ୍ଧି ଘଟିବ । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କର୍ମଚାରୀମାନେ ଗତ ୧୦ ବର୍ଷ ଧରି ୮ମ ବେତନ କମିଶନକୁ ଅପେକ୍ଷା କରିଥିଲେ ଆଉ ଆଜି ଏହି ଅପେକ୍ଷାର ଅନ୍ତ ଘଟିଛି ।
୨୦୧୬ରେ କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁ ହୋଇଥିଲା ସପ୍ତମ ବେତନ କମିଶନଙ୍କ ପ୍ରସ୍ତାବ । ଏହି ସପ୍ତମ ବେତନ କମିଶନର କାର୍ଯ୍ୟକାଳ ୨୦୨୬ରେ ଶେଷ ହେବ । ଏହାପରେ ଅଷ୍ଟମ ବେତନ କମିଶନ ଜାନୁଆରୀ ୨୦୨୬ ରୁ ଲାଗୁ କରାଯାଇପାରେ ବୋଲି ବିଶ୍ବାସ କରାଯାଉଛି ।
ସ୍ବାଧୀନତା ପରଠାରୁ ୭ଟି ବେତନ କମିଶନ ଗଠନ ହୋଇ ସାରିଛି । ଏହାଦ୍ୱାରା ସବୁ କେନ୍ଦ୍ରୀ ଓ ରାଜ୍ୟ କର୍ମଚାରୀ ହେବେ ଉପକୃତ ହେବେ । ଏସମ୍ପର୍କରେ ଆଜି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।
ଅଷ୍ଟମ ବେତନ କମିଶନ ଲାଗୁହେଲେ ସର୍ବନିମ୍ନ ସଲାରୀ ୩୪,୫୬୦ ଟଙ୍କା ରହିବ। ଏହା ସହିତ ସର୍ବନିମ୍ନ ପେନସନ ୧୭,୨୮୦ ଟଙ୍କା ରହିବ ବୋଲି ଆଶା କରାଯାଉଛି। ତେବେ ପ୍ରମୋସନ ଓ ସାଲାରୀ ବଢିଲେ ପେନସନ ମଧ୍ୟ ବଢିବାର ସମ୍ଭାବନା ରହିଛି।
କ’ଣ ଏହି ଅଷ୍ଟମ ବେତନ କମିଶନ ?
କେନ୍ଦ୍ର ସରକାର ପ୍ରତି ୧୦ ବର୍ଷରେ ବେତନ କମିଶନ ଗଠନ କରିଥାନ୍ତି। ଏହାଦ୍ବାରା କେନ୍ଦ୍ରୀୟ କର୍ମଚାରୀମାନଙ୍କ ସାଲାରୀରେ ପରିବର୍ତ୍ତନ ହୋଇଥାଏ। ଏହା ପୂର୍ବରୁ ଅର୍ଥାତ ସପ୍ତମ ବେତନ କମିଶନ ୨୦୧୪ ମସିହା ଫେବ୍ରୁୟାରୀରେ ଗଠିତ ହୋଇ, ୧ ଜାନୁଆରୀ ୨୦୧୬ମସିହାରେ ଲାଗୁ କରାଯାଇଥିଲା। ସପ୍ତମ ବେତନ କମିଶନରେ କର୍ମଚାରୀଙ୍କ ଦରମା ୭,୦୦୦ ଟଙ୍କା ବଢିଥିଲା ।