Latest Odisha News

BREAKING NEWS

ଭାରତର ସମ୍ପତ୍ତି ଉପରେ ବ୍ରିଟେନର କବ୍ଜା; ୧୦% ଧନୀ ଲୁଟି ନେଇଛନ୍ତି ଅଧାରୁ ଅଧିକା ଭାଗ: ଅକ୍ସଫାମ୍ ରିପୋର୍ଟ

ନୂଆଦିଲ୍ଲୀ: ଯେତେବେଳେ ଭାରତରେ ବ୍ରିଟିଶ ଶାସନ ଚାଲୁଥିଲା ସେହି ସମୟରେ, ବ୍ରିଟେନ ଭାରତକୁ ବ୍ୟାପକ ଭାବରେ ଶୋଷଣ କରିଥିଲା। ଭାରତରୁ ବ୍ରିଟେନକୁ ପ୍ରଚୁର ସମ୍ପତ୍ତି ମଧ୍ୟ ପଠାଇଥିଲା। ଯେଉଁଠାରେ କିଛି ବ୍ରିଟିଶ ଧନୀ ଲୋକ ଏହାର ଲାଭ ଉଠାଇଥିଲେ। ଅକ୍ସଫାମ ଇଣ୍ଟରନ୍ୟାଶନାଲ୍‌ ପକ୍ଷରୁ ପ୍ରକାଶିତ ଏକ ନୂଆ ରିପୋର୍ଟରେ କୁହାଯାଇଛି ଯେ ୧୭୬୫ ରୁ ୧୯୦୦ ମଧ୍ୟରେ ୧୩୫ ବର୍ଷରୁ ଅଧିକ ସମୟର ଉପନିବେଶବାଦୀ କାଳରେ ବ୍ରିଟେନ ଭାରତରୁ ୬୪,୮୨୦ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିଲା। ଏହା ମଧ୍ୟରୁ ୩୩.୮ ଟ୍ରିଲିୟନ ଡଲାର ବ୍ରିଟେନର ୧୦% ଧନୀଙ୍କ ପକେଟକୁ ଯାଇଛି।

ଭାରତରୁ ଇଂରେଜମାନେ ନେଇ ଯାଇଥିବା ଅର୍ଥ ପରିମାଣ ଏତେ ଥିଲା ଯେ ଯଦି ଏହି ଅର୍ଥରେ ଆମେରିକା, ଚୀନ୍‌, ଜାପାନ ଭଳି ୫ଟି ଦେଶ ଗଠନ କରିବାକୁ ଚାହାଁନ୍ତି ତେବେ ଏହା କରାଯାଇପାରିବ। ୨୦୦ ବର୍ଷ ଆମ ଦେଶର ଘରୋଇ ଶିଳ୍ପ ଉପରେ କଟକଣା ଲଗାଇ ସେମାନଙ୍କ ଅଭିବୃଦ୍ଧି ବାଟ ବନ୍ଦ କରିଦେଇଥିଲେ। ବ୍ରିଟେନ ସାମଗ୍ରୀକୁ ଲଗାତାର ପ୍ରୋତ୍ସାହନ ଭାରତକୁ ଦୁର୍ବଳ କଲା।

ଅଧିକାର ଗୋଷ୍ଠୀ ଅକ୍ସଫାମ୍ ଇଣ୍ଟରନ୍ୟାସନାଲର ନୂତନ ପ୍ରମୁଖ ବିଶ୍ୱ ଅସମାନତା ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ଟେକର୍ସ ନଟ୍ ମେକର୍ସ ଶୀର୍ଷକ ଏହି ରିପୋର୍ଟଟି ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକର କିଛି ଘଣ୍ଟା ପୂର୍ବରୁ ପ୍ରକାଶିତ ହୋଇଥିଲା। ଅନେକ ଅଧ୍ୟୟନ ଏବଂ ଗବେଷଣା ପତ୍ରକୁ ଉଦ୍ଧୃତ କରି ରିପୋର୍ଟରେ ଦାବି କରାଯାଇଛି ଯେ ଆଧୁନିକ ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ କେବଳ ଉପନିବେଶବାଦୀ ଯୁଗର ଉତ୍ପାଦ। ସ୍ୱିଜରଲାଣ୍ଡର ଡାଭୋସରେ ଚାଲିଥିବା ୱାର୍ଲଡ ଇକୋନୋମିକ ଫୋରମ ବାର୍ଷିକ ବୈଠକ ଅବସରରେ ଅକ୍ସଫାମ ଏଭଳି ଏକ ରିପୋର୍ଟ ଜାରି କରିଛି । ଏଥିରେ କୁହାଯାଇଛି ଯେ, ବର୍ତ୍ତମାନର ବହୁଦେଶୀୟ କମ୍ପାନୀ ଗୁଡିକ ଯୋଗାଣ ଶୃଙ୍ଖଳାକୁ ନିୟନ୍ତ୍ରଣ କରି ସମ୍ବଳ ଲୁଟୁଛନ୍ତି । ଯାହା ‘ଗ୍ଲୋବାଲ ସାଉଥ’ କୁ ଗଭୀର କ୍ଷତି ପହଞ୍ଚାଉଛି।

ଅକ୍ସଫାମ୍ ରିପୋର୍ଟ ଅନୁଯାୟୀ, “ଐତିହାସିକ ଔପନିବେଶିକ ଯୁଗରେ ରହିଥିବା ଅସମାନତା ଏବଂ ଲୁଣ୍ଠନର ବିକୃତି ଆଧୁନିକ ଜୀବନକୁ ପୁନଃଆକୃତି ଦେଉଛି। ଏହି ଜିନିଷଗୁଡ଼ିକ ଏକ ଅତ୍ୟନ୍ତ ଅସମାନ ବିଶ୍ୱ ସୃଷ୍ଟି କରିଛି, ଯାହା ଜାତିଭେଦ ଉପରେ ଆଧାରିତ ବିଭାଜନ ଦ୍ୱାରା ଜର୍ଜରିତ। ଏକ ବିଶ୍ୱ ଯାହା କ୍ରମାଗତ ଭାବରେ ଗ୍ଲୋବାଲ୍ ସାଉଥ୍ ରୁ ସମ୍ପତ୍ତି ବାହାର କରୁଥିଲା, ଯାହାର ଲାଭ ମୁଖ୍ୟତଃ ଗ୍ଲୋବାଲ୍ ନର୍ଥର ସବୁଠାରୁ ଧନୀ ଲୋକଙ୍କୁ ମିଳୁଥିଲା।”

ଅନେକ ଅଧ୍ୟୟନ ଏବଂ ଗବେଷଣା ପତ୍ର ଉପରେ ଆଧାର କରି, ଅକ୍ସଫାମ୍ ଜାଣିପାରିଲା ଯେ ୧୭୬୫ ରୁ ୧୯୦୦ ମଧ୍ୟରେ, ବ୍ରିଟେନର ୧୦ ପ୍ରତିଶତ ଧନୀ ଲୋକ କେବଳ ଭାରତରୁ ୩୩,୮୦୦ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିଲେ। ରିପୋର୍ଟ ଅନୁଯାୟୀ, “ଯଦି ବ୍ରିଟେନର ୫୦ ପାଉଣ୍ଡର ନୋଟ୍‌ରେ ପରିଣତ କରାଯାଏ, ତା’ହେଲେ ପୂରା ଲଣ୍ଡନରେ ୪ ଥର ନୋଟ୍‌ର କାରପେଟ୍‌ ବିଛା ଯାଇପାରିବ। ଅଥବା ଏହା ଲଣ୍ଡନକୁ ବ୍ରିଟେନର ୫୦ ପାଉଣ୍ଡ ନୋଟରେ ୪ ଥର ଘୋଡ଼ାଇ ଦେଇପାରିବାକୁ ସକ୍ଷମ।” ଅକ୍ସଫାମ୍ କହିଛି ଯେ ବ୍ରିଟେନର ୧୦ ପ୍ରତିଶତ ଧନୀ ଲୋକଙ୍କ ବ୍ୟତୀତ, ଉଦୀୟମାନ ମଧ୍ୟବିତ୍ତ ବର୍ଗ ମଧ୍ୟ ଭାରତରୁ ପ୍ରତ୍ୟାହାର କରାଯାଇଥିବା ସମ୍ପତ୍ତିରୁ ଲାଭ ପାଇଛନ୍ତି। ଅକ୍ସଫାମ୍ ଉପନିବେଶବାଦର ନିରନ୍ତର ପ୍ରଭାବକୁ ଏକ ବିଷାକ୍ତ ଗଛର ଫଳ ଭାବରେ ବର୍ଣ୍ଣନା କରିଛି।

ଆଧୁନିକ ବହୁରାଷ୍ଟ୍ରୀୟ କମ୍ପାନୀ ସୃଷ୍ଟି ହେବା ପଛରେ ଉପନିବେଶବାଦ ରହିଥିବା କଥା ଦାବି କରି ଅକ୍ସଫାମ କହିଛି ଯେ ଏହାର ଆରମ୍ଭ ଇଷ୍ଟ ଇଣ୍ଡିଆ କମ୍ପାନୀ ଭଳି ନିଜସ୍ୱ ନିୟମରୁ ହୋଇଛି। ଏମାନେ ନିଜସ୍ୱ ଆଇନ ପ୍ରସ୍ତୁତ କରିଥିଲେ ଓ ଅନେକ ଉପନିବେଶନବାଦ ଅପରାଧ କାରଣ ପାଲଟିଥିଲେ। ରିପୋର୍ଟରେ କୁହାଯାଇଛି ଯେ ଆଧୁନିକ ଯୁଗରେ ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ସର୍ବଦା ଏକଚାଟିଆ ଓ ପ୍ରାୟ ଏକଚାଟିଆ ସ୍ଥିତିରେ ରହିଛନ୍ତି। କମ୍ପାନୀଗୁଡ଼ିକ ବିଶ୍ୱର ଦକ୍ଷିଣ ପ୍ରାନ୍ତର ଶ୍ରମିକ ବିଶେଷ କରି ମହିଳା ଶ୍ରମିକମାନଙ୍କୁ ଶୋଷଣ କରି ଚାଲିଛନ୍ତି। ଉତ୍ତର ପ୍ରାନ୍ତର ଧନୀ ଅଂଶଧାରୀଙ୍କ ପାଇଁ ସେମାନେ ଏପରି କରୁଥିବା ଅକ୍ସଫାମ କହିଛି।

୨୦୨୪ରେ ଅରବପତିଙ୍କ ସମ୍ପତ୍ତି ୨ ଲକ୍ଷ କୋଟି ଡଲାର ବଢ଼ିଛି । ଏହା ଏବେ ୧୫ ଲକ୍ଷ କୋଟି ଡଲାର ଛୁଇଁଛି । ଗତ ବର୍ଷ ତୁଳନାରେ ଏଥିରେ ୩ ଗୁଣା ବୃଦ୍ଧି ହୋଇଛି । ଗତ ବର୍ଷ ସାରା ବିଶ୍ୱରେ ସୃଷ୍ଟି ହୋଇଛନ୍ତି ୨୦୪ ନୂଆ ଅରବପତି। ଗୋଟିଏ ପଟେ ଅତିଧନୀ ବ୍ୟକ୍ତି ବିଶେଷଙ୍କ ଅଭ୍ୟୁଦୟ ଏବଂ ଅନ୍ୟପଟେ ଦାରିଦ୍ର‌୍ୟର ବିକଳ ଚିତ୍ରକୁ ଅକ୍ସଫାମ ଏହାର ରିପୋର୍ଟରେ ଦର୍ଶାଇଛି। ୬୦% ଅରବପତି ସେମାନଙ୍କ ସମ୍ପତ୍ତି ବଂଶାନୁକ୍ରମିକ ଏବଂ ଏକଚାଟିଆ ଭାବେ ଲାଭ କରିଛନ୍ତି। ୨୦୩୪ ବେଳକୁ ବଂଶାକୁକ୍ରମିକ ଭାବେ ୫.୨ ଲକ୍ଷ କୋଟି ଡଲାର ସମ୍ପତ୍ତି ପରପୀଢ଼ି ଦାୟାଦଙ୍କ ନିକଟକୁ ଯିବ। ଯାହା ସମ୍ପତ୍ତି ମାତ୍ର କିଛି ଲୋକଙ୍କ ନିକଟରେ ଠୁଳ ବୋଲି ଦର୍ଶାଉଛି।

ଏବେ ବିଶ୍ୱ ଯୋଗାଣ ଶୃଙ୍ଖଳା ଇଂରେଜ ଶାସନ ଅମଳରେ ଲୁଟ୍‌ ଭଳି ବ୍ୟବହାର ହେଉଛି। ଗ୍ଲୋବାଲ ସାଉଥର ପ୍ରଫେସନାଲମାନେ ଖରାପ କାର୍ଯ୍ୟ ସ୍ଥିତି, ସ୍ୱଳ୍ପ ବେତନ ଏବଂ ସାମାଜିକ ସୁରକ୍ଷା ଲାଭରୁ ବଞ୍ଚିତ ହେଉଛନ୍ତି। କର୍ପୋରେଟ ଗୁଡିକ ହଜାର ହଜାର କୋଟିର ଲାଭ କମାଉଥିବା ବେଳେ କର୍ମଚାରୀଙ୍କ ଅଧିକାରକୁ ଭୃକ୍ଷେପ କରୁନାହାଁନ୍ତି। ସ୍ୱଚ୍ଛଳ ନଥିବାରୁ ଦେଶ ଗୁଡିକରେ ଏଭଳି ସ୍ଥିତି ବିରୋଧରେ ଲଢ଼େଇ କରିବାକୁ ସାହସ କରୁନାହାଁନ୍ତି । ରିପୋର୍ଟରେ କୁହାଯାଇଛି ଯେ ୧୦ ଜଣ ଧନୀ କୋଟିପତିଙ୍କ ସମ୍ପତ୍ତି ପ୍ରତିଦିନ ହାରାହାରି ୧୦୦ ନିୟୁତ ଆମେରିକୀୟ ଡଲାର ବୃଦ୍ଧି ପାଇଛି। ଗତ ବର୍ଷ, ଅକ୍ସଫାମ୍ ଭବିଷ୍ୟବାଣୀ କରିଥିଲା ​​ଯେ ସେ ଦଶନ୍ଧି ମଧ୍ୟରେ ଜଣେ ଟ୍ରିଲିୟନିୟର ହୋଇଯିବେ। ଯଦି ବର୍ତ୍ତମାନର ଧାରା ଏହିପରି ଆଗକୁ ଜାରି ରହେ, ତେବେ ଦଶନ୍ଧି ମଧ୍ୟରେ ପାଞ୍ଚ ଜଣ ଟ୍ରିଲିୟନିୟର ହେବେ।

Comments are closed.