ପ୍ରୟାଗରାଜ: ମହାକୁମ୍ଭରେ ବସନ୍ତ ପଞ୍ଚମୀରେ ହୋଇଥିବା ଅମୃତ ସ୍ନାନର ଏକ ଫଟୋ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ଜଟାଧାରୀ ବ୍ୟକ୍ତି ଶାଢ଼ି ପିନ୍ଧି ଗାଧୋଉଥିବାର ନଜର ଆସିଛି। ତାଙ୍କୁ ଦେଖିବା ପରେ କେହିକେହି ତାଙ୍କୁ ଶିବଙ୍କ ରୂପ ତ ଆଉ କେହି ତାଙ୍କୁ ମା କାଳୀଙ୍କ ରୂପ ବୋଲି କହୁଥିଲେ।
ତେବେ ତାଙ୍କ ନାମ ଏଲିଜା ବାଇ ଅଟେ ଓ ସେ ଇନ୍ଦୋରରେ ରୁହନ୍ତି। ସେ ଦେଶର ପ୍ରଥମ ଟ୍ରାନ୍ସଜେଣ୍ଡର ଯିଏକି ବୃତ୍ତିଗତ ଭାବେ ଡ୍ରେଡଲକ୍ ଆର୍ଟିଷ୍ଟ ଅଟନ୍ତି। ସଙ୍ଗମ ସହରରେ ତାଙ୍କର ଏକ ଜଟା ପାର୍ଲର ଅଛି, ଯେଉଁଠାରେ ଏପର୍ଯ୍ୟନ୍ତ ଅଗଣିତ ସାଧୁସନ୍ଥ ମାନେ ନିଜ ଜଟାକୁ ସଜାଇଛନ୍ତି।
ହର୍ଷ ରିଛାରିଆଙ୍କ ପରି ଅନେକ ପ୍ରସିଦ୍ଧ ବ୍ୟକ୍ତି ଆର୍ଟିଫିସିଆଲ ଜଟା ଲଗାଇଛନ୍ତି। ଏହି ଆର୍ଟିଫିସିଆଲ ଜଟା ଲଗାଇବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଆଗ୍ରହ ବଢିଚାଲିଛି।
ଏଲିଜା ବାଈ ମହାକୁମ୍ଭ ପୂର୍ବରୁ କିନ୍ନର ଆଖଡ଼ା ସହିତ ଜଡିତ ଥିଲେ।ଚଳିତବର୍ଷ ଆଖଡ଼ାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଡକ୍ଟର ଲକ୍ଷ୍ମୀପତି ତ୍ରିପାଠୀ ତାଙ୍କ ମସ୍ତକରେ ପଗଡ଼ି ପିନ୍ଧାଇଥିଲେ ଯାହାପରେ ସେ ମହାମଣ୍ଡଳେଶ୍ୱର ପାଲଟିଥିଲେ। ସେ ନିଜ ପିଣ୍ଡ ଦାନ କରିବା ସହ ପୂଜାର୍ଚ୍ଚନା କରିବାପରେ ଏଲିଜା ବାଈ ସ୍ୱାମୀ ସତୀ ନନ୍ଦ ଗିରି ନାମ ପାଇଥିଲେ।
ୟୁପି ଜୌନପୁରର ଏଲିଜା ମୁମ୍ବାଇରୁ ପାଠ ପଢ଼ିଛନ୍ତି। ତାଙ୍କ ବାପା ଜଣେ ବ୍ୟବସାୟୀ ଏବଂ ମାଆ ଜଣେ ଗୃହିଣୀ ଥିଲେ। ତୃତୀୟ ଲିଙ୍ଗୀ ହୋଇଥିବାରୁ ସେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ କିନ୍ତୁ ସେ କେବେ ସାହାସ ହରାଇ ନଥିଲେ। ସେ ଭଲ ପାଠ ପଢୁଥିବା ଯୋଗୁଁ ସଫ୍ଟୱେର୍ ଇଞ୍ଜିନିୟରିଂ ପଢ଼ିଥିଲେ ଓ ଏକ ଏମ.ଏନ.ସିରେ କାମ ମଧ୍ଯ କରିଥିଲେ।
ତେବେ ତାଙ୍କୁ କମ୍ପାନୀରେ ଭଲ ପ୍ୟାକେଜ୍ ମିଳୁଥିଲା କିନ୍ତୁ ତୃତୀୟ ଲିଙ୍ଗ ହୋଇଥିବାରୁ ଲୋକଙ୍କଠାରୁ ଖରାପ ମନ୍ତବ୍ୟ ମଧ୍ଯ ମିଳୁଥିଲା। ପରେ ସେ ଡିପ୍ରେସନକୁ ଚାଲିଯିବା ସହ ଚାକିରି ଛାଡି ଉଜ୍ଜେନକୁ ପଳାଇଥିଲେ।
ଚାକିରି ଛାଡିବା ପରେ ଏଲିଜା ଉଜ୍ଜେନର ମହାକାଳଙ୍କଠାରେ ଆଶ୍ରୟ ନେଇଥିଲେ ଓ ସେଠାରେ ସେ କିନ୍ନର ଆଖଡ଼ାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱରଙ୍କ ଶରଣାଗତ ହୋଇଥିଲେ।
Comments are closed.