ନୂଆଦିଲ୍ଲୀ: ବନ୍ଧୁତା ଚିର ବର୍ତ୍ତମାନ । ସେ ହିଁ ବନ୍ଧୁ; ଯିଏ ଜୀବନ ସହ, ସମୟ ସହ ବାନ୍ଧି ହୋଇଯାଏ। ଆଉ ଆଜୀବନ ବନ୍ଧୁତା ନିର୍ବାହ କରୁଥାଏ ବର୍ତ୍ତମାନ ଏବଂ ଅବର୍ତ୍ତମାନରେ । ବନ୍ଧୁତା ପାଇଁ ବୟସ, ଲିଙ୍ଗ କି ପାତ୍ରର ବିଚାର ନ ଥାଏ। ମନକୁ ମନ ମିଳିଲେ, ବିଶ୍ୱାସ ଖୋଜି ପାଇଲେ, ସାହାରା ହେବାର ଶକ୍ତି ଟିକକ ପାଇଲେ ହିଁ ବନ୍ଧୁତା ଗଢ଼ି ହୋଇଯାଏ। ବନ୍ଧୁତା ହେଉଛି ସେହି ଦର୍ପଣ ଯାହା ଦେହରେ ଆମକୁ ଆମ ନିଜର ପ୍ରତିବିମ୍ବ ଦିଶେ। ବନ୍ଧୁତାର କଥା କହୁ କହୁ ମଣିଷ ଦାର୍ଶନିକ ହୋଇଯାଏ ଏଥିପାଇଁ ଯେ, ବନ୍ଧୁନାମକ ମଣିଷ ସେହି ସବୁ ବିରଳ ଅନୁଭବ ଦେଇଥାଏ । ଯାହାକୁ ଆଧାର କରି ପ୍ରତିକୂଳ ସମୟକୁ ମଧ୍ୟ ଅତିକ୍ରମ କରି ହୁଏ । ଆଜି ଆମେ ଆପଣଙ୍କୁ ବନ୍ଧୁତାର ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣମାନେ ମଧ୍ୟ କହିବେ, ସତରେ କଣ ଆଜି ବି ଏମିତି ହେଉଛି!
କେଇଟା ଟଙ୍କା ପାଇଁ ସମ୍ପର୍କରେ ଫାଟ ପଡିଥାଏ । କେଉଁଠି ଟଙ୍କା ପାଇଁ ସାଙ୍ଗ ସାଙ୍ଗକୁ ହତ୍ୟା କଲାଣି ତ କେଉଁଠି ଭାଇ ଭାଇକୁ । କିନ୍ତୁ ଆମେରିକାର ୱିସକନସିନର ଜଣେ ବ୍ୟକ୍ତି ତାଙ୍କ ବନ୍ଧୁଙ୍କୁ ଦେଇଦେଲେ ୧୬୪ କୋଟି । ଗତ ୨୮ ବର୍ଷ ତଳେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାକୁ ଯାଇ ଏହି ଟଙ୍କା ଦେଇଛନ୍ତି । ଯେଉଁଥିପାଇଁ ଏବେ ତାଙ୍କୁ ଅନେକ ପ୍ରଶଂସା ମିଳୁଛି । ବ୍ୟକ୍ତି ଜଣଙ୍କ ହେଲେ ଆମେରିକା ୱିସକନସିନର ଟାମ୍ କ୍ରୁକ । ଟାମ୍ କ୍ରୁକ୍ ତାଙ୍କ ବନ୍ଧୁଙ୍କୁ ୨୮ ବର୍ଷ ତଳେ ଲଟେରୀ ଜିତିଲେ ଉକ୍ତ ଟାଙ୍କାକୁ ସେ ସାଙ୍ଗଙ୍କ ସହ ବାଣ୍ଟିବେ ବୋଲି କହିଥିଲେ । ଆଉ ପ୍ରତିଶୃତି ମୁତାବକ ଏବେ ସେ ଲଟେରୀରରେ ଜିତିଥିବା ୧୬୪ କୋଟି ଟଙ୍କାକୁ ତାଙ୍କ ବନ୍ଧୁ ଜୋସେଫ ଫେନୀଙ୍କ ସହ ବାଣ୍ଟିଛନ୍ତି । ଚେକ୍ ମାଧ୍ୟମରେ ସେ ତାଙ୍କ ବନ୍ଧୁଙ୍କୁ ଏହି ଟଙ୍କା ଦେଇଛନ୍ତି ।
୧୯୯୨ ମସିହାରେ ଟାମ୍ କ୍ରୁକ୍ ଏବଂ ଜୋସେଫ୍ ଫେନୀ ପରସ୍ପରକୁ ପ୍ରତିଶ୍ରୁତି ଦେଇଥିଲେ କି ଭବିଷ୍ୟତରେ ଲଟେରୀ ଜିତିଲେ ଦୁହେଁ ଦୁହିଁଙ୍କ ସହ ସେୟାର କରିବେ । ଲଟେରୀ ଜିତିବା ପରେ ଶେଷରେ ନିଜର ପ୍ରତିଶୃତି ରଖିଛନ୍ତି କ୍ରୁକ । ଏନେଇ କ୍ରୁକ୍ କହିଛନ୍ତି ଯେ, ମୁଁ ବହୁତ ଖୁସି । ମୁଁ ମୋ ପ୍ରତିଶ୍ରୁତି ରଖିଥିବାରୁ ଗର୍ବିତ । ଲଟେରୀ ଜିତି ଯେତିକି ଖୁସି ଲାଗୁନି ପ୍ରତିଶ୍ରୁତି ପୂରଣ କରି ସେତିକି ଖୁସି ଲାଗୁଛି । ଏହି ଟଙ୍କାରେ ଆମେ ଦୁଇ ସାଙ୍ଗ ବୁଲିବାକୁ ଯିବୁ ।
Comments are closed.