Latest Odisha News

BREAKING NEWS

କଟକ ରେଳ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟ, ୩ଟି ଟ୍ରେନର ମାର୍ଗ ପରିବର୍ତ୍ତନ…

କଟକ: ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଅନ୍ତର୍ଗତ କଟକ ରେଳ ଷ୍ଟେସନରେ ଏୟାର କନକୋର୍ସ ନିର୍ମାଣ ଏବଂ ୟାର୍ଡ଼ ନବୀକରଣ ଓ ଅନ୍ୟାନ୍ୟ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ମାସକ ମଧ୍ଯରେ ତିନୋଟି ଦୂରଗାମୀ ଟ୍ରେନକୁ ମାର୍ଗ ପରିବର୍ତ୍ତନ କରିବାକୁ ଯୋଜନା କରାଯାଇଛି।

ଏହି ଅସ୍ଥାୟୀ ମାର୍ଗ ପରିବର୍ତ୍ତିତ ଟ୍ରେନଗୁଡ଼ିକ ବାରଙ୍ଗ-କଟକ-କପିଳାସ ରୋଡ୍ ନିର୍ଦ୍ଧାରିତ ମାର୍ଗ ପରିବର୍ତ୍ତେ ବାରଙ୍ଗ-ନରାଜ ମାର୍ଥାପୁର-କପିଳାସ ରୋଡ୍ ମାର୍ଗରେ ଚଳାଚଳ କରିବ। କଟକ ଷ୍ଟେସନରେ ଏହି ଟ୍ରେନଗୁଡ଼ିକର ରହଣିକୁ ବାଦ୍ ଦିଆଯିବ ଏବଂ ୧୬ ଫେବୃଆରୀରୁ ୧୭ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ନରାଜ ମାର୍ଥାପୁର ରେଳ ଷ୍ଟେସନରେ ଅସ୍ଥାୟୀ ରହଣି ପ୍ରଦାନ କରାଯିବ।

ଏହି ଆଧୁନିକୀକରଣ ଏବଂ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଅସ୍ଥାୟୀ ଭାବରେ ମାର୍ଗ ପରିବର୍ତ୍ତନ କରାଯାଇଥିବା ଟ୍ରେନଗୁଡ଼ିକର ଯାତ୍ରୀମାନଙ୍କ ପାଇଁ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ କଟକ ରେଳ ଷ୍ଟେସନ ଏବଂ ନରାଜ ମାର୍ଥାପୁର ରେଳ ଷ୍ଟେସନ ମଧ୍ୟରେ ମାଗଣା ବସ୍ ସେବା ପ୍ରଦାନ କରିବ।

୧୬ ଫେବୃଆରୀରୁ ୧୬ ମାର୍ଚ୍ଚ ୨୦୨୫ ମଧ୍ୟରେ ପ୍ରତି ମଙ୍ଗଳବାର (ସୋମବାର ବିଳମ୍ବିତ ରାତିରେ) କଟକରେ ପହଞ୍ଚୁଥିବା ୧୨୫୧୫ କୋଏମ୍ବାଟୁର-ସୀଲଚର ସାପ୍ତାହିକ ସୁପର-ଫାଷ୍ଟ ଏକ୍ସପ୍ରେସ; ବୁଧବାର ଏବଂ ଗୁରୁବାର (ମଙ୍ଗଳବାର ଏବଂ ବୁଧବାର ବିଳମ୍ବିତ ରାତିରେ) କଟକରେ ପହଞ୍ଚୁଥିବା ୨୨୬୪୩ ଏର୍ଣ୍ଣାକୁଲମ-ପାଟନା ଦ୍ୱି-ସାପ୍ତାହିକ ଏକ୍ସପ୍ରେସ ଏବଂ ଶୁକ୍ରବାର, ଶନିବାର ଏବଂ ରବିବାର (ଗୁରୁବାର, ଶୁକ୍ରବାର ଏବଂ ଶନିବାର ବିଳମ୍ବିତ ରାତିରେ) କଟକରେ ପହଞ୍ଚୁଥିବା ୧୨୫୦୯ ବେଙ୍ଗାଲୁରୁ-ଗୌହାଟି ତ୍ରି-ସାପ୍ତାହିକ ଏକ୍ସପ୍ରେସ କଟକ ରେଳ ଷ୍ଟେସନ ପରିବର୍ତ୍ତେ ଅସ୍ଥାୟୀ ମାର୍ଗ ପରିବର୍ତ୍ତନରେ ନରାଜ ମାର୍ଥାପୁର ରେଳଷ୍ଟେସନରେ ରହଣି କରିବ।

ଉପରୋକ୍ତ ଟ୍ରେନଗୁଡ଼ିକ ପାଇଁ କଟକ ରେଳ ଷ୍ଟେସନ ଠାରୁ ଯାତାୟାତ କରିବାକୁ ଥିବା ଯାତ୍ରୀମାନଙ୍କୁ ଏହି ସମୟ ମଧ୍ୟରେ ନରାଜ ମାର୍ଥାପୁର ଏବଂ କଟକ ରେଳ ଷ୍ଟେସନରେ ଉଭୟ ପାର୍ଶ୍ୱରୁ ମାଗଣା ବସ୍ ସୁବିଧା ରେଳବାଇ ଦ୍ୱାରା ଯୋଗାଇ ଦିଆଯିବ।

 

Comments are closed.