Latest Odisha News

ନିଜ ଚ୍ୟାନେଲରୁ ଶୋ’ର ଭିଡିଓ ଡିଲିଟ୍ କଲେ ସମୟ, କହିଲେ ‘ମୋ ନିୟନ୍ତ୍ରଣ ବାହାରେ’

ମୁମ୍ବାଇ: ଷ୍ଟାଣ୍ଡଅପ୍ କମେଡିଆନ ସମୟ ରୈନାଙ୍କ ହିଟ୍ ଶୋ’ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ ଏବେ ବିବାଦରେ ଘେରି ହୋଇଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ୟୁଟ୍ୟୁବ୍ ମଧ୍ୟ ଶୋ ଉପରେ ପ୍ରତିବନ୍ଧକ ଲଗାଇଛି । ଯାହାକୁ ନେଇ ଏବେ ଶେଷରେ ମୁହଁ ଖୋଲିଛନ୍ତି ସମୟ । ବିବାଦ ପରେ ଉକ୍ତ ଶୋ’ର ସମସ୍ତ ଭିଡିଓ, ସେ ତାଙ୍କ ୟୁଟ୍ୟୁବରୁ ହଟାଇଦେଇଛନ୍ତି । ଏନେଇ ନିଜ ଏକ୍ସରେ ଅବଗତ କରାଇ, ଏହା ତାଙ୍କ ନିୟନ୍ତ୍ରଣ ବାହାରେ ବୋଲି ଦର୍ଶାଇଛନ୍ତି ସମୟ ।

ଏକ୍ସରେ ସମୟ ଲେଖିଛନ୍ତି, ଯାହା ବି ସବୁ ଘଟୁଛି, ତାହା ମୋ ନିୟନ୍ତ୍ରଣ ବାହାରେ । ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟର ସମସ୍ତ ଭିଡିଓ ମୁଁ ମୋର ଚ୍ୟାନେଲରୁ ହଟାଇ ଦେଇଛି । କେବଳ ଲୋକଙ୍କୁ ହସାଇବା ଏବଂ ତାଙ୍କ ସମୟକୁ ଭଲ କରିବା କେବଳ ମୋ ଉଦ୍ଦେଶ୍ୟ । ଏଥିସହିତ ଏହି ଘଟଣାର ଚୂଡାନ୍ତ ବାହାର କରିବାରେ, ସେ ସମସ୍ତ ଏଜେନ୍ସି ଏବଂ ଅଥରିଟିକୁ ପୂରା ସାହାର୍ଯ୍ୟ କରିବେ ବୋଲି ମଧ୍ୟ ମତ ରଖିଛନ୍ତି ।

ତେବେ କହିରଖୁଛୁ, ରଣବୀର ଆହ୍ଲାବାଦିଆ, ଫେମସ ୟୁଟ୍ୟୁବର । ବିଅର ବାଇସେପ୍ସ ନାମରେ ତାଙ୍କର ଏକ ପୋଡକାଷ୍ଟ ଚ୍ୟାନେଲ ରହିଥିବା ବେଳେ ଏଥିରେ ବର୍ତ୍ତମାନ ୧୦.୫ ମିଲିୟନ ଫଲୋଅର୍ସ ରହିଛନ୍ତି । ତାଙ୍କ ମୋଟିଭେସନାଲ ସ୍ପିକ୍ ଏବଂ ପୋଡକାଷ୍ଟ ମାଧ୍ୟମରେ ସମସ୍ତଙ୍କ ମନ ଜିଣିଥିବା ରଣବୀର, ଏବେ ଏହି ନିକଟରେ ସମୟ ରାଇନାଙ୍କ ହିଟ ଷ୍ଟାଣ୍ଡ ଅପ୍ କମେଡି ଶୋ’ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ରେ ଜଜ୍ ଭାବେ ଯୋଗ ଦେଇଥିଲେ । ସେଥିରେ ବାପାମାଙ୍କ ସଂପର୍କକୁ ନେଇ ରଣବୀର କିଛି ଆପତ୍ତିଜନକ ମନ୍ତବ୍ୟ ରଖିଥିଲେ । ଯାହାକୁ ଏବେ ଚାରିଆଡୁ ସମାଲୋଚନା କରାଯାଉଛି ।

ବୟାନ ବିବାଦକୁ ଆସିବା ପରେ ଏକ ଭିଡିଓ ଜାରି କରି କ୍ଷମା ପ୍ରାର୍ଥନା କରିଛନ୍ତି ରଣବୀର । ଯେଉଁଭଳି ଭାବେ ସେ ବୟାନ ରଖିଛନ୍ତି, ସେଥିପାଇଁ ସେ ସଫେଇ ଦେବାକୁ ଚାହୁଁନାହାନ୍ତି, କେବଳ କ୍ଷମା ପାର୍ଥନା କରୁଛନ୍ତି ବୋଲି କହିଛନ୍ତି । ହେଲେ ମାମଲା ଦିନକୁ ଦିନ ଗମ୍ଭୀର ହେବାରେ ଲାଘିଛି । ମୁମ୍ବାଇ ପୋଲିସ୍ ବର୍ତ୍ତମାନ ଚାଲିଥିବା ବିବାଦ ସମ୍ପର୍କରେ ପଚରାଉଚରା ପାଇଁ ରଣବୀର ଆଲ୍ଲାବାଦିଆ ଏବଂ ସମୟ ରାଇନାଙ୍କୁ ସମନ ଜାରି କରିଛି । ସେପଟେ କେନ୍ଦ୍ର ପକ୍ଷରୁ ମଧ୍ୟ ନୋଟିସ୍ ଜାରି କରାଯାଇଛି । କେନ୍ଦ୍ରରୁ ନୋଟିସ୍ ପାଇବା ପରେ ୟୁଟ୍ୟୁବ୍ ରଣବୀରଙ୍କ ବିବାଦୀୟ ବୟାନ ରହିଥିବା ଏପିସୋଡକୁ ହଟାଇ ଦେଇଛି । ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ଭିଡିଓକୁ ହଟାଇ ଦିଆଯାଇଥିବା ବେଳେ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ ଏପିସୋଡକୁ ମଧ୍ୟ ଅବରୋଧ କରାଯାଇଛି  । ଅନ୍ୟପଟେ ଏହି ଘଟଣା ସଂସଦରେ ମଧ୍ୟ ଉପସ୍ଥାପିତ କରିବେ ବୋଲି କହିଛନ୍ତି ବିରୋଧୀ ନେତା ।

Comments are closed.