Latest Odisha News

BREAKING NEWS

କାହିଁକି ଦିଦି କହିଲେ, ଏକଲା ଚଲୋ ?

ନୂଆଦିଲ୍ଲୀ: ଦିଲ୍ଲୀରେ ଫେଲ୍ ମାରିଲା ଅରବିନ୍ଦ କେଜ୍ରିଓ୍ବାଲଙ୍କ ରଣନୀତି । ହରିୟାଣା ଓ ଦିଲ୍ଲୀ ପରାଜୟ ପାଇଁ ଉଭୟ କଂଗ୍ରେସ ଓ ଆମ ଆଦମୀ ପାର୍ଟିକୁ ଦାୟୀ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦିଲ୍ଲୀରେ କଂଗ୍ରେସ ଆପକୁ ସହାୟତା କଲାନି କି ହରିୟାଣାରେ କଂଗ୍ରେସକୁ ଆପ ସହଯୋଗ କଲାନି । ଫଳରେ ଦୁଇ ରାଜ୍ୟରେ ବିଜେପି ଜିତିଲା ବୋଲି ଦଳୀୟ କର୍ମକର୍ତ୍ତାଙ୍କୁ କହିଛନ୍ତି ମମତା । ଗୋଟେପଟେ ଇଣ୍ଡିଆ ମେଣ୍ଟର ସହଯୋଗୀ ଏକାଠି ହୋଇ ନିର୍ବାଚନ ଲଢିବାକୁ କହୁଥିବା ମମତା କିନ୍ତୁ ଆସନ୍ତା ବର୍ଷ ହେବାକୁ ଯାଉଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଏକା ଲଢିବାକୁ କହିଛନ୍ତି ।

କାହିଁକି ଏକା ଲଢିବେ ଦିଦି?

୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମେଣ୍ଟକୁ ନା । ଏକା ଲଢିବ ମମତାଙ୍କ ତୃଣମୂଳ କଂଗ୍ରେସ । ଏକା ଲଢି ଦୁଇ ତୃତୀୟାଂଶ ବହୁମତ ସହ ବିଜୟୀ ହେବା ସହ ସରକାର ଗଢିବ ବୋଲି ଦଳୀୟ ବୈଠକରେ ଦମ୍ଭ ଦେଖାଇଛନ୍ତି ମମତା। ଏଥିସହ କଂଗ୍ରେସ କିମ୍ବା ଅନ୍ୟ କୌଣସି ଦଳ ସହ ଟିଏମସି ଆଗାମୀ ନିର୍ବାଚନରେ ମେଣ୍ଟ କରିବନି ବୋଲି ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି । ପଶ୍ଚିମବଙ୍ଗରେ କଂଗ୍ରେସର ସେଭଳି ଜନାଧାର ନାହିଁ । ନିଜକୁ ବଳୀ ପକାଇ ଟିଏମସି ବିରୋଧୀ ମେଣ୍ଟକୁ ମଜବୁତ କରିବାକୁ ଉଦ୍ୟମ କରିବନି ବୋଲି ତୃଣମୂଳ କଂଗ୍ରେସ ନେତା କହିଛନ୍ତି । ସେପଟେ କଂଗ୍ରେସ କହିଛି, ଦିଲ୍ଲୀ ନିର୍ବାଚନରେ କଂଗ୍ରେସକୁ ଅଣଦେଖା କରିବା ଭୁଲକୁ ଅନେକ ଦଳ ବୁଝିଛନ୍ତି । ତେବେ ଟିଏମସିର ବୟାନକୁ ଅନାବଶ୍ୟକ ମନ୍ତବ୍ୟ କହିଛି କଂଗ୍ରେସ ।

କେବେ ନରମ କେବେ ଗରମ

କଂଗ୍ରେସ ଓ ତୃଣମୂଳ କଂଗ୍ରେସ ମଧ୍ୟରେ ସଂପର୍କ କେବେ ନରମ ତ କେବେ ଗରମ ରହିଛି । ୨୦୨୪ ଲୋକସଭା ନିର୍ବାଚନ ପରେ ଅଧୀର ରଞ୍ଜନ ଚୌଧୁରୀଙ୍କୁ ହଟାଇ ଶୁଭଙ୍କର ସରକାରଙ୍କୁ ପଶ୍ଚିମବଙ୍ଗ କଂଗ୍ରେସ ସଭାପତି କରିଥିଲା କଂଗ୍ରେସ। ଟିଏମସି ସହ ସଂପର୍କ ସୁଧାରିବା ଦିଗରେ ଏହାକୁ କଂଗ୍ରେସର ପଦକ୍ଷେପ କୁହାଯାଇଥିଲା । ତେବେ କଂଗ୍ରେସର ଏହି ଉଦ୍ୟମ କାମ ଦେଇନଥିବା ଜଣାପଡିଛି । ଇଣ୍ଡିଆ ବ୍ଲକରେ ବି କଂଗ୍ରେସଠାରୁ ଦୂରତା ରକ୍ଷା କରିଆସିଛି ଟିଏମସି । ଦିଲ୍ଲୀରେ କଂଗ୍ରେସର ନିରାଶାଜନକ ପ୍ରଦର୍ଶନ ପରେ ମେଣ୍ଟ ନକରିବାକୁ ନିଷ୍ପତ୍ତି ନେଇଛି ଦଳ।

ଦୋଛକିରେ ଇଣ୍ଡିଆ ମେଣ୍ଟର ଭବିଷ୍ୟତ?

ହରିୟାଣା ପରେ ଦିଲ୍ଲୀରେ ଦୁଇ ମେଣ୍ଟ ସହଯୋଗୀ କଂଗ୍ରେସ ଓ ଆମ ଆଦମୀ ପାର୍ଟି ମୁହାଁମୁହିଁ ହୋଇଥିଲେ । ବିଜୟ ବ୍ୟବଧାନଠାରୁ କଂଗ୍ରେସ ପ୍ରାର୍ଥୀ ଅଧିକ ଭୋଟ୍ ପାଇବା ହିସାବରେ ଆପର ପରାଜୟ ପଛରେ କଂଗ୍ରେସକୁ କାରଣ କୁହାଯାଉଛି । ଦିଲ୍ଲୀରେ ଆପକୁ ସମର୍ଥନ କରିଥିଲେ ମମତା ବାନାର୍ଜୀ ଓ ଅଖିଳେଶ ଯାଦବଙ୍କ ପରି ନେତା । ତେବେ ଆପର ପରାଜୟ ପରେ ବିରୋଧୀ ଦଳର ଟାର୍ଗେଟରେ କଂଗ୍ରେସ ରହିଥିଲା । ମମତା ବାନାର୍ଜୀ ଇଣ୍ଡିଆ ମେଣ୍ଟ ସହଯୋଗୀ ପରସ୍ପର ସହ ଲଢିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ହେଲେ ପଶ୍ଟିମବଙ୍ଗରେ ଏକା ଲଢିବାକୁ କହିଛନ୍ତି । ତେଣୁ ଏତିକି ସ୍ପଷ୍ଟ, ଇଣ୍ଡିଆ ମେଣ୍ଟରେ ସବୁକିଛି ଠିକ୍ ନାହିଁ ।

ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ନିର୍ବାଚନ ହେବାକୁ ଥିବା ବେଳେ ଏବେଠୁ ଚିତ୍ର ସ୍ପଷ୍ଟ କରିଛନ୍ତି ମମତା । ତେବେ ଚଳିତ ବର୍ଷ ଶେଷ ଆଡକୁ ବିହାର ବିଧାନସଭା ନିର୍ବାଚନ ହେବ । ବିହାରରେ କଂଗ୍ରେସ ଓ ଆରଜେଡି ମେଣ୍ଟ ହେବ କି ନାହିଁ? ସେନେଇ ଦ୍ବନ୍ଦ୍ବ ଦେଖା ଦେଇଛି । କାରଣ ଯେଉଁ ଜାତିଗତ ଜନଗଣନାକୁ ନେଇ ଶ୍ରେୟ ନେବାକୁ ଉଦ୍ୟମ କରୁଥିଲେ ତେଜସ୍ବୀ ଯାଦବ, ତାକୁ ଜାଲ୍ କହି ଆରଜେଡିକୁ ଝଟକା ଦେଇଥିଲେ ରାହୁଲ ଗାନ୍ଧୀ । ତେବେ ଦିଲ୍ଲୀ ଫଳାଫଳ ପରେ ବିହାରରେ ମେଣ୍ଟ ସମୀକରଣ କଣ ରହିବ? ସେନେଇ ସସପେନ୍ସ ଲାଗିରହିଥିବା ବେଳେ, ଇଣ୍ଡିଆ ମେଣ୍ଟର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠୁଛି ।

Comments are closed.