Latest Odisha News

ହୃଦଘାତରେ ପ୍ରାଣ ହରାଇଲେ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତା ଶନିବାର ଦିନ ନୂଆଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ହୃଦଘାତରେ ପ୍ରାଣ ହରାଇଛନ୍ତି ।

ଗତ ଗୁରୁବାର ଦିନ ପୀଡିତାଙ୍କୁ ଜିଆନ୍ତା ଜାଳି ଦିଆଯିବା ପରେ ତାଙ୍କୁ ଲକ୍ଷ୍ମୌରୁ ନୂଆଦିଲ୍ଲୀ ଅଣାଯାଇଥିଲା । ତାଙ୍କର ଶରୀରର ୯୫ ପ୍ରତିଶତ ଜଳିଯାଇଥିଲା। ଡାକ୍ତରଙ୍କ କହିବାନୁସାରେ ରାତି ୧୧.୪୦ରେ ତାଙ୍କର ମୃତ୍ୟୁ ଘଟିଛି ।

ପୀଡ଼ିତାଙ୍କ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାର ଫରେନସିକ ବିଭାଗକୁ ନିଆଯାଇଛି । ତେବେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ଏହା ହସ୍ତାନ୍ତର କରି ଦିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ମୃତ୍ୟୁ ପୂର୍ବରୁ ପୀଡ଼ିତା ପୋଲିସକୁ ନିଜ ବୟାନରେ କହିଛନ୍ତି ଯେ, ଗତ ଗୁରୁବାର ତାଙ୍କ ଗ୍ରାମ ଉନ୍ନାଓ ନିକଟରେ ତାଙ୍କୁ ମାଡ଼ ମାରିବା ସହ ୫ ଜଣ ଯୁବକ ଜିଅନ୍ତା ଜାଳି ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ସେ ଦୁଇ ଜଣଙ୍କ ନାମରେ ବଳାତ୍କାର ଅଭିଯୋଗ କରିଥିଲେ ।

ନିଜ ବଳାତ୍କାର ମାମଲାର ଶୁଣାଣି ପାଇଁ ସେ କୋର୍ଟ ଆସୁଥିବା ସମୟରେ ଅଭିଯୁକ୍ତମାନେ ତାଙ୍କୁ ଏକ ରେଳ ଷ୍ଟେସନ ନିକଟକୁ ଉଠେଇ ନେଇଥିବା ପିଡିତା ଜଣଙ୍କ ବୟାନ ଦେଇଥିଲେ । ତେବେ ଡାକ୍ତରଖାନା ଆସିବା ବାଟରେ ପୀଡ଼ିତା ଜଣଙ୍କ ଏହି ବୟାନ ଦେବାସହ ୫ ଆକ୍ରମଣକାରୀଙ୍କୁ ଚିହ୍ନଟ କରାଇଥିବା ପୋଲିସ ପ୍ରକାଶ କରିଛି ।

ଅନ୍ୟପଟେ ମୃତ୍ୟୁଠୁ ବେଶୀ ବେଦନା ଦାୟକ ଥିଲା ଶେଷ ସମୟ ପୂର୍ବରୁ ନ୍ୟାୟ ପାଇଁ ପୀଡ଼ିତାଙ୍କ ଆକୁଳ ନିବେଦନ। ଯେ ‘ମୋ ସହ ଏଭଳି ଯିଏ କରିଛି ତାକୁ କଠୋର୍ ଦଣ୍ଡ ମିଳିବା ଉଚିତ୍‌’। ମୁଁ ମରିବାକୁ ଚାହୁଁ ନାହିଁ, ବଞ୍ଚିବାକୁ ଚାହୁଁଛି। ଭାଇ, ସେମାନଙ୍କୁ ଛାଡ଼ିବୁ ନାହିଁ”। ଏହା ପୀଡ଼ିତାଙ୍କର ଶେଷକଥା ଥିବା ପରିବାର ପକ୍ଷରୁ କୁହାଯାଇଛି ।

Comments are closed.