ନୂଆଦିଲ୍ଲୀ: ମହାକୁମ୍ଭ ହୋଇଯାଇଛି ମୃତ୍ୟୁକୁମ୍ଭ ! ମହାକୁମ୍ଭରେ ପରିଚାଳନାଗତ ତ୍ରୁଟିକୁ ଦେଖାଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ମୃତ୍ୟୁକୁମ୍ଭ କହିଛନ୍ତି । ଏହାସହ ଦଳାଚକଟାରେ ମୃତ୍ୟୁ ଘଟଣାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସମାଲୋଚନା କରିଛନ୍ତି । କେବଳ ମମତା ବାନାର୍ଜୀ ନୁହନ୍ତି ମହାକୁମ୍ଭକୁ ନେଇ ଲାଲୁପ୍ରସାଦ ଯାଦବ ହୁଅନ୍ତୁ କି ଅଖିଳେଶ ଯାଦବ କିମ୍ବା ମଲ୍ଲିକାର୍ଜୁନ ଖଡଗେ, ବୟାନବାଜିକୁ ନେଇ ସରଗରମ ହୋଇଛି ରାଜନୀତି । ଧାର୍ମିକ ଆୟୋଜନ ରାଜନୈତିକ ଆରୋପ ପ୍ରତ୍ୟାରୋପର ମଞ୍ଚ ପାଲଟିଥିବା ବେଳେ ବିରୋଧୀ ଶସ୍ତା ରାଜନୀତି କରୁଥିବା ବିଜେପି କହିଛି ।
ମହାକୁମ୍ଭକୁ ନେଇ କ’ଣ କହିଲେ ମମତା?
ମହାକୁମ୍ଭ ଏବେ ମୃତ୍ୟୁକୁମ୍ଭରେ ପରିଣତ ହୋଇଛି । ସେ ମହାକୁମ୍ଭର ସମ୍ମାନ କରନ୍ତି, ଗଙ୍ଗା ମାଆଙ୍କ ସମ୍ମାନ କରନ୍ତି । ତେବେ ପୂର୍ବ ପ୍ରସ୍ତୁତି ଅଭାବରୁ ସେଠାରେ ଏତେ ଲୋକଙ୍କ ମୃତ୍ୟୁ ହେଲା । କେତେ ଶବକୁ ନଦୀରେ ବହାଇ ଦିଆଗଲା । ଧନୀ ଓ ଭିଆଇପିଙ୍କ ପାଇଁ ଏକଲକ୍ଷ ଟଙ୍କାର କ୍ୟାମ୍ପ, ହେଲେ ଗରିବଙ୍କ ପାଇଁ କୌଣସି ସୁବିଧା ନାହିଁ । ମେଳାରେ ଦଳାଚକଟା ସ୍ଥିତି ଉପୁଜିବା ସାଧାରଣ କଥା, ହେଲେ ଏଥିପାଇଁ ପୂର୍ବ ପ୍ରସ୍ତୁତି ଦରକାର । ମହାକୁମ୍ଭରେ ଅଘଟଣ ପରେ କେତେଟା କମିଶନ ପଠାଇଥିଲେ ବୋଲି ୟୁପି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ମମତା । ପଶ୍ଚିମବଙ୍ଗ ବିଧାନସଭାରେ ବଜେଟ୍ ଅଧିବେଶନକୁ ସମ୍ବୋଧନ କରିବା ବେଳେ ମମତାଙ୍କ ଏହି ବୟାନକୁ ନେଇ ବିବାଦ ବଢିଛି । ବିନା ଅଟୋପ୍ସି ଓ ଡେଥ୍ ସାର୍ଟିଫିକେଟରେ ପଶ୍ଚିମବଙ୍ଗକୁ ମୃତଦେହ ପଠାଯାଇଥିବା ସେ ଅଭିଯୋଗ କରିଛନ୍ତି ।
ଦିଦିଙ୍କ ସହ ସ୍ବର ମିଳାଇଲେ ଅଖିଳେଶ
ମମତାଙ୍କ ମୃତ୍ୟୁକୁମ୍ଭ ବୟାନକୁ ସମର୍ଥନ କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ମହାକୁମ୍ଭରେ ଖରାପ ଆୟୋଜନକୁ ନେଇ ସେ ମଧ୍ୟ ଯୋଗୀ ଆଦିତ୍ୟନାଥ ସରକାରକୁ ଟାର୍ଗେଟ୍ କରିଛନ୍ତି । ମହାକୁମ୍ଭରେ ବଡ ଧରଣର ଦୁର୍ନୀତି ହୋଇଥିବା ସେ ଅଭିଯୋଗ କରିଛନ୍ତି । କାହିଁ କେଉଁ କାଳରୁ କୁମ୍ଭମେଳା ଚାଲିଥିବା ବେଳେ ଶହ ଶହ ବର୍ଷ ଧରି ଶ୍ରଦ୍ଧାଳୁ ଏଥିରେ ସାମିଲ ହେଉଛନ୍ତି । ହେଲେ ଏଥର ମହାକୁମ୍ଭରେ ସବୁଠୁ ଅଧିକ ମୃତ୍ୟୁ ହୋଇଥିବା ବେଳେ ଅଧିକ ଲୋକ ନିଖୋଜ ହୋଇଛନ୍ତି । ବିଜେପି ଲୋକଙ୍କ ସମବେଦନାର ଫାଇଦା ନେଉଥିବା ଅଖିଳେଶ କହିଛନ୍ତି ।
ମହାକୁମ୍ଭ ନେଇ ବୟାନବାଜି
କେବଳ ମମତା ବାନାର୍ଜୀ କିମ୍ବା ଅଖିଳେଶ ଯାଦବ ନୁହଁନ୍ତି ମହାକୁମ୍ଭ ଆୟୋଜନକୁ ନେଇ ପୂର୍ବରୁ ବହୁ ବିରୋଧୀ ନେତା ସମାଲୋଚନା କରିଛନ୍ତି । ଆରଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବ ମହାକୁମ୍ଭକୁ ଫାଲତୁ ଓ ଏହାର କିଛି ଅର୍ଥ ନାହିଁ ବୋଲି କହିଥିଲେ। ସେହିପରି ମହାକୁମ୍ଭରେ ବୁଡ ପକାଇଲେ ଦାରିଦ୍ର୍ୟ ଦୂର ହୋଇଯିବ କି ବୋଲି କହି ବିବାଦକୁ ଆସିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ସେହିପରି କାବେରୀରେ ବୁଡ ପକାଇ ଚର୍ଚ୍ଚାକୁ ଆସିଥିଲେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର । ପ୍ରୟାଗରାଜ ଯିବାକୁ ଚିନ୍ତା କରୁଥିବା ଶ୍ରଦ୍ଧାଳୁଙ୍କୁ କର୍ଣ୍ଣାଟକ ଆସିବାକୁ ଅପିଲ୍ କରିଥିଲେ ।
ମହାକୁମ୍ଭକୁ ନେଇ ବିରୋଧୀଙ୍କ ବୟାନବାଜିକୁ କଡା ସମାଲୋଚନା କରିଛି ବିଜେପି । ମମତାଙ୍କ ବୟାନକୁ ଦାୟିତ୍ବହୀନ କହିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସମାଜବାଦୀ ପାର୍ଟି, କଂଗ୍ରେସ, ଆରଜେଡି ଓ ଟିଏମସି ନେତା ସନାତନ ଧର୍ମର ସବୁଠୁ ବଡ ଆୟୋଜନକୁ ନେଇ ପ୍ରଶ୍ନ କରୁଛନ୍ତି । ପ୍ରୟାଗରାଜ କୁମ୍ଭମେଳାକୁ ନେଉ ଅପପ୍ରଚାର କରାଯାଉଛି । ତେବେ ବିରୋଧ କରିବା ସେମାନଙ୍କ ପାଇଁ ବାଧ୍ୟବାଧକତା ବୋଲି କହି କଟାକ୍ଷ କରିଛନ୍ତି ଯୋଗୀ । ସେହିପରି ବିରୋଧୀ ମିଛ ଅଭିଯୋଗ ଲଗାଉଥିବା କହିବା ସହ ଏହା ସନାତନ ଧର୍ମ ବିରୋଧରେ ଶସ୍ତା ରାଜନୀତି ବୋଲି କହିଛି ବିଜେପି ।
Comments are closed.