ନୂଆଦିଲ୍ଲୀ: ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ହେଲେ ଜ୍ଞାନେଶ କୁମାର । ୧୯୮୮ ବ୍ୟାଚର କେରଳ କ୍ୟାଡର ଅଧିକାରୀ ଜ୍ଞାନେଶ କୁମାର ଦେଶର ୨୬ତମ ସିଇସି ଭାବେ ଦାୟିତ୍ବ ନେଇଛନ୍ତି । ତାଙ୍କ କାର୍ଯ୍ୟକାଳରେ ସେ ଚଳିତ ବର୍ଷ ବିହାର ନିର୍ବାଚନ ସହ ଆସନ୍ତାବର୍ଷ ପଶ୍ଚିମବଙ୍ଗ, ଆସାମ ଓ ତାମିଲନାଡୁ ଭଳି ରାଜ୍ୟରେ ନିର୍ବାଚନ ପ୍ରସ୍ତୁତି କରିବେ । ତେବେ ତରବରିଆ ଭାବେ ଜ୍ଞାନେଶ କୁମାରଙ୍କ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଉଚ୍ଚସ୍ତରୀୟ ବୈଠକରେ ଆପତ୍ତି ଉଠାଇଛନ୍ତି । ତେବେ ପ୍ରଶ୍ନ ଉଠୁଛି, ରାହୁଲଙ୍କ ଆପତ୍ତି ପଛର କାରଣ କଣ?
ଆପତ୍ତି କରିଥିଲେ ରାହୁଲ
ଫେବ୍ରୁଆରୀ ୧୮ତାରିଖରେ ମୁଖ୍ୟ ନିର୍ବାଚନ କମିଶନର ପଦରୁ ଅବସର ନେଲେ ରାଜୀବ କୁମାର । ତେଣୁ ଏହା ପୂର୍ବରୁ ସୋମବାର ନୂଆ ସିଇସିଙ୍କ ଚୟନକୁ ନେଇ ତିନି ସଦସୀୟ ପ୍ୟାନେଲର ବୈଠକ ବସିଥିଲା । ପ୍ୟାନେଲର ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରହିଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସଦସ୍ୟ ରହିଥିଲେ । ବୈଠକରେ ଜ୍ଞାନେଶ କୁମାରଙ୍କ ନାଁରେ ମୋହର ଲାଗିଥିଲା । ରାହୁଲ ଗାନ୍ଧୀ ନିଯୁକ୍ତି ବୈଠକକୁ ସ୍ଥଗିତ ରଖିବାକୁ ଲିଖିତ ଭାବେ ଅନୁରୋଧ କରିଥିଲେ । ତେବେ ରାହୁଲଙ୍କ ବିରୋଧ ସତ୍ତ୍ବେ ବୈଠକ ଶେଷ ହେବା ପରେ ସରକାର ବିଜ୍ଞପ୍ତି ଜାରି କରି ଜ୍ଞାନେଶ କୁମାରଙ୍କୁ ସିଇସି ଭାବେ ନିଯୁକ୍ତି ଦେଇଥିଲେ । ତେଣୁ ଏହାକୁ ବିରୋଧ କରିଛି କଂଗ୍ରେସ ।
କାହିଁକି ନିଯୁକ୍ତିକୁ ନେଇ ବିବାଦ?
ପୂର୍ବରୁ ସିଇସି ଓ ଦୁଇ କମିଶନରଙ୍କୁ ନିଯୁକ୍ତି ଦେବା ପାଇଁ କମିଟିରେ ପ୍ରଧାନ ବିଚାରପତି ରହୁଥିଲେ। ପ୍ରଧାନ ବିଚାରପତିଙ୍କ ସହ ପ୍ରଧାନମନ୍ତ୍ରୀ ଓ ବିରୋଧୀ ଦଳ ନେତାଙ୍କୁ ନେଇ କମିଟି ନିଯୁକ୍ତି ନିଷ୍ପତ୍ତି ନେଉଥିଲା। ତେବେ ୨୦୨୩ରେ ନୂଆ ଆଇନ ଆଣି କେନ୍ଦ୍ର ସରକାର ପ୍ରଧାନ ବିଚାରପତିଙ୍କୁ ହଟାଇ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ କମିଟିରେ ସ୍ଥାନ ଦେଇଛନ୍ତି । ଏହାକୁ ବିରୋଧୀ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିବା ବେଳେ ଶୁଣାଣି ପରେ ବୈଠକ କରିବାକୁ ରାହୁଲ ଗାନ୍ଧୀ କହିଥିଲେ । ସେପର୍ଯ୍ୟନ୍ତ ବୈଠକକୁ ସ୍ଥଗିତ ରଖିବାକୁ ସେ ନିବେଦନ କରିଥିଲେ ।
ନିଯୁକ୍ତି ସମ୍ବିଧାନ ବିରୋଧୀ !
ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ବେଳେ ବିରୋଧୀ ଦଳ ନେତାଙ୍କ ଦାବିକୁ ଅଣଦେଖା କରାଯାଇଥିବା କଂଗ୍ରେସ କହିଛି। ଏଥିସହ ପ୍ରଧାନ ବିଚାରପତିଙ୍କୁ କମିଟିରୁ ବାହାରେ ରଖି ସାମ୍ବିଧାନିକ ସଂସ୍ଥା ଉପରେ ସରକାର ନିୟନ୍ତ୍ରଣ ରଖିବାକୁ ଚାହୁଥିବା କଂଗ୍ରେସ ଅଭିଯୋଗ କରିଛି । ତୃଣମୂଳ କଂଗ୍ରେସ ମଧ୍ୟ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି । ଅମିତ ଶାହାଙ୍କୁ ଦେଶର ନୂଆ ନିର୍ବାଚନ କମିଶନ କହି କଟାକ୍ଷ କରିଛନ୍ତି ଟିଏମସି ନେତା ସାକେତ ଗୋଖଲେ । ସେହିପରି ନିର୍ବାଚନ କମିଶନ ବିଜେପିର ଚିୟର ଲିଡର ବନିଥିବା କହି ଆରଜେଡି ନେତା ତେଜସ୍ବୀ ଯାଦବ ମଧ୍ୟ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି । ସେପଟେ ରାହୁଲଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସିଇସିଙ୍କ ନିଯୁକ୍ତିରେ କୌଣସି ନିୟମର ଉଲ୍ଲଂଘନ ହୋଇନଥିବା ଧର୍ମେନ୍ଦ୍ର କହିଛନ୍ତି ।
୧୯୮୮ ବ୍ୟାଚର ଆଇଏଏସ ଅଫିସର ଜ୍ଞାନେଶ କୁମାର ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରାଳୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦରେ କାମ କରିଛନ୍ତି । ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସଂପର୍କିତ ଡ୍ରାଫ୍ଟ ବି ସେ ପ୍ରସ୍ତୁତ କରିଥିଲେ । ଆଗକୁ ଗୁରୁତ୍ବପୂର୍ଣ୍ଣ ନିର୍ବାଚନ ହେବାକୁ ଥିବା ବେଳେ ଜ୍ଞାନେଶ କୁମାରଙ୍କ ନିଯୁକ୍ତିକୁ ନେଇ ବିରୋଧୀଙ୍କ ଟାର୍ଗେଟରେ ରହିଛନ୍ତି କେନ୍ଦ୍ର ସରକାର ।
Comments are closed.