Latest Odisha News

BREAKING NEWS

‘ବିନ୍ଦୁ ସାହିତ୍ୟ ସମାଜ’ର ବାର୍ଷିକ ଉତ୍ସବ: ସାହିତ୍ୟ ସମ୍ମାନରେ ସମ୍ମାନିତ ହେଲେ ୧୫ କବି

ଭୁବନେଶ୍ୱର: ବିନ୍ଦୁ ସାହିତ୍ୟ ସମାଜର ବାର୍ଷିକ ଉତ୍ସବ, କବିତା ପାଠ, ସମ୍ବର୍ଦ୍ଧନା ସଭା ଓ ୧୫୦ତମ ଗାନ୍ଧୀ ଆଲୋଚନା ଚକ୍ର ରବିବାର ଦିନ ୟୁନିଟ୍-୯ସ୍ଥିତ ଲୋହିଆ ଏକାଡ଼େମୀ ପରିସରରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ୧୫ ଜଣ ବିଶିଷ୍ଟ କବି ଓ କବିୟତ୍ରୀଙ୍କୁ ବିନ୍ଦୁ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି ।

ଏହି ଉତ୍ସବରେ ଯେଉଁ ସାରସ୍ୱତ ପ୍ରତିଭା ମାନଙ୍କୁ ବିନ୍ଦୁ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇ ସମ୍ବର୍ଦ୍ଦିତ କରାଯାଇଛି ସେମାନେ ହେଲେ ସୁଜାତା ମିଶ୍ର, ବନୋଜ ତ୍ରିପାଠୀ, ଅମିୟଭାନୁ ଧଳ, ବିଦ୍ୟୁତଲତା ଦାସ, ରଶ୍ମୀମୟୀ ପତି, ତୃପ୍ତି ପଣ୍ଡା, ସୁଚେତା ନନ୍ଦ, ଜ୍ୟୋତିର୍ମୟୀ ପରିଜା, ସୁକାନ୍ତି ମିଶ୍ର, ଉର୍ମିଳା ଦାସ, କବିତା ଶତପଥୀ, ଗୋଲକ ବିହାରୀ ବେହେରା, ପ୍ରଫୁଲ୍ଲ ସାହୁ ଏବଂ ସତ୍ୟ ଦାଶ ।

ବିନ୍ଦୁ ସାହିତ୍ୟ ସମାଜର ପ୍ରତିଷ୍ଠାତା ତଥା ସଭାପତି ପ୍ରଫେସର ନିତ୍ୟାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କଥାକାର ବିଭୂତି ପଟ୍ଟନାୟକ ଯୋଗ ଦେଇଥିଲେ ।

“ବର୍ତ୍ତମାନ ସମାଜରେ ମାନବଜାତି ମିଛର ଆଶ୍ରୟରେ ଗତି କରୁଛି ଯାହାଫଳରେ ବହୁତ ଅଘଟଣ, ଦୁର୍ନୀତି ବ୍ୟାପୁଛି । ଏହି ସମୟରେ ଗାନ୍ଧିଜୀଙ୍କ ସତ୍ୟ, ଅହିଂସା ଓ ବ୍ରହ୍ମଚାର୍ଯ୍ୟ ପାଳନ କରିବାର ଆବଶ୍ୟକତା ରହିଛି” ବୋଲି ମୁଖ୍ୟ ଅତିଥି ବିଭୂତି ପଟ୍ଟନାୟକ କହିଛନ୍ତି ।

ଏହାସହ ମହାତ୍ମା ଗାନ୍ଧୀଙ୍କ ସମ୍ବନ୍ଧରେ କେତେକ ଅନାଲୋଚିତ ଅଧ୍ୟାୟର ମଧ୍ୟ ସେ ଆଲୋଚନା କରିଥିଲେ ।

ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ଗାନ୍ଧିବାଦୀ କବି ଡଃ ଶୈଳଜ ରବି ଯୋଗଦେଇ ଗାନ୍ଧିଜୀଙ୍କ ଅହିଂସା ଆନ୍ଦୋଳନ ଓ ଭାରତ ସମ୍ବନ୍ଧରେ ଆଲୋକପାତ କରିଛନ୍ତି।

ସମ୍ମାନିତ ଅତିଥି ଭାବେ ପକ୍ଷୀଘର ପ୍ରକାଶନର ପରିଚାଳକ ବନୋଜ ତ୍ରିପାଠୀ ଯୋଗଦେଇଥିଲେ ।

“ଆମ ଭାଷା ଶାସ୍ତ୍ରୀୟ ମାନତ୍ୟର ୬ ନମ୍ବର ସ୍ଥାନରେ ରହିଛି । ତେଣୁ ଏହାର ସୁରକ୍ଷା ପାଇଁ ଆବେ ଯତ୍ନବାନ ହେବା ସହିତ ଆମ ଲେଖାଗୁଡ଼ିକ ଶାଣିତ ଓ ମାର୍ଜିତ ହେବା ଆବଶ୍ୟକ” ବୋଲି ବନୋଜ ତ୍ରିପାଠୀ କହିଛନ୍ତି ।

ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ‘ବିନ୍ଦୁ ସାହିତ୍ୟ’ ପତ୍ରିକା, ବାଉରୀବନ୍ଧୁ ଲେଙ୍କାଙ୍କ ଅନୁବାଦ ପୁସ୍ତକ ‘ଋତୁ ସଂହାର’, ଶଶୀଭୂଷଣ ମହାପାତ୍ରଙ୍କ କବିତା ସଂକଳନ ‘ଦୃଶ୍ୟାନ୍ତର’ ଓ ଭକ୍ତ ମଲ୍ଲଙ୍କ କବିତା ପୁସ୍ତକ ‘ମୋତେ ଛୁଁ’ ଏବଂ ବିଦ୍ୟୁତଲତା ଦାଶଙ୍କ କବିତା ସଂକଳନ ‘ତୋତେ ମନା’ ପ୍ରଭୃତି ପୁସ୍ତକ ଉନ୍ମୋଚିତ ହୋଇଛି ।

ସଭା ଆରମ୍ଭରେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇ ଗାନ୍ଧୀ ଭଜନ ପରିବେଷଣ କରାଯାଇଥିଲା । ବିନ୍ଦୁ ସାହିତ୍ୟ ସମାଜର ଉପସଭାପତି ବାଉରୀବନ୍ଧୁ ଲେଙ୍କା ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ ।

Leave A Reply

Your email address will not be published.