Latest Odisha News

BREAKING NEWS

‘ଯୌନ ଅପରାଧ ମାମଲା, ମହିଳାଙ୍କ ଅଭିଯୋଗ ସବୁବେଳେ ସତ ନୁହେଁ’

ଥିରୁବନନ୍ତପୁରମ: ମହିଳାଙ୍କ ସବୁ ଅଭିଯୋଗ ସତ ନୁହେଁ। ମହିଳା ବୋଲି ତାଙ୍କର ସବୁ ଅଭିଯୋଗ ସତ ଭାବିବା ଠିକ୍‌ ନୁହେଁ। ଏଭଳି ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି କେରଳ ହାଇକୋର୍ଟ। ଯୌନ ଅପରାଧ ସହିତ ଅପରାଧୀକ ମାମଲାରେ ଏହା ଅନୁମାନ ଲଗାଯାଇପାରିବ ନାହିଁ ଯେ ଆବେଦନକାରୀ ମହିଳା ହୋଇଥିବାରୁ ତାଙ୍କର ସବୁ କଥା ସତ। କାରଣ ଆଜିକାଲି ଏଭଳି ଅନେକ ଅଭିଯୋଗ ନିର୍ଦ୍ଦୋଷ ଲୋକଙ୍କୁ ଫସାଇବା ଲାଗି ଆସୁଛି।

ଯୌନ ଉତ୍ପୀଡନ ମାମଲାରେ ଜଣେ ବ୍ୟକ୍ତିଙ୍କୁ ଆଗୁଆ ଜାମିନ ପ୍ରଦାନ କରିବା ଅବସରରେ ବିଚାରପତି ପି.ଭି କୁହ୍ନିକୃଷ୍ଣନ ଏହା କହିଛନ୍ତି। ହାଇକୋର୍ଟ କହିଛନ୍ତି ଅଭିଯୋଗକାରୀଙ୍କ ପକ୍ଷରୁ ଦାଖଲ କରାଯାଇଥିବା ମାମଲା ଆଧାରରେ ଏକତରଫା ଭାବେ ଯାଞ୍ଚ କରାଯିବା ଉଚିତ ନୁହେଁ। ପୋଲିସକୁ ଉଭୟ ପକ୍ଷର ବୟାନ ଶୁଣିବାକୁ ହେବ। ସେହି ଆଧାରରେ ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢ଼ାଇବାକୁ ପଡିବ। ମିଥ୍ୟା ଅଭିଯୋଗ ଯୋଗୁଁ ଜଣଙ୍କର ହେଉଥିବା କ୍ଷତିକୁ ଟଙ୍କା ଦେଇ ଭରଣା କରାଯାଇପାରିବ ନାହିଁ। ମିଥ୍ୟା ଅଭିଯୋଗ ଯୋଗୁଁ ଅଭିଯୁକ୍ତଙ୍କ ମାନ, ସମ୍ମାନ ଓ ପ୍ରତିଷ୍ଠା ସବୁ ନଷ୍ଟ ହୋଇଯାଏ।

ଏହି ମାମଲାଟି ଏକ କମ୍ପାନୀ ସହ ଯୋଡିତ। ଏଠାରେ ଜଣେ ୫୭ ବର୍ଷୀୟ ବ୍ୟକ୍ତି (ଅଭିଯୁକ୍ତ) ତାଙ୍କ କମ୍ପାନୀରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀ (ଅଭିଯୋଗକାରୀ)ଙ୍କୁ ଯୌନ ନିର୍ଯାତନା ଦେବାର ଅଭିଯୋଗ ଆଣିଥିଲେ। ଉକ୍ତ ମହିଳାଙ୍କ ଅନୁଯାୟୀ ଅଭିଯୁକ୍ତ ତାଙ୍କ ସହ ଖରାପ ଆଚରଣ କରିଥିଲେ ଏବଂ ତାଙ୍କ ହାତ ଧରିଥିଲେ। ପୀଡିତା ଅଭିଯୋଗ କରିଥିଲେ କି ଯୌନ ଆକାଂକ୍ଷା ରଖି ଅଭିଯୁକ୍ତ ମ୍ୟାନେଜର ତାଙ୍କ ହାତକୁ ଧରିଥିଲେ। ହେଲେ ଅଭିଯୁକ୍ତ ଏହାକୁ ଖଣ୍ଡନ କରିଥିଲେ। ଏଥିସହ ସେ ପୀଡିତାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ। ସେମାନଙ୍କ କଥାବାର୍ତ୍ତାକୁ ଅଭିଯୁକ୍ତ ରେକର୍ଡିଂ କରିଥିଲେ ଏବଂ ତାକୁ ପେନ୍‌ଡ୍ରାଇଭରେ ଆଣି ପୋଲିସକୁ ଦେଇଥିଲେ।

ହାଇକୋର୍ଟ କହିଛନ୍ତି ଏଭଳି କ୍ଷେତ୍ରରେ ଅଭିଯୁକ୍ତଙ୍କ ଅଭିଯୋଗର ତଦନ୍ତ ମଧ୍ୟ ପୋଲିସକୁ କରିବା ଉଚିତ। ଏଥିସହ ହାଇକୋର୍ଟ ଏହି ମାମଲାର ଅଭିଯୁକ୍ତଙ୍କୁ ବେଲ୍‌ବଣ୍ଡ ସହ ଜାମିନ ପ୍ରଦାନ କରିଛନ୍ତି। ଏହା ସହ ହାଇକୋର୍ଟ ଦେଇଥିବା ରାୟରେ କହିଛନ୍ତି ଯେ ଆଜିକାଲି ଯୌନ ଅପରାଧ ଭଳି ଗମ୍ଭୀର ଅଭିଯୋଗରେ ନିର୍ଦ୍ଦୋଷ ଲୋକଙ୍କୁ ଫସାଇବାର ପ୍ରବୃତ୍ତି ବଢ଼ିଚାଲିଛି। ଯଦି ପୋଲିସକୁ ଲାଗେ କି ମହିଳାଙ୍କ ଅଭିଯୋଗର ସତ୍ୟତା ନାହିଁ, ତେବେ ଅଭିଯୋଗକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ଆଇନରେ ପୋଲିସକୁ ଏଭଳି କ୍ଷମତା ଦିଆଯାଇଛି। ତଦନ୍ତ ସମୟରେ ଅପରାଧୀକ ମାମଲାରେ କେତେ ସତ ଓ କେତେ ମିଛ ରହିଛି ତାକୁ ପୋଲିସ ଭଲ ଭାବେ ଅନୁଧ୍ୟାନ କରିବା ଆବଶ୍ୟକ।

 

Comments are closed.