Latest Odisha News

BREAKING NEWS

ଓଏସଏସସି ଫିଜିକାଲ ଟେଷ୍ଟ ବେଳେ ଅଘଟଣ, ଚାଲିଗଲା ଛାତ୍ରଙ୍କ ଜୀବନ

ରାଉରକେଲା: ଓଏସଏସସି ଶାରୀରିକ ପରୀକ୍ଷାରେ ଅଘଟଣ । ଦୌଡ଼ୁଥିବା ବେଳେ ଚାଲିଗଲା ଛାତ୍ର ଜୀବନ । ମୃତକ ଜଣକ ହେଉଛନ୍ତି ରାଉରକେଲାର ବ୍ୟାଚ୍ ନମ୍ବର ଏ ୦୨ ପ୍ରବୀଣ କୁମାର ପଣ୍ଡା । ଫରେଷ୍ଟ ଗାର୍ଡ, ଫରେଷ୍ଟର ଏବଂ ପ୍ରାଣୀଧନ ନୀରିକ୍ଷକ ପଦବୀ ପାଇଁ ଶାରୀରିକ ପରୀକ୍ଷା ଚାଲିଥିବା ବେଳେ ଘଟିଛି ଏହି ଅଘଟଣ ।

ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଜିଲାରେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ଦ୍ୱାରା ପରିଚାଳିତ ଏକ ଶାରୀରିକ ପରୀକ୍ଷା ସମୟରେ ୨୫ କିଲୋମିଟର ଦୌଡ଼ରେ ଅଂଶଗ୍ରହଣ କରୁଥିବା ଜଣେ ଚାକିରି ଆଶାୟୀଙ୍କ ଜୀବନ ଚାଲିଯାଇଛି। ଫରେଷ୍ଟ ଗାର୍ଡ ଏବଂ ଫରେଷ୍ଟର ପଦବୀ ପାଇଁ ଆବେଦନ କରିଥିଲେ ପ୍ରବୀଣ । ଉକ୍ତ ପୋଷ୍ଟ ପାଇଁ ଆଜି ଫିଜିକାଲ୍ ଟେଷ୍ଟ ଥିଲା। ଭବାନୀପୁରରୁ ବାରଗାଡ ୨୫ କିଲୋମିଟର ଦୌଡ଼ରେ ପ୍ରବୀଣ ଭାଗ ନେଇଥିଲେ। ଦୌଡୁଥିବା ବେଳେ ସଦର ଥାନା କିରେଇ ନିକଟରେ ଅଚାନକ ଅଚେତ ହୋଇପଡ଼ିଥିଲେ ପ୍ରବୀଣ । ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସେପଟେ କେନ୍ଦୁଝର ଜିଲାରେ ଅନୁଷ୍ଠିତ ହେଉଥିବା ବନବିଭାଗ ପାଇଁ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଯୁକ୍ତି ପ୍ରକ୍ରିୟାର ଶାରୀରିକ ପରୀକ୍ଷା ବେଳେ ଗତକାଲି ଜଣେ ଆଶାୟୀ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କ ନାମ ବ୍ୟୋମକେଶ ନାଏକ। ଘର ହରିଚନ୍ଦନପୁର ବ୍ଲକ ଓସ୍ତପଙ୍ଗା ଗାଁର ବୋଲି ଜଣାପଡିଛି। ତେବେ ସେ ଅସୁସ୍ଥ ହେବା ପରେ ତାଙ୍କୁ ପ୍ରଥମେ କେନ୍ଦୁଝର ଜିଲା ମୁଖ୍ୟାଳୟ ଡାକ୍ତରଖାନା ଓ ପରେ ଅବସ୍ଥା ଗୁରୁତର ହେବାରୁ କଟକକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦୁଝର ଡିଏଫଓ ।

ତେବେ ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଲାଇଭ୍ ଷ୍ଟକ ଇନ୍‌ସ୍ପେକ୍ଟର ପଦବୀ ନିଯୁକ୍ତି ପାଇଁ ଶାରିରୀକ ପରୀକ୍ଷା ଚାଲିଥିବା ସମୟରେ କେନ୍ଦୁଝରର ବ୍ୟୋମକେଶ ନାୟକ ଓ ସୁନ୍ଦରଗଡର ପ୍ରବୀଣ କୁମାର ପଣ୍ଡାଙ୍କ ମୃତ୍ୟୁ ଘଟିବା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସେମାନଙ୍କ ପରିବାର ସଦସ୍ୟଙ୍କ ପ୍ରତି  ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ସହିତ ମୁଖ୍ୟମନ୍ତ୍ରୀ ଏହି ଦୁଇ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯିବ।

Comments are closed.